ପଛୁଆ ଅଞ୍ଚଳର ଦୁଇ ଆଗୁଆ ଝିଅ…ବାଲ୍ୟ ବିବାହ ବିରୋଧରେ ଉଠାଇଲେ ସ୍ବର

ରାୟଗଡ଼ା: ପରିବାର ଲୋକ ବିବାହ ପାଇଁ ଚାପ ପକାଇଲେ। ନେହୁରା ହେବା ସତ୍ତ୍ବେ ସୁରକ୍ଷା ଦେଲାନି ପୁଲିସ। ନିଜ ଜିଦରେ ଅଟଳ ରହିବାରୁ ଅପହରଣ କରାଗଲା। ଗାଳି, ମାଡ଼ ମଧ୍ୟ ଖାଇଲେ। ତଥାପି ମନୋବଳକୁ ସୁଦୃଢ଼ କରି ବାଲ୍ୟ ବିବାହ ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ। ଆଉ ଏଥିରେ ସଫଳ ହୋଇଛନ୍ତି ପଛୁଆ ଅଞ୍ଚଳର ଦୁଇ ଆଗୁଆ ଝିଅ ସାନିଆ ଓ ଶର୍ମିଷ୍ଠା (ଛଦ୍ମନାମ)।

ବାଲ୍ୟ ବିବାହ ବିରୋଧରେ ଲଢ଼େଇ କରିବା ସହ ପଛୁଆ ଅଞ୍ଚଳ ପାଇଁ ଉଦାହରଣ ପାଲଟିଥିବା ଦୁଇ କିଶୋରୀଙ୍କୁ ନେଇ ଏବେ ସବୁଠି ଚର୍ଚା। ରାୟଗଡ଼ା ସ୍ବଧାର ଗୃହରେ ରହି ସାନିଆ ଯୁକ୍ତ ଦୁଇ ପରୀକ୍ଷା ଏବଂ ଶର୍ମିଷ୍ଠା ନିଜ ଘରେ ରହି ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ଶର୍ମିଷ୍ଠାଙ୍କ ସାହସ ପାଇଁ ଆଜି ଭୁବନେଶ୍ବରରେ ଆୟୋଜିତ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପ୍ରତିଷ୍ଠା ଦିବସରେ ପୁରସ୍କୃତ କରିଛନ୍ତି।
ଏବେ ମୁଁ ବାହା ହେବାକୁ ଚାହୁଁନି, ପାଠ ପଢ଼ିବି। ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପରେ ବିବାହ କଥା ଚିନ୍ତା କରିବି। ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଏମିତି ବୟାନ ରଖିଛନ୍ତି ସାନିଆ। ୧୮ବର୍ଷ ହେବାକୁ ଆହୁରି ୩ ମାସ ବାକି ଅଛି। କିନ୍ତୁ ଏହାରି ଭିତରେ ପରିବାର ଲୋକ ତାଙ୍କୁ ବିବାହ କରାଇ ଦେବାକୁ ଦୁଇ ଥର ଉଦ୍ୟମ କରି ସାରିଲେଣି। ବିରୋଧ, ପ୍ରତିବାଦ ସତ୍ତ୍ବେ ପରିବାର ଲୋକ ନିଜ ଜିଦରେ ଅଟଳ ଥିବା ବ‌େଳେ ବିବାହ ଠିକ୍ ହୋଇଥିବା ପୁଅ ମଧ୍ୟ ତାଙ୍କୁ ଥରେ ଅପହରଣ ଉଦ୍ୟମ କରିଛି। ତେବେ ବହୁ କଷ୍ଟରେ ଅପହରଣକାରୀଙ୍କ କବଳରୁ ସାନିଆ ମୁକ୍ତ ହୋଇଛନ୍ତି। ଏବେ ନିଜ ସୁରକ୍ଷାକୁ ନେଇ ସେ ଚିନ୍ତିତ ଅଛନ୍ତି। ବିବାହ ନ କରିବାକୁ ସାନିଆ ନିଜ ଜିଦରେ ଅଟଳ ରହିବାରୁ ପରିବାର ଲୋକ ପାଠପଢ଼ାରେ ଡୋରି ବାନ୍ଧି ଦେଇଛନ୍ତି।

କାଶୀପୁର ମା ମାଣିକେଶ୍ବରୀ ମହାବିଦ୍ୟାଳୟରେ ପଢ଼ୁଥିବା ସାନିଆ ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ା ଶେଷ କରିଛନ୍ତି। କିନ୍ତୁ ବିବାହ ଠିକ୍ ହେବା ପରେ ପରିବାର ଲୋକ ଆଉ କଲେଜକୁ ଛାଡ଼ୁ ନାହାନ୍ତି। ୨୦୧୯ ମେ’୭ ତାରିଖରେ ସାନିଆଙ୍କ ବାହାଘର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍ ଗୁମର ଗ୍ରାମରେ ହେବାର ଥିଲା। ବିବାହ ପାଇଁ ଭୋଜିଭାତର ଆୟୋଜନ ହେବା ସହ ସାନିଆଙ୍କୁ ଶାଶୂ ଘରେ ଛାଡ଼ିବା ପାଇଁ ପରିବାର ଲୋକ ପ୍ରସ୍ତୁତି ଚଲାଇଥିଲେ। ଠିକ୍ ଏହି ସମୟରେ ଚାଇଲଡ୍ ଲାଇନ୍ କର୍ତୃପକ୍ଷ ସାନିଆଙ୍କ ଘରେ ପହଞ୍ଚି ବିବାହ ବନ୍ଦ କରିଦେଲେ। ୧୮ବର୍ଷ ନ ହେବା ପର୍ଯ୍ୟନ୍ତ ଝିଅର ବିବାହ ନ କରିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ପରିବାର ଲୋକଙ୍କ ଉପରେ ଏହାର ପ୍ରଭାବ ଆଦୌ ପଡ଼ି ନଥିଲା। ପରିବାର ଲୋକ ହିଁ ସାନିଆଙ୍କୁ ଅପହରଣ କରି ନେବାକୁ ଭାବି ସ୍ବାମୀଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ଅକ୍ଟୋବର ୨୮ ତାରିଖରେ ସଂପର୍କୀୟଙ୍କ ବିବାହ ଭୋଜି ଖାଇବାକୁ ଡାକି ନେଇ ଜିତେନ୍ ଗୌଡ ଓ ୪ ସହଯୋଗୀ ସାନିଆଙ୍କୁ ଅପହରଣ କରିନେବାକୁ ଉଦ୍ୟମ କଲେ। ଇ ନୋଭା କାର ଯୋଗେ ସାନିଆଙ୍କୁ କୋରାପୁଟ ଅଭିମୁଖେ ନେଉଥିବା ବେଳେ ବାନ୍ତି ହେଉଥିବା କହି ଗାଡ଼ିରୁ ଓହ୍ଲାଇ ଉଦ୍ଧାର ପାଇଁ ଚିତ୍କାର କରିଥିଲେ ସାନିଆ। ପାଖ ଗ୍ରାମବାସୀ ସାନିଆଙ୍କ ଚିତ୍କାର ଶୁଣି ଗାଡ଼ିକୁ ଲକ୍ଷ୍ମୀପୁର ଥାନା ତୟାପୁଟ ନିକଟରେ ଅଟକାଇ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ। ବର୍ତମାନ ସାନିଆ ସ୍ବଧାର ଗୃହରେ ଥିବା ବେଳେ ଅପହରଣ ମାମଲାରେ ୫ ଜଣଙ୍କୁ ଟିକିରି ପୁଲିସ୍ ଗିରଫ କରିବା ସହ ଇନୋଭା ଜବତ କରିଛି।
ସାନିଆଙ୍କ ଭଳି ଶର୍ମିଷ୍ଠା ମଧ୍ୟ ବାଲ୍ୟ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି। ରାମନାଗୁଡା ବ୍ଲକ୍ ବଡବାଙ୍ଗି ଗ୍ରାମର ଶର୍ମିଷ୍ଠା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବା ପରେ ପରିବାର ଲୋକ ବିବାହ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୬ବର୍ଷ ବୟସରେ ଗୁଡାରି ଅଞ୍ଚଳରେ ବିବାହ ଠିକ୍ କରିଥିବା ଜାଣିବା ପରେ ପ୍ରତିବାଦ କରିଥିଲେ ଶର୍ମିଷ୍ଠା। ପରିବାର ଲୋକଙ୍କୁ ବୁଝାଇଥିଲେ। କିଛି ସୁଫଳ ମିଳିନଥିଲା। ଜୁନ୍ ମାସରେ ବିବାହ ତାରିଖ ଧାର୍ଯ୍ୟ ହେବା ପରେ ଅଙ୍ଗନବାଡି କର୍ମୀ ଯମୁନା ମାଣ୍ଡାଙ୍ଗିଙ୍କୁ ଘଟଣା ସଂପର୍କରେ କହିଥିଲେ। ଯମୁନାଙ୍କ ପରାମର୍ଶକ୍ରମେ ଶର୍ମିଷ୍ଠା ରାମନାଗୁଡା ସିଡିପିଓ ଶାନ୍ତିଲତା ରଥଙ୍କ ମାଧ୍ୟମରେ ଚାଇଲଡ୍ ଲାଇନର ଦୃଷ୍ଟି ଆକର୍ଷଣ କରିଥିଲେ। ଚାଇଲଡ୍ ଲାଇନ୍ କର୍ତୃପକ୍ଷ ଶର୍ମିଷ୍ଠାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଆଇନ ସଂପର୍କରେ ଅବଗତ କରିବା ପରେ ପରିବାର ଲୋକ ବିବାହ ନିଷ୍ପତ୍ତିରୁ ଓହରିଥିଲେ। ସାହସ ଦେଖାଇ ନିଜ ଉଦ୍ୟମରେ ବାଲ୍ୟ ବିବାହକୁ ରୋକି ଥିବାରୁ ଜିଲ୍ଲା ପ୍ରଶାସନ ଶର୍ମିଷ୍ଠାକୁ ସାଧୁବାଦ ଜଣାଇଥିଲା। ଏଥି ସହିତ ପଛୁଆ ଅଞ୍ଚଳର ଜଣେ ଝିଅର ଏଭଳି ସାହାସିକତା ସଂପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଅବଗତ କରିଥିଲା। ଯେଉଁଥି ପାଇଁ ରାଜ୍ୟସ୍ତରରେ ଶର୍ମିଷ୍ଠାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଭାଗୀୟ ସଚିବ ଅନୁ ଗର୍ଗ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର