ଭଲ ଖବର: ଚାନ୍ଦା ଟଙ୍କାରେ ତିଆରିକଲେ ୪କିମି ରାସ୍ତା

ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ଝରିଗାଁ: ରାସ୍ତା ପାଇଁ ପ୍ରଶାସନ ସହଯୋଗ ନକରିବାରୁ ଗ୍ରାମବାସୀ ଅଣ୍ଟା ଭିଡ଼ିବା ସହିତ ଚାନ୍ଦା ଆଦାୟ କରି ୪କିମି ରାସ୍ତା ତିଆରି କରିଛନ୍ତି। ଟଙ୍କା ଆଦାୟ ପରେ ଆଉ ୨କିମି ରାସ୍ତା ତିଆରି କରିବେ ବୋଲି ଜଣାପଡ଼ିଛି। ଜିଲ୍ଲା ଝରିଗାଁ ବ୍ଲକ୍‌ରେ ଏହିଭଳି ଏକ ଘଟଣା ଘଟିଥିବା ବେଳେ ପ୍ରଶାସନ ଉପରେ ଲୋକଙ୍କର କିଭଳି ଆସ୍ଥା ତୁଟୁଛି, ଏହି ହେଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ। ବହୁବର୍ଷ ତଳେ ଝରିଗାଁ ବ୍ଲକ୍‌ର କିଛି ସାନ୍ତା ସଂପ୍ରଦାୟର ପରିବାର ସ୍ଥାୟୀ ଆଶ୍ରୟ ସହ ଜୀବିକା ସନ୍ଧାନରେ ରହିଥିଲେ। ହାତୀବାଡ଼ି ଠାରୁ ୬କିଲୋମିଟର ଦୂରରେ ଖାଲି ସ୍ଥାନ ଦେଖି ସେଠାରେ ବସତି ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ଜନସଂଖ୍ୟା ବଢ଼ିବାରୁ ଜନବସତିକୁ କଟଣାପାଣି ଗାଁ ବୋଲି ନାମ ଦେଇଥିଲେ।

ବର୍ତ୍ତମାନ ୩୦ରୁ ଊର୍ଦ୍ଧ୍ବ ପରିବାର ଦୁଇଟି ସାହିରେ ବସବାସ କରୁଛନ୍ତି। ଜଙ୍ଗଲ ଭିତରେ ପାଦଚଲା ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରି ଆସୁଥିଲେ। ପ୍ରାୟ ୧୦ବର୍ଷ ତଳେ ଗ୍ରାମବାସୀ ବାରମ୍ବାର ଦାବି କରିବାରୁ ପ୍ରଶାସନ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପକ୍କା ରାସ୍ତା ବଦଳରେ ଗାଁ ପର୍ଯ୍ୟନ୍ତ ୬କିଲୋମିଟର ମାଟି ରାସ୍ତା କରି ଛାଡ଼ି ଦେଇଥିଲା। ଲଗାତାର ବର୍ଷା ମାଡ଼ରେ ମାଟି ରାସ୍ତା ଧୋଇଯିବା କାରଣରୁ ରାସ୍ତାର ସ୍ବରୂପ ବଦଳି ପଥର ରାସ୍ତା ପାଲଟି ଯାଇଥିଲା। ବାଇକ୍‌ ଦୂରର କଥା ଚାଲି ଚାଲି ଯିବା ବି ସମ୍ଭବ ହୋଇ ନଥିଲା। ତଥାପି କୌଣସି ବିକଳ୍ପ ନଥିବାରୁ ତାହାକୁ ବ୍ୟବହାର କରି ଚାଲିଥିଲେ ଗ୍ରାମବାସୀ। ତେବେ, ପ୍ରଶାସନ ଉପରେ ଆସ୍ଥା ରଖି ଅପେକ୍ଷା କରିଥିଲେ ସୁଦ୍ଧା କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନଥିଲା। ଶେଷରେ ନିଜ ସମସ୍ୟାର ସମାଧାନ ନିଜେ କରିବେ ବୋଲି ସଂକଳ୍ପ ନେଇଥିଲେ ଗ୍ରାମବାସୀ। କିଛିଦିନ ତଳେ ଭାଗୀରଥି ସାନ୍ତାଙ୍କ ସଭାପତିତ୍ୱରେ ଗାଁରେ ବୈଠକ ହୋଇଥିଲା। ରାସ୍ତା ମରାମତି ପାଇଁ ପ୍ରତି ଘରୁ ଦୁଇ ହଜାର ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଲୋକେ ବି ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। କିଛି ପରିବାର ଟଙ୍କା ଦେବାପରେ ଗତକାଲି ଠାରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଛି। ଜେସିବି ମେସିନ୍‌ ଦ୍ବାରା ରାସ୍ତାକୁ ଖୋଳିବା ସହ ମରାମତି କରାଯାଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୪କିଲୋମିଟର ରାସ୍ତା ମରାମତି ହୋଇଛି। ଅବଶିଷ୍ଟ ପରିବାର ଟଙ୍କା ଦେବା ପରେ ଆଉ ୨କିଲୋମିଟର ରାସ୍ତା ମରାମତି କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର