କଟକ: ଜୀବନ ସଂଗ୍ରାମରେ ସେ କେବେ ବି ହାର୍ ମାନି ନାହାନ୍ତି। ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି। ଅଳ୍ପ ପାଠ ପଢ଼ିଥିଲେ ବି ନିଜର ବୁଦ୍ଧି ଓ ନିଷ୍ଠା ବଳରେ କଟକ ଜିଲ୍ଲା ସାଲେପୁର ବ୍ଳକ୍ ମହାଜନପୁର ଗ୍ରାମର ପ୍ରଦୀପ୍ତ କୁମାର ନାଥ (୪୯) ଛତୁଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟ ୩ଟି ପରିବାରକୁ ମଧ୍ୟ ରୋଜଗାର ଯୋଗାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦୀପ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍। ପରିବାର କହିଲେ ସ୍ତ୍ରୀ ସୁପ୍ରଭା, ଦୁଇ ଝିଅ ଓ ବୁଢ଼ା ବାପା। ପ୍ରଦୀପ୍ତ ପ୍ରଥମେ ଅଟୋ ଚଳାଉଥିଲେ। କିନ୍ତୁ ମାସକୁ ରୋଜଗାର ୭ ହଜାର ଟଙ୍କା ଭିତରେ ସୀମିତ ରହୁଥିଲା। ଝିଅ ଦୁହେଁ ଭଲ ପଢୁଥିବାରୁ ସେମାନଙ୍କ ପାଠପଢା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇ ପଡ଼ିଲା। ନିଜେ ଅଧିକ ପାଠ ପଢି ପାରି ନଥିବାରୁ ପିଲାଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବାକୁ ସ୍ବପ୍ନ ଦେଖୁଥିଲେ ପ୍ରଦୀପ୍ତ। ତେଣୁ ଅଧିକ ଅର୍ଥ ରୋଜଗାର ଆଶା ରଖି ୨୦୧୩ ମସିହାରୁ ଆରମ୍ଭ କଲେ ଛତୁଚାଷ। ଅଟୋ ଚଳାଇ ସଂଚୟ ରଖିଥିବା ୨୦ ହଜାର ଟଙ୍କାରେ ସେ ଦୁଇ ଗୁଣ୍ଠ ଜମିରେ ଆରମ୍ଭ କଲେ ଛତୁଚାଷ। ପ୍ରଥମେ ପ୍ରଥମେ ସେତେ ଭଲ ବ୍ୟବସାୟ ହୋଇ ନ ଥିଲେ ବି ପରବର୍ତ୍ତୀ ସମୟରେ ଭଲ ବ୍ୟବସାୟ ହେଲା। ଏବେ ତାଙ୍କ ଫାର୍ମରେ ମାସକୁ ୧୨ କ୍ବିଣ୍ଟାଲ ଛତୁ ଉତ୍ପାଦନ ହେଉଛି। ଘରୁ ପାଖାପାଖି ୨୫ କେଜି ଛତୁ ଲୋକ ଆସି ନେଉଛନ୍ତି। ବ୍ୟବସାୟ ପାଇଁ ବିଶେଷ କରି ଯୋବ୍ରା ବଜାର ଉପରେ ସେ ନିର୍ଭର କରନ୍ତି। ବସ୍ରେ ଘରୁ ଛତୁ ପ୍ୟାକିଂ କରି ଯୋବ୍ରାରେ ବସୁଥିବା ବ୍ୟବସାୟୀଙ୍କୁ ପଠାନ୍ତି। ବର୍ଷତମାମ୍ କେବଳ ପାଳ ଛତୁ ଚାଷ କରୁଥିବା ପ୍ରଦୀପ୍ତ ଭବିଷ୍ୟତରେ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବଡ଼ଝିଅ ଏକ ଘରୋଇ କଲେଜରେ ପଢୁଥିବା ବେଳେ ସାନ ଝିଅ ସପ୍ତମ ଶ୍ରେଣୀରେ ପଢୁଛି।
ପ୍ରଥମେ ସେ ନିଜସ୍ବ ଉଦ୍ୟମରେ ଛତୁ ଚାଷ ଆରମ୍ଭ କରିଥିବା ବେଳେ ଏବେ ଉଦ୍ୟାନ ବିଭାଗ ସହାୟତା ଦେଉଛି। ବିଭାଗ ମାଧ୍ୟମରେ ନେଇଥିବା ଦେଢ଼ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣରୁ ୧ଲକ୍ଷ ଟଙ୍କା ସବ୍ସିଡି ମିଳିବ ବୋଲି କୁହାଯାଇଛି। ନିଜ ପରିବାର ପୋଷିବା ସହ ଅନ୍ୟ ୩ଜଣଙ୍କୁ ନିଯୁକ୍ତି ଦେଇ ପ୍ରଦୀପ୍ତ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟ ହୋଇଛନ୍ତି। ପ୍ରଦୀପ୍ତଙ୍କ ସଂପର୍କରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ବୈଷ୍ଣବ ଚରଣ ବାରିକ କହନ୍ତି ଯେ, ‘ତାଙ୍କୁ ଆମେ ଜିଲ୍ଲାର ମାଷ୍ଟର ଟ୍ରେନର୍ ଭାବେ ଗ୍ରହଣ କରିଛୁ। ସେ ଜିଲ୍ଲାର ସମସ୍ତ ଆଗ୍ରହୀ ଗ୍ରୁପ୍ଙ୍କୁ ଛତୁଚାଷ ଉପରେ ତାଲିମ୍ ଦେବେ। କୃଷିମନ୍ତ୍ରୀ ମଧ୍ୟ ପ୍ରଦୀପ୍ତଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କ ସଂପର୍କରେ ରିପୋର୍ଟ ମାଗିଥିବା ଜଣା ପଡିଛି।