ଗଞ୍ଜାମ: ଗଞ୍ଜାମ ରେଳଷ୍ଟେସନ୍‌ରେ ଆଜି ଜଣେ ମହିଳା ଦହିବିକାଳି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ଅସାବଧାନତାବଶତଃ ଖସି ପଡ଼ିଥିଲେ। ତେବେ ଏକ ଦମ୍ପତି ତାଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ମାନବିକତାର ନିଦର୍ଶନ ଦେଖାଇଛନ୍ତି।

Advertisment

ସୂଚନାନୁସାରେ, ଗଞ୍ଜାମ ସହରର ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌ରେ କାର୍ଯ୍ୟରତ ତଥା ସ୍ବେଚ୍ଛାସେବୀ ପ୍ରଭାତରଞ୍ଜନ ପଟ୍ଟନାୟକ ଓ ପତ୍ନୀ ଗାୟତ୍ରୀ ବିଶାଖାପାଟଣା ଯିବାକୁ ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଗଞ୍ଜାମ ଷ୍ଟେସନ୍‌ରେ ଚଢ଼ିଥିଲେ। ଏହିସମୟରେ ଦହି ବିକୁଥିବା ଜଣେ ମହିଳା ବି ଚଢ଼ିବାକୁ ‌ଚେଷ୍ଟା କରୁଥିବା ସମ‌ୟରେ ଟ୍ରେନ୍‌ ଛାଡ଼ିଦେଇଥିଲା। ଫଳରେ, ମହିଳାଜଣକ ଖସିପଡ଼ିବା ସହ ଟ୍ରେନ୍ ସହ ଘୋ‌ଷାଡ଼ି ହୋଇ କିଛି ଦୂର ପଳାଇଥିଲେ। ଗୋଟିଏ ହାତରେ ଶିଡ଼ିକୁ ଧରିଥିଲେ। ତେବେ, ଅନ୍ୟ ଯାତ୍ରୀମାନେ କେବଳ ଦେଖଣାହାରୀ ସାଜିଥିବା ବେଳେ ପ୍ରଭାତ ତାଙ୍କ ଜୀବନ ବଞ୍ଚାଇବାକୁ ଆଗେଇଆସିଥିଲେ। ପ୍ରଭାତ ଉକ୍ତ ମହିଳାଙ୍କ ଦୁଇହାତକୁ ଧରି ଟାଣୁଥିବା ବେଳେ ପତ୍ନୀ ଚେନ୍ ପୁଲିଂ କରିଥିଲେ। ଟ୍ରେନ୍ ଅଟକିବା ଆଗରୁ ପ୍ରଭାତ ଉକ୍ତ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିସାରିଥିଲେ।
ପ୍ରଭାତଙ୍କ ସାହସିକତା ଓ ପତ୍ନୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଉକ୍ତ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ରେଳ‌ଷ୍ଟେସନ୍ କର୍ତ୍ତୃପକ୍ଷ ଓ ଗଞ୍ଜାମ ସହରବାସୀ ଦମ୍ପତିଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।