ସମ୍ବଲପୁର: ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୧୭ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେଇସାରିଲାଣି। ଏଥି ସହିତ ଉପରମୁଣ୍ଡରେ ବର୍ଷା‌ ହେବା ଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବି ବୃଦ୍ଧି ପାଇବ। ତେବେ, ପୂର୍ବ ବର୍ଷ ଭଳି ଏଥର ହୀରାକୁଦ ଜଳଭଣ୍ଡାରର ତ୍ରୁଟିପୂର୍ଣ୍ଣ ଜଳପରିଚାଳନା ଯୋଗୁ ଗଚ୍ଛିତ ପାଣି ବନ୍ୟାଜଳରେ ପରିଣତ ହେବାର ଆଶଂକା ରହିଛି। ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ପାଇଁ ଶକ୍ତି ବିଭାଗ ଓ ଜଳ ସଂପଦ ବିଭାଗ ଦ୍ବାରା ମିଳିତ କାର୍ଯ୍ୟସାରଣୀ (ଜଏଣ୍ଟ ୱାର୍କିଂ ଟେବଲ୍‌) ପ୍ରସ୍ତୁତ ହୋଇଛି। ମାତ୍ର, ଏହି ମିଳିତ କାର୍ଯ୍ୟସାରଣୀ କାର୍ଯ୍ୟକାରୀ ହେଉ ନାହିଁ। ଗୋଟିଏ ପଟେ ଓଡ଼ିଶା ସରକାର ସବୁବେଳେ ଛତିଶଗଡ଼ ଉପରେ ଦୋଷ ଲଦୁଥିବା ବେଳେ ଏପଟେ ହୀରାକୁଦ ଜଳଭଣ୍ଡାରର ସଫଳ ଜଳ ପରିଚାଳନାରେ ଫେଲ୍ ମାରିଛନ୍ତି।

Advertisment

ଏଭଳି ସ୍ଥିତିରେ ଜଳସେଚନ, ବିଦ୍ୟୁତ୍‌ ଉତ୍ପାଦନ ଆଦି ପରେ ବ୍ୟବହାର ହୋଇନପାରି ବଳକା ଜଳ ପରବର୍ତ୍ତୀ ସମୟରେ ବନ୍ୟାଜଳ ଭାବେ ମହାନଦୀରୁ ସମୁଦ୍ରକୁ ବହି ଯାଉଛି। ଜଳଭଣ୍ଡାରରେ ଯଥେଷ୍ଟ ଜଳ ଥିବା ସତ୍ତ୍ବେ ଏତେ କମ୍‌ ପରିମାଣ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରିବା ଯୋଗୁ ମହାନଦୀର ତଳମୁଣ୍ଡରେ ଜଳାଭାବ ସୃଷ୍ଟି ହୋଇଛି। ଅଣମୌସୁମୀ ସମୟରେ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ହାର ପ୍ରାୟତଃ ବୁର୍ଲା ଶକ୍ତି କେନ୍ଦ୍ରର ଦୈନିକ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହୃତ ଜଳର ପରିମାଣ ଉପରେ ନିର୍ଭର କରେ। ବୁର୍ଲା ଶକ୍ତି କେନ୍ଦ୍ରରୁ ବିଦ୍ୟୁତ୍‌ ଉତ୍ପାଦନ ହାର କମ୍‌ ହେବା ଯୋଗୁ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ ହାର ମଧ୍ୟ କମିଛି। ଜଳ ପ୍ରବାହ ହ୍ରାସ ପାଇବାକୁ ନେଇ ଲୋକଙ୍କ ମନରେ ଅନେକ ଆଶଙ୍କା ସୃ୍ଷ୍ଟି ହେବା ସ୍ବାଭାବିକ।

ଆଜି ସନ୍ଧ୍ୟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୧.୪୭ ଫୁଟ୍ ରହିଛି। ବର୍ଷା ଋତୁ ଆସିବା ପୂର୍ବରୁ ଗଚ୍ଛିତ ଜଳର ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ଜଳକୁ ଉପଯୁକ୍ତ ଭାବେ ପରିଚାଳନା କରାଗଲେ ମହାନଦୀର ତଳମୁଣ୍ଡର ଜଳର ଚାହିଦା ମେଣ୍ଟିପାରିବ। ମିଳିତ କାର୍ଯ୍ୟସାରଣୀ ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଅଚଳ କ୍ଷମତା(ଡେଡ୍‌ ଷ୍ଟୋରେଜ୍) ୫୯୦ ଫୁଟ୍‌ ଧାର୍ଯ୍ୟ କରାଯାଇଛି। ବର୍ଷା ବିଳମ୍ବ ଆଦିକୁ ଦୃଷ୍ଟିରେ ରଖି ଜୁନ୍ ୧୫ ସୁଦ୍ଧା ଜଳସ୍ତର ୫୯୮ ଫୁଟ୍ ଜଳ ରଖାଯାଇଥାଏ। ଏବେ ଏହି ଅଚଳ କ୍ଷମତା ଠାରୁ ହୀରାକୁଦ ଜଳଭଣ୍ଡାରରେ ୧୧ ଫୁଟ୍‌ ଅଧିକ ପାଣି ରହିଛି। ଯଦି, ୫୯୮ ଫୁଟ୍ ହିସାବକୁ ନେଲେ ୩ ଫୁଟ୍‌ ଅଧିକ ପାଣି ରହିଛି। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଗଚ୍ଛିତ ଜଳକୁ ବର୍ଷା ପୂର୍ବରୁ ଉପଯୁକ୍ତ ବ୍ୟବହାର ନକରିପାରିଲେ ସେହି ବଳକା ଜଳ ବନ୍ୟାଜଳରେ ପରିଣତ ହେବ। ଗତ ବର୍ଷ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି ହୋଇଥିଲା। ୨୦୨୦ ମସିହାରେ କିନ୍ତୁ ବ୍ୟାପକ ପାଣି ବରବାଦ ହୋଇଥିଲା। ଗତ ୧୪ ଜୁନ୍ ୨୦୨୦ରେ ହୀରାକୁଦ ଜଳସ୍ତର ୬୦୭. ୫୬ ଫୁଟ୍ ରହିଥିଲା। ୨୫ ଜୁନ୍‌ ୨୦୨୦ରେ ବନ୍ୟା ଜଳ ନିଷ୍କାସନ ବେଳକୁ ଜଳସ୍ତର ବଢ଼ି ୬୧୮ ଫୁଟ୍ ହୋଇଯାଇଥିଲା। ପ୍ରାୟ ୯.୫ ଫୁଟ୍‌ (ଅର୍ଥାତ ୦.୬୯୫ ନିୟୁତ ଏକର ଫୁଟ୍‌) ଗଚ୍ଛିତ ଜଳ ସେତେବେଳେ ବନ୍ୟାଜଳର ରୂପ ନେଇଥିଲା। ଏହା ଦ୍ବାରା ବୁର୍ଲା ଶକ୍ତି କେନ୍ଦ୍ରରୁ କେବଳ ୫୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍ ଉତ୍ପାଦନ ହୋଇପାରିଥାନ୍ତା। ଏହି ଜଳ ବ୍ୟବହାର କରି ପୁଣି ଚିପିଲିମା ଶକ୍ତିକେନ୍ଦ୍ରରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାନ୍ତା।