ବରଗଡ଼/ବିନିକା: ମୃତ୍ୟୁ କାହା ପାଇଁ କେମିତି ଆଉ କେତେବେଳେ ଆସେ କେହି ବି ଜାଣି ନଥାନ୍ତି। ନାମ ସଂକୀର୍ତ୍ତନ ଚାଲିଥିବା ସେଥିରେ ମତୁଆଲା ହୋଇ ଘଣ୍ଟ ବଜାଉଥିବା ବେଳେ ହଠାତ୍ ଟଳିପଡ଼ିଲେ କୈଳାସ ଚନ୍ଦ୍ର। ଉପସ୍ଥିତ କୀର୍ତ୍ତନୀଆ ମାନେ ମୁହଁରେ ପାଣି ଛିଞ୍ଚିଲେ। ଉତ୍ତରୀୟ ଖୋଲି ପଙ୍ଖା କଲେ। କିନ୍ତୁ ସବୁ ଉଦ୍ୟମ ନିଷ୍ଫଳ ହେଲା। କୀର୍ତ୍ତନ କରିବା ବେଳେ ସେ ଯେଉଁ ଭୂମିରେ ପଡ଼ିଗଲେ, ସେତିକି ବେଳେ ହିଁ ଉଡ଼ିଯାଇଥିଲା ପ୍ରାଣବାୟୁ। ଏଭଳି ଘଟଣା ବରଗଡ ଜିଲ୍ଲା ଟୁକୁରା ଗାଁରେ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଏଠାରେ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମୁଖ୍ୟ ପୂଜକ କୈଳାସ ଚନ୍ଦ୍ର ପଣ୍ଡା(୭୩)ଙ୍କ ପରଲୋକ ଘଟିଛି। ତେବେ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନ ବେଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ। ହାତରେ ଧରିଥିବା ଘଣ୍ଟକୁ ତଳେ ଥୋଇ କୈଳାସ ଚନ୍ଦ୍ର ଟଳି ପଡିଥିଲେ।
/sambad/media/post_attachments/wp-content/uploads/2022/11/21027045-af32-4e9d-b7f5-d519132b435a-e1669295014905.jpg)
ସ୍ବର୍ଗତ କୈଳାସ ଚନ୍ଦ୍ର ପଣ୍ଡାଙ୍କର ପତ୍ନୀ ପଦ୍ମାଳୟାଙ୍କ ସମେତ ୩ ବିବାହିତ ଝିଅ (ନଳିନୀ, ପଦ୍ମିନୀ ଓ ନୀତମ୍ବିନୀ) ଅଛନ୍ତି। ଆଜି ଶହଶହ ଲୋକଙ୍କ ଉପସ୍ଥିତିରେ ତାଙ୍କର ମୃତଦେହକୁ ଏକ ସବାରି ଆଗରେ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଲୋକେ ମରଶରୀରକୁ ସିନ୍ଦୁରପୁରସ୍ଥିତ ମହାନଦୀ କୂଳସ୍ଥିତ ମଶାଣିକୁ ନେଇଥିଲେ। ସେଠାରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଥିଲା। ପୁତୁରା ବଳଦେବ ପଣ୍ଡା ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ ଯେ, କୈଳାଶ ଚନ୍ଦ୍ର ଥିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗାଁର ବାସିନ୍ଦା। ସେ ଥିଲେ ସିନ୍ଦୁରପୁର ଶ୍ରୀଗୋପାଳଜୀ ମହାପ୍ରଭୁଙ୍କର ସେବକ ତଥା ଶ୍ରୀଗୋପାଳଜୀ ଭ୍ରାମ୍ୟମାଣ ଭାଗବତ ସତସଙ୍ଗ ପାରାୟଣର ମୁଖ୍ୟପୂଜକ। ଗତକାଲି କାର୍ଯ୍ୟକ୍ରମ ସମୟରେ ସେ ହରେକୃଷ୍ଣ ମହାମନ୍ତ୍ର ଗାଉଥିବା ବେଳେ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟରେ ନାମସଂକୀର୍ତ୍ତନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଇହଧାମ ତ୍ୟାଗ କରିଥିବାରୁ ସେ କେତେ ବଡ଼ ଭାଗ୍ୟବାନ ମଣିଷ ବୋଲି ଚର୍ଚ୍ଚା ହେଉଛି। ଭଗବାନ ଅମର ଆତ୍ମାକୁ ସ୍ବର୍ଗରେ ସ୍ଥାନ ଦେବେ ବୋଲି ଚର୍ଚ୍ଚା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/c6186f13-1df3-4396-b851-4320e56bbb51.jpg)