ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ର ଏକ ନିପଟ ପଲ୍ଲି ଫୁଲଧୁଡ଼ି। ଗାଁର ହାତଗଣତି କିଛି ପରିବାରକୁ ଛାଡ଼ିଦେଲେ ବାକି ସମସ୍ତେ ଥିଲେ ଦିନମଜୁରିଆ। ହାତକୁ କାମ କହିଲେ ବିଲରେ ଖଟିବା, ନହେଲେ କେବେ କେମିତି ଗାଁକୁ ଆସୁଥିବା ମନରେଗାର ମାଟିଖୋଳା। ମଜୁରି ଥିଲା ଦେଢ଼ଶହରୁ ଦୁଇଶହ। ସେତିକିରେ ପରିବାର ଚଳାଇବା କଷ୍ଟକର ଥିଲା। ହେଲେ ଏବେ ସେମାନେ ଲକ୍ଷପତି। ୫୦ ପରିବାରର ବାର୍ଷିକ ରୋଜଗାର ପ୍ରାୟ ଦେଢ଼ କୋଟି ଟଙ୍କା। ସବୁଠାରୁ ଉତ୍ସାହପ୍ରଦ କଥାଟି ହେଲା, ଗାଁର ଏହି ଲକ୍ଷପତି ତାଲିକାରେ ରହିଛି କେବଳ ମହିଳାଙ୍କ ନାଁ। ଭାଗ୍ୟ ବଦଳାଇଛି ଛତୁ ଓ ଜିଆଖତ ଚାଷ। ହାଣ୍ଡିଶାଳ, ବିଲ ଓ ମନରେଗା ମଜୁରିହାଟରୁ ମହିଳାଙ୍କୁ ଡାକି ଆଣି ଧରାଇ ଦେଇଛି ରୋଜଗାର ଭିନ୍ନ ପନ୍ଥା। ଗାଁର ପ୍ରତି ଘରେ ଛତୁଭାଡ଼ି। ସେଥିପାଇଁ ଫୁଲଧୁଡ଼ି ପାଇଛି ଛତୁ ଗାଁର ପରିଚୟ। ଗାଁରେ ବାସ କରନ୍ତି ପ୍ରାୟ ୬୦ ପରିବାର। ୧୦ ବର୍ଷ ତଳେ ସେଥି ମଧ୍ୟରୁ ୫୦ ପରିବାର ଚାଷ ନହେଲେ ଦିନମଜୁରି କରି ଚଳୁଥିଲେ। ବର୍ଷବର୍ଷ ଧରି ଏହାକୁ ହିଁ ସେମାନଙ୍କ କପାଳଲେଖା ଜୀବନଜୀବିକା ଭାବି ନେଇଥିଲେ। ସେମାନଙ୍କ ମନକୁ ଅନ୍ୟ ରୋଜଗାର ବା ଜୀବିକା କଥା ଆସୁ ନଥିଲା। ଆସିଲେ ବି ଏଥିପାଇଁ ବହୁ ଟଙ୍କା ଆବଶ୍ୟକ ଭାବି ଆଗକୁ ବଢ଼ୁ ନଥିଲେ। ୨୦୧୭ରେ ପ୍ରଥମକରି ଗାଁକୁ ଛତୁଚାଷ ପ୍ରବେଶ କରିଥିଲା।
ସୁନ୍ଦରଗଡ଼ର ତତ୍କାଳୀନ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର ନଡ଼ା ଓ ମଞ୍ଜି ଆଣି ଛତୁଚାଷ କରିବାକୁ ପ୍ରବର୍ତ୍ତାଇଥିଲେ। ସେତେବେଳେ ମାତ୍ର ୩ରୁ ୪ ଜଣ ମହିଳା ଛତୁଚାଷର ଖଡ଼ି ଛୁଇଁଥିଲେ। ସେମାନେ ଭଲ ରୋଜଗାର କରିବା ଦେଖି ଗାଁର ଅନ୍ୟ ମହିଳାଙ୍କ ଆଗ୍ରହ ବଢ଼ିଥିଲା। ଧୀରେଧୀରେ ୫୦ ପରିବାରର ସମସ୍ତ ମହିଳା ଏଥିରେ ସାମିଲ ହେଲେ। ଛତୁ ଚାଷ କରିବା ପାଇଁ ବନବିଭାଗ ଓ ଉଦ୍ୟାନକୃଷି ବିଭାଗ ବୈଷୟିକ ସହାୟତା ଯୋଗାଇଦେବା ସହ ଗୋଟିଏ ଲେଖାଁଏ ଛତୁଭାଡ଼ି ବା ଘର ତିଆରି କରି ଦେଇଛନ୍ତି। ଦିନକୁ ପ୍ରତି ପରିବାର ୮ରୁ ୧୦ କେଜି ପାଳଛତୁ ଅମଳ କରି କେଜି ପ୍ରତି ୩ ଶହ ଟଙ୍କା ଦରରେ ବିକ୍ରି କରୁଛନ୍ତି। ପାଳଛତୁର ଋତୁ ସରିବା ପରେ ଧିଙ୍ଗିରି ଛତୁ। ୮ ମାସ ଛତୁଚାଷ କରି ବେଶ୍ ଭଲ ରୋଜଗାର କରୁଛନ୍ତି।
ତେବେ କେବଳ ଛତୁଚାଷରେ ସୀମିତ ରହିନାହାନ୍ତି ଗାଁ ମହିଳା। ଏହା ସହ ଯୋଡ଼ି ଦେଇଛନ୍ତି ଜିଆଖତ ଚାଷ। ସେଥି ପାଇଁ ବନବିଭାଗ ପ୍ରତି ଘରେ ୨ରୁ ୩ଟି ସିମେଣ୍ଟ କୁଣ୍ଡ ତିଆରି କରିଦେଇଛି। ମହିଳାମାନେ ଜିଆଖତ ପ୍ରସ୍ତୁତ କରି ତାକୁ ବିକ୍ରି କରିବା ସହ ନିଜ ବିଲରେ ପକାଇ ଜୈବିକ କୃଷିପଦ୍ଧତିରେ ଧାନଚାଷ କରୁଛନ୍ତି। ଧାନ ଅମଳ ପରେ ନଡ଼ାକୁ କାଟି ଛତୁଚାଷ ପାଇଁ ଭାଡ଼ି ପ୍ରସ୍ତୁତିରେ ବ୍ୟବହାର କରୁଛନ୍ତି। ନଡ଼ା ଶଢ଼ିଗଲେ ତାକୁ କୁଣ୍ଡରେ ପକାଇ ଜିଆଖତ ଉତ୍ପାଦନ କରୁଛନ୍ତି। ଏହି ପ୍ରକ୍ରିୟାରେ ପ୍ରତି ପରିବାର ବାର୍ଷିକ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଚଳିତବର୍ଷ ଫୁଲଧୁଡ଼ିର ଜିଆଖତ ଅନ୍ତଃଜିଲ୍ଲାସ୍ତରରେ ଦେବଗଡ଼ରେ ବିକ୍ରିହୋଇ ମହିଳାଙ୍କ ହାତକୁ ୮.୮ ଲକ୍ଷ ଟଙ୍କା ଆସିଛି। ଏହି ଅବସରରେ ମହିଳାଚାଷୀ ବାସନ୍ତୀ କାଲୋ କହନ୍ତି, ‘ଦିନେ ପରିବାର ଚଳାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା, ପୁଅଝିଅଙ୍କୁ ଭଲସ୍କୁଲ କି କଲେଜରେ ପାଠ ପଢ଼ାଇବା ସ୍ବପ୍ନ ଥିଲା। ଏବେ ଏହି ରୋଜଗାରରୁ ପରିବାର ଆର୍ଥିକ ସକ୍ଷମ ହୋଇଛି। ଝିଅ ଦୀପା ରାଉରକେଲା ସରକାରୀ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ ପଢ଼ୁଛି। ଚାଷୀ କମଳା ପ୍ରଧାନ, କେତକୀ କାଲୋ, କୌଶଲ୍ୟା ନାଏକଙ୍କ ମୁହଁରେ ବି ସେହି ସମାନ କଥା। ମୁହଁରେ ଦିନମଜୁରିଆରୁ ଲକ୍ଷପତି ହେବାର ଖୁସି।