ସୁବ୍ରତ ସ୍ବାଇଁ
କେନ୍ଦୁଝର: ଜିଆଖତ ପାଇଁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ର ଆହରପଶି ଗାଁ ଏବେ ଚର୍ଚ୍ଚାରେ ରହିଛି। ଘରେ ଜିଆଖତ ପ୍ରସ୍ତୁତ କରିବା ପରେ ଏହାକୁ ବିକ୍ରି କରି ଗାଁର ମହିଳାମାନେ ଭଲ ରୋଜଗାର କରୁଛନ୍ତି। ଏମିତିକି ଜଣେଜଣେ ମହିଳା ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଆହରପଶି ଗାଁରେ ୯୨ଟି ପରିବାର ବାସ କରୁଛନ୍ତି। ଗ୍ରାମବାସୀ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସ୍ବାମୀମାନେ ଚାଷବାସ କରୁଥିବା ବେଳେ ମହିଳାମାନେ ଘର କାମ କରିବା ସହ ସ୍ବାମୀଙ୍କୁ ଚାଷରେ ସହଯୋଗ କରୁଥିଲେ। କିଛି ମହିଳା ଜଙ୍ଗଲରୁ କାଠପତ୍ର ସଂଗ୍ରହ କରୁଥିଲେ। ତେବେ ଗତ ଦୁଇବର୍ଷ ହେଲା ଜିଆଖତ ଏହି ଗ୍ରାମର ମହିଳାଙ୍କ ଜୀବନ ଧାରଣରେ ବଡ଼ ପରିବର୍ତ୍ତନ ଆଣିଛି। ଜିଆଖତ ବିକି ମହିଳାମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଖତ ପ୍ରସ୍ତୁତ କରିବାକୁ ପ୍ରଥମେ ମହିଳାମାନଙ୍କୁ ବନ ବିଭାଗ ପରାମର୍ଶ ଦେଇଥିଲା। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥାଏ।

Advertisment

ଏଥିପାଇଁ କୋଟିକୋଟି ଟଙ୍କାର ଖତ କିଣିବାକୁ ପଡ଼ିଥାଏ। ସ୍ଥ‌ାନୀୟ ଅଞ୍ଚଳରୁ ଖତ ମିଳିଲେ ବନ ବିଭାଗ ତାହାକୁ ସଂଗ୍ରହ କରି ବୃକ୍ଷରୋପଣ କାମରେ ବ୍ୟବହାର କରିବ ବୋଲି କହିଥିଲା। ବନ ବିଭାଗର ପରାମର୍ଶ ପରେ ଗାଁର କିଛି ମହିଳା ଗୋଟିଏ ଗୋଟିଏ କୁଣ୍ଡ ତିଆରି କରି ଗୋବର, ପରିବା ଚୋପା ଆଦି ପକାଇବା ସହ ସେଥିରେ ଜିଆ ଛାଡ଼ି ଖତ ତିଆରି କରିଥିଲେ। ‌ଗତବର୍ଷ ଏହି କାମ ମହିଳାମ‌ାନେ ଆରମ୍ଭ କରିଥିଲେ। ୬ ମାସ ପରେ କୁଣ୍ଡଟି ଖତରେ ଭର୍ତ୍ତି ହୋଇଗଲା। ବନ ବିଭାଗ ମଧ୍ୟ ସେମାନଙ୍କଠାରୁ ଖତ କିଣି ନେଇଗଲା। ଏହାପରେ ବନ ବିଭାଗ ସହଯୋଗରେ ମହିଳାମାନେ ଜିଆଖତ ପ୍ରସ୍ତୁତ ପାଇଁ ତାଲିମ ନେଇଥିଲେ। ଅଧିକ କୁଣ୍ଡରେ ଜିଆଖତ ତଆରି କଲେ। ଏବେ ଏହି ଗାଁର ମୋଟ ୯୨ଟି ପରିବାର ମଧ୍ୟରୁ ୮୨ଟି ପରିବାର ଜିଆଖତକୁ ବ୍ୟବସାୟ ଭାବେ ଗ୍ରହଣ କରିସାରିଛନ୍ତି।

ଜିଆଖତ ପ୍ରସ୍ତୁତ କରୁଥିବା ସୁମିତ୍ରା ଗିରିଙ୍କ ପରିବାର କହିଲେ ସ୍ବାମୀ ଏବଂ ପୁଅଝିଅ। ସ୍ବାମୀ ଚାଷ କରୁଥିବା ବେଳେ ସୁମିତ୍ରା ତାଙ୍କୁ ସହଯୋଗ କରୁଥିଲେ। ଚାଷରୁ ଯେଉଁ ଆୟ ହେଉଥିଲା, ‌ସେଥିରେ ପରିବାର ଚଳିବା କଷ୍ଟକର ହେଉଥିଲା। ଗତବର୍ଷ ବନ ବିଭାଗ ପରାମର୍ଶରେ ସୁମିତ୍ରା ୩୫୦୦ ଟଙ୍କା କରଜ କରି କୁଣ୍ଡରେ ଜିଆଖତ ପ୍ରସ୍ତୁତ କରିଥିଲେ। ପରେ ବନ ବିଭାଗ ତାଙ୍କଠାରୁ ଖତ କିଣି ନେଇଥିଲା। ଗତବର୍ଷ ସେ ୪୦ ହଜାର ଟଙ୍କାର ଖତ ବିକିଥିଲେ। ଏଥର ଉତ୍ସାହିତ ହୋଇ ୫ଟି କୁଣ୍ଡରେ ଜିଆଖତ ପ୍ରସ୍ତୁତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୪୧୨୫ କୁଇଣ୍ଟାଲ ଓ ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କୁଇଣ୍ଟାଲ ଜିଆଖତ ବିକ୍ରି କରିଛନ୍ତି। ଖତ କେଜି ୨୦ ଟଙ୍କା ହିସାବରେ ସେ ୧ ଲକ୍ଷ ୩୨ ହଜାର ଟଙ୍କା ରୋଜଗାର କରିଛନ୍ତି। ଗାଁର ଅନ୍ୟ ମହିଳାମାନେ ମଧ୍ୟ ଏବର୍ଷ ୮ ଲକ୍ଷ ୨୦ ହଜାର ଟଙ୍କାର ଜିଆଖତ ବିକ୍ରି କରିଥିବା ଜଣାପଡ଼ିଛି।

ସୁମିତ୍ରାଙ୍କ କହିବା ହେଲା, ଜିଆଖତ ବ୍ୟବସାୟ କଥା ଚିନ୍ତା କଲା ବେଳକୁ ପ୍ରଥମେ ହସ ଲାଗୁଥିଲା। ପ୍ରଥମ ବର୍ଷ ଖତ ବିକ୍ରି କରି ୪୦ ହଜ‌ାର ଟଙ୍କା ପାଇବା ପରେ ସାହସ ବଢ଼ିଥିଲା। ଏବର୍ଷ ସେ ୫ଟି କୁଣ୍ଡରେ ଜିଆଖତ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା କହିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ, ଅନେକ ସମୟରେ ବନ ବିଭାଗ ବୃକ୍ଷରୋପଣ ପାଇଁ ବାହାରୁ ଖତ କିଣୁଥିଲା। ଏତେ ଭଲ ଖତ ମିଳୁ ନଥିଲା। ସ୍ଥାନୀୟ ମହିଳାମାନଙ୍କୁ ଖତ ତିଆରି କରିବାକୁ ପ୍ରୋତ୍ସାହିତ କରାଯାଇଥିଲା। ବର୍ତ୍ତମାନ ବୃକ୍ଷରୋପଣ ପାଇଁ ଭଲ ଜିଆଖତ ମିଳୁଛି। ମହିଳାମାନେ ମଧ୍ୟ ଭଲ ରୋଜଗାର କରି ଜୀବିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ଧନରାଜ କହିଛନ୍ତି।