ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ସରଳ ଜୀବନଶୈଳୀ ଆବଶ୍ୟକ: ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ବର : ରୋଗ ଆପେ ଆପେ ଆସି ନଥାଏ। ରୋଗକୁ ଆମେ ଆମନ୍ତ୍ରଣ କରିଥାଉ। ଶୃଙ୍ଖଳାହୀନ ଅନିୟନ୍ତ୍ରିତ ଜୀବନଶୈଳୀ, ପରମ୍ପରାଗତ ଖାଦ୍ୟ ପଦାର୍ଥଠାରୁ ଦୂରେଇଯିବା, ଶ୍ରମକାତର ଆଦି ମନୋଭାବ ଯୋଗୁଁ ରୋଗ ଆମକୁ ଗ୍ରାସ କରେ। ଗତ ରବିବାର ଅପରାହ୍‌ଣରେ ରାଜ୍ୟସ୍ତରୀୟ ‘ମାତୃଭୂମି ଓ ମାତୃଭାଷା’ ସଂଗୋଷ୍ଠୀ ଆନୁକୂଲ୍ୟରେ ଅନୁଷ୍ଠିତ ‘ବିବିଧ ଶାରୀରିକ ସମସ୍ୟା ଓ ନିରାକରଣ’ ଶୀର୍ଷକ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିକିତ୍ସକ ଅଶୋକ କୁମାର ମହାପାତ୍ର ଏହା କହିଛନ୍ତି। ଶାରୀରିକ, ମାନସିକ ସୁସ୍ଥତା ପାଇଁ ସନ୍ତୁଳିତ ଆହାର, ଭଲ ନିଦ୍ରା ତଥା ଈଶ୍ବର ଚିନ୍ତନର ଆବଶ୍ୟକତା ରହିଛି ବୋଲି ଅତି ଚମତ୍କାର ଶୈଳୀରେ ଡା. ମହାପାତ୍ର ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଡାକ୍ତର ନୀଳମାଧବ ପୃଷ୍ଟି ଅନ୍ୟତମ ଅତିଥି ଭାବେ ଯୋଗଦେଇ କର୍ଣ୍ଣ, ନାସା ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ନିରାକରଣ ସମ୍ପର୍କରେ ମୂଲ୍ୟବାନ ଉପଦେଶ ଦେଇଥିଲେ। ପ୍ରଦୀପ୍ତ ବିଶ୍ୱାଳ ଅତିଥି ପରିଚୟ ଦେଇଥିବା ବେଳେ ଛାତ୍ରୀ ମଧୁମିତା ଜେନା ଦେଶ ବନ୍ଦନା ଗାନ କରିଥିଲେ। ବ୍ରହ୍ମପୁର ଡିସିସି ବ୍ୟାଙ୍କର ସହକାରୀ ସାଧାରଣ ପରିଚାଳକ ସ୍ନିଗ୍ଧାରାଣୀ ପଣ୍ଡା ଧନ୍ୟବାଦ ଦେଇଥି‌ଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନେକ କବି, ଲେଖକ, ସମାଜସେବୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର