ରାୟଗଡ଼ା: ରାୟଗଡ଼ା ମଝିଘରିଆଣୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ମାଲବାହୀ ଟ୍ରକ୍ ଓଲଟି ପଡିଛି। ଫଳରେ ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅପରାହଣରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଏଯାବତ୍ ଦୁର୍ଘଟଣାଗସ୍ତ ଗାଡ଼ିକୁ ରାସ୍ତାରୁ ହଟାଯାଇନଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଛି। ଫଳରେ ଏହି ରାସ୍ତା ଦେଇ ପିତାମହଲ, ଜେମାଦେଇପେଣ୍ଠ, ଶେଷଖାଲ ସହ ବିଭିନ୍ନ ଗାଁକୁ ଯାତାୟାତ କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଲବାହୀ ଟ୍ରକ୍ ଗୁଡ଼ିକ ପିତାମହଲ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଲମ୍ବିଥିବାରୁ ଜରୁରି କାମରେ ଯାତାୟାତ କରୁଥିବା ଗାଡ଼ି ଗୁଡ଼ିକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମଝିଘରିଆଣି ମନ୍ଦିର ନିକଟରେ ଥିବା ବ୍ରିଜ୍ ବହୁ ପୁରୁଣା ହୋଇଥିବାରୁ ବ୍ରିଜ୍ ଦେଇ ମାଲବାହୀ ଯାନବାହନ ଚଳାଚଳ ସମୟରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ମାସର ଅଧା ଦିନ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବା ସହ ମାଲବାହୀ ଗାଡ଼ି ଚାଳକଙ୍କ ବେପାରୁଆ ଡ୍ରାଇଭିଂ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ନୂତନ ବ୍ରିଜର ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡିଥିବା ବେଳେ ପିତାମହଲଠାରୁ କୋରାପୁଟ ଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ମଧ୍ୟ ଶେଷ ହୋଇପାରୁନି।