ଡାକ୍ତର, ଯନ୍ତ୍ରୀ, ଶିକ୍ଷକଙ୍କୁ ଖୁସି କଲେ: କ୍ୟାବିନେଟ୍‌ରେ ୧୭ଟି ପ୍ରସ୍ତାବକୁ ମୋହର

ଡାକ୍ତରଙ୍କ ଦୀର୍ଘ ଦିନ ଦାବି ପୂରଣ, ଡିଏସିପିକୁ ମୋହର, ଏଣିକି +୨ କଲେଜରେ ପିଜିଟି

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ପାକିସ୍ତାନ ସୀମା ଭିତରେ ଅତର୍କିତ ଭାବେ ଆକ୍ରମଣ କରି ଜୈସ୍‌-ଏ-ମହମ୍ମଦ କ୍ୟାମ୍ପଗୁଡ଼ିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଏଭଳି ଆଗୁଆ, ସାହସିକତା ପଦକ୍ଷେପକୁ ଦେଶବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତିି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାଜ୍ୟ ସରକାର। ଆଜି ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍‌ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁସେନାର କାର୍ଯ୍ୟକଳାପକୁ ଅଭିନନ୍ଦନ ଜଣାଇଥିଲେ। ଏ ନେଇ ସେ ଆଣିଥିବା ଏକ ସଂକଳ୍ପ ପ୍ରସ୍ତାବକୁ ବୈଠକରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା। ଏହାସହିତ କ୍ୟାବିନେଟ୍‌ରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ଏ ସମସ୍ତ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସବିଶେଷ ସୂଚନା ଦେଇଥିଲେ। ସେ କହିଲେ, ରାଜ୍ୟରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡର ପୁନର୍ବିନ୍ୟାସ କରାଯାଇଛି। ଫଳରେ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ନିଯୁକ୍ତି କାଳରେ ଅନ୍ୟୂନ ୩ଟି ପଦୋନ୍ନତି ପାଇପାରିବେ। ସେଗୁଡ଼ିକ ହେଉଛି ଯଥା: ବରିଷ୍ଠ ଶିକ୍ଷକ, ସ୍ନାତକ(ଗ୍ରାଜୁଏଟ୍‌) ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ। ଏଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ପଦବି ସୃଷ୍ଟି କରାଯିବା ସହିତ ପ୍ରଧାନ ଶିକ୍ଷକ ପଦବି ସଂଖ୍ୟା ମଧ୍ୟ ବହୁ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଫଳରେ ରାଜ୍ୟର ପ୍ରାୟ ୭୨୫୬୩ଜଣ ପ୍ରାଥମିକ ଶିକ୍ଷକ ଅବିଳମ୍ବେ ଉପକୃତ ହେବେ। ପରବର୍ତୀ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ଶିକ୍ଷକ ସୁବିଧା ପାଇପାରିବେ। ଏହି କ୍ୟାଡର ପୁନର୍ଗଠନ ପାଇଁ ଆବଶ୍ୟକ ସଂଶୋଧନ ଅଣାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ‌େର କାର୍ଯ୍ୟରତ ଶିକ୍ଷାଧିକାରୀଙ୍କ ପାଇଁ ଓଡ଼ିଶା ଶିକ୍ଷା ସେବା(ବିଦ୍ୟାଳୟ)ର ପୁନର୍ବିନ୍ୟାସ କରାଯାଇଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତାବଳୀ ନିୟମ, ୨୦୧୯ ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି।

ଓଡ଼ିଶା ଯାନ୍ତ୍ରିକ ସେବା କ୍ୟାଡର ପୁନର୍ବିନ୍ୟାସ

ସେହିପରି ପ୍ରତି ୭ ବର୍ଷରେ ଡାକ୍ତରଙ୍କୁ ନିଶ୍ଚିତ ପଦୋନ୍ନତି ମିଳିବ । ଏଥିପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ଗତିଶୀଳ ନିଶ୍ଚିତ ବୃତ୍ତି କ୍ରମୋନ୍ନତି ଯୋଜନା ବା ଡିଏସିପି ଲାଗୁ କରିବାକୁ ସ୍ବାସ୍ଥ୍ୟ ବିଭାଗ ଆଣିଥିବା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଡାକ୍ତରୀ ସେବା କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୭ ବର୍ଷ, ୧୪ ବର୍ଷ ଓ ୨୧ ବର୍ଷରେ ଅବିରତ କାର୍ଯ୍ୟ ସମ୍ପାଦନ ପରେ ୩ଟି ସ୍ତରରେ ନିଶ୍ଚିତ ପଦୋନ୍ନତି ମିଳିବ। ବର୍ତ୍ତମାନ ପ୍ରଚଳିତ ଥିବା ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା (ଚୟନ ପ୍ରବିଧି ଓ ସେବାସର୍ତ୍ତ) ନିୟମାବଳୀ,୨୦୧୭ ଅନୁସାରେ ଜଣେ କନିଷ୍ଠ-କ ବର୍ଗ ପାହ୍ୟାର ଡାକ୍ତରଙ୍କୁ ବରିଷ୍ଠ-କ ବର୍ଗ ପାହ୍ୟାକୁ ପଦୋନ୍ନତି ନିମନ୍ତେ ନିରବଚ୍ଛିନ ଭାବେ ୬ ବର୍ଷ କାର୍ଯ୍ୟ କରିବା ଆବଶ୍ୟକ ପଡ଼ୁଛି। ସେହିପରି ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଁ ଜଣେ ବରିଷ୍ଠ-କ ବର୍ଗ ଡାକ୍ତଙ୍କୁ ୧୦ବର୍ଷ କାର୍ଯ୍ୟ ସମ୍ପାଦନ କରିବାର ନିୟମ ରହିଛି। ଏବେ କ୍ୟାବିନେଟ୍ ସଂଶୋଧନ ପରେ ସେସବୁ ପଦବୀରେ ସ୍ଥାନ ଖାଲିଥାଉ କି ନଥାଉ ପ୍ରତି ୭ ବର୍ଷ ଅନ୍ତରରେ ଜଣେ ଡାକ୍ତରଙ୍କୁ ପଦୋନ୍ନତି ଏସବୁ ପାହ୍ୟାକୁ ପଦୋନ୍ନତି ମିଳିପାରିବ। ଜଳ ସଂପଦ, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରାୟ ୩୧୩୦ ଯନ୍ତ୍ରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ଇଞ୍ଜିନିୟରିଂ କ୍ୟାଡରର ପୁନର୍ବିନ୍ୟାସ ହୋଇଛି। ଏହି ପ୍ରକ୍ରିୟାରେ ବିଲୋପ ହୋଇଛି ଉପ ନିର୍ବାହୀ ଯନ୍ତ୍ରୀ ପଦବି। ଏଣିକି କେବଳ ସହକାରୀ ନିର୍ବାହୀ ଯନ୍ତ୍ରୀ ରହିବେ। ଅଧୀକ୍ଷଣ ଯନ୍ତ୍ରୀ(ଏସ୍‌ଇ)ର ୨ଟି ଲେଭଲ୍‌କୁ ଏକତ୍ର କରି ନୂଆ ଏସ୍‌ଇ ପଦବି ସୃଷ୍ଟି ହୋଇଛି। ଏସ୍‌ଇ ଓ ମୁଖ୍ୟଯନ୍ତ୍ରୀ(ସିଇ) ମଧ୍ୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବା ଏଏସ୍‌ଇ ନାମରେ ନୂଆ ପଦବି ସୃଷ୍ଟି କରାଯାଇଛି। ତେବେ ମୋଟ ଯନ୍ତ୍ରୀ ସଂଖ୍ୟା ଅପରିବର୍ତିତ ରହିଛି। ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା ପୁନର୍ବିନ୍ୟାସ ପ୍ରସ୍ତାବ ଉପରେ ବି ‌େମାହର ମାରିଛି କ୍ୟାବିନେଟ୍‌। ଏହି ନିଷ୍ପତ୍ତି ଅନୁଯାୟୀ ଜଣେ ଜେଇଙ୍କ ଏଇ ପଦବିକୁ ପଦୋନ୍ନତି ପାଇଁ ଆବାସିକ ଅବଧିକୁ ୪ ବର୍ଷରୁ ୧ ବର୍ଷକୁ ହ୍ରାସ, ଏଇ ପଦବି ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବି ପଦୋନ୍ନତିକୁ ୩୩ରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି ଜଳ ସଂପଦ ବିଭାଗରେ ସହକାରୀ ଯନ୍ତ୍ରୀ ପଦବିକୁ ପଦୋନ୍ନତି ପାଇବା ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟର +୨ କଲେଜରେ ପୋଷ୍ଟ ଗ୍ରାଜୁଏଟ୍‌ ଟିଚର(ପିଜିଟି) ରହିବେ। ସେମାନଙ୍କୁ ଓଡ଼ିଶା ଲୋକସେବା କମିସନ ନିଯୁକ୍ତି କରିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଆଣିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ସେହିପରି ୫୨ଟି ସରକାରୀ କଲେଜରେ ନିଯୁକ୍ତ ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି)ଙ୍କ ପାଇଁ କୌଣସି ନିଯୁକ୍ତି ନିୟମାବଳୀ ନାହିଁ। ଏଥିମଧ୍ୟରୁ ୧୯ଟି କଲେଜରେ ଏହି ବର୍ଗର ଶିକ୍ଷକ ପଦ ଖାଲି ପଡ଼ିଛି। ଏହି ପଦବିର ଗୁରୁତ୍ବ ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ କରିଥିବା ନିଯୁକ୍ତ ପ୍ରଣାଳୀ ଓ ସେବା ସର୍ତାବଳୀକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏହି ଶିକ୍ଷକଙ୍କ ନିଯୁକ୍ତିି ପ୍ରକ୍ରିୟା ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି) ପରିଚାଳନା କରିବ।

ପୂର୍ବରୁ କ୍ଷତିପୂରଣ ପ୍ରଦାନ ସମୟସୀମା ୩୦ ଦିନ ଥିଲା। ଖାଦ୍ୟ ଯୋଗାଣ ବିଭାଗ ଅଧୀନରେ ଥିବା ୫୧ଟି ଯୋଗାଣ ନିରୀକ୍ଷକ ଓ ୨୫ଟି ସହକାରୀ ଯୋଗାଣ ଅଧିକାରୀ(ସିଏସ୍‌ଓ) ପଦବି ବିଲୋପ ହୋଇଛି। ଏହା ପରିବର୍ତେ ୬୦ଟି ନୂଆ ଅତିରିକ୍ତ ଯୋଗାଣ ଅଧିକାରୀ, ୧୫ଟି ନୂଆ ମୁଖ୍ୟ ଯୋଗାଣ ଅଧିକାରୀ ଓ ଗୋଟିଏ ଯୋଗାଣ ଅଧିକାରୀ ପଦବି ସୃଷ୍ଟି ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ୧୫ଟି ଅଧିକ ଧାନ ଉତ୍ପାଦନକାରୀ ଜିଲ୍ଲାରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏ ନେଇ ନିଯୁକ୍ତି ନିୟମାବଳୀରେ ସଂଶୋଧନ ଅଣାଯାଇଛି।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଆଣିଥିବା ଆଇସିଟି ନୀତି ଏବଂ ଇଏସ୍‌ଡିଏମ୍‌ ଶିଳ୍ପରେ ପରିବର୍ତନ ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍‌। ଇତି ମଧ୍ୟରେ ମୂଲ୍ୟଯୁକ୍ତ କର(ଭାଟ୍‌) ବଦଳରେ ରାଜ୍ୟ ଜିଏସ୍‌ଟି ଲାଗୁ କରାଯାଇଛି। ଫଳରେ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିବା ଦିନଠାରୁ କିମ୍ବା ୨୦୧୭ ଜୁଲାଇ ୧ ତାରିଖଠାରୁ ରାଜ୍ୟରେ ପ୍ରତିଷ୍ଠା କରିଥିବା ଆଇଟି ସଂପର୍କିତ ଶିଳ୍ପଗୁଡ଼ିକ ପ୍ରଦାନ କରିଥିବା ଏସ୍‌ଜିଏସ୍‌ଟି ବାବଦ ଦେୟ ୫ ବର୍ଷ ପର୍ଯ୍ୟନ୍ତ ଫେରିପାଇବେ। ସେହିପରି ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍‌ ଡିଜାଇନ୍‌ ଏବଂ ମାନୁଫ୍ୟାକଚରି(ଇଏସ୍‌ଡିଏମ୍‌) ଶିଳ୍ପଗୁଡ଼ିକୁ ସବ୍‌ସିଡି ପ୍ରଦାନ ପାଇଁ ଯେଉଁ ନିୟମ ଥିଲା, ସେଥିରେ ପରିବର୍ତନ କରିଛନ୍ତିି ସରକାର। ପୂର୍ବରୁ ୨୦୦ କୋଟି ବା ତା’ଠାରୁ ଅଧିକ ପରିମାଣର ନିବେଶ ସହିତ ୫୦୦ ସଂଖ୍ୟକ ନିଯୁକ୍ତି ଦେଇଥିବା ଇଏସ୍‌ଡିଏମ୍‌ ଶିଳ୍ପଗୁଡ଼ିକୁ ସବ୍‌ସିଡି ପ୍ରଦାନ ନିୟମ ହୋଇଥିଲା। ତେବେ ଏହି ନିୟମ ‌ଯୋଗୁଁ ରାଜ୍ୟରେ ଇଏସ୍‌ଡିଏମ୍‌ ଶିଳ୍ପସଂସ୍ଥାକୁ ଆକର୍ଷଣ କରିହେଉନାହିଁ ଦର୍ଶାଇ ଏହାକୁ ‌େକାହଳ କରାଯାଇଛି ବୋଲି ମୁଖ୍ୟ ସଚିବ କହିଥିଲେ। ଏଣିକି ୫୦ କୋଟି ଟଙ୍କାର ନିବେଶ ଓ ବର୍ଷକୁ ୧୦୦ ସଂଖ୍ୟକ ନିଯୁକ୍ତି କ୍ରମରେ ୫ ବର୍ଷରେ ୫୦୦ ସଂଖ୍ୟକ ନିଯୁକ୍ତି ସୃଷ୍ଟି କଲେ ଏହି ଶିଳ୍ପ ସଂସ୍ଥା ପାଇଁ ସବ୍‌ସିଡି ଦିଆଯିବ।

ସମ୍ବନ୍ଧିତ ଖବର