ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍‌‌ରେ ଜଳମାର୍ଗ ସମ୍ପର୍କରେ କରିଥିବା ଘୋଷଣାରୁ ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳମାର୍ଗକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା ହୋଇଛି। ସେଥିରେ ଓଡ଼ିଶାର ଜାତୀୟ ଜଳମାର୍ଗ-୫ ରହିଛି। ଖଣି ସମୃଦ୍ଧ ଅଞ୍ଚଳ ତାଳଚେର, ଅନୁଗୁଳକୁ ଏହା ଶିଳ୍ପାଞ୍ଚଳ କଳିଙ୍ଗନଗର ଏବଂ ପାରାଦୀପ, ଧାମରା ବନ୍ଦରକୁ ଯୋଡ଼ିବ। ଏହି ସବୁ ଅଞ୍ଚଳରେ ଥିବା ଶିଳ୍ପଗୁଡ଼ିକ ପରିବେଶ ଅନୁକୂଳ ଉପାୟରେ ନିଜର କଞ୍ଚାମାଲ ଓ ଚୂଡ଼ାନ୍ତ ସାମଗ୍ରୀ ପରିବହନ କରିପାରିବେ। ତାଳଚେର ଓ ଅନୁଗୁଳରୁ କୋଇଲା ଜଳପଥ ଦେଇ କଳିଙ୍ଗନଗରରେ ଥିବା ବିଭିନ୍ନ କଳକାରଖାନା ଏବଂ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାରେ ପହଞ୍ଚିପାରିବ। ଏଥି ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଚୂଡ଼ାନ୍ତ ସାମଗ୍ରୀ ମଧ୍ୟ ଦୁଇ ବନ୍ଦରରେ ପହଞ୍ଚିପାରିବ। 

Advertisment

Uttar Pradesh: ଉତ୍ତରାରେ ଚାଞ୍ଚଲ୍ୟ: ଛୁରି ଭୁସି କିନ୍ନରଙ୍କୁ ମାରିଦେଲେ

ରେୟାର୍‌ ଆର୍ଥ କରିଡର୍‌ ସ୍ଥାପନ ହେବ
କଇଁଛ ଅଣ୍ଡାଦାନ ସ୍ଥଳ ବିକାଶ କରାଯିବ
ନଡ଼ିଆ, କାଜୁ ଚାଷ ଯୋଜନାର ସୁଫଳ ମିଳିବ

ଏହାଦ୍ବାରା ରାସ୍ତାରେ ହେଉଥିବା ଭାରି ଯାନ ଭିଡ଼ ଓ ତତ୍‌ ଜନିତ ପ୍ରଦୂଷଣ ହ୍ରାସ ହେବ। ଜାତୀୟ ରାଜପଥ ଓ ରାଜ୍ୟ ସଡ଼କ ଉପରୁ ଚାପ କମିବ। ରେଳପଥ ଉପରୁ ମଧ୍ୟ ଚାପ କମ୍‌ ହୋଇପାରିବ। 
ସେହିଭଳି, ରେୟାର ଆର୍ଥ ମ୍ୟାଗନେଟ୍‌ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଁ ପ୍ରକଳ୍ପ ଘୋଷଣା କରାଯାଇଛି। ଖଣିଜ ସମୃଦ୍ଧି ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ଡେଡିକେଟେଡ୍ ‌ ରେୟାର ଆର୍ଥ କରିଡର ପ୍ରତିଷ୍ଠା ଘୋଷଣା କରାଯାଇଛି। ଖଣି ଖନନ, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନରେ ଏହା ସହାୟକ ହେବ। ସଂପ୍ରତି ବିଶ୍ବବ୍ୟାପୀ ରେୟାର ଆର୍ଥ ହାସଲ କରିବା ଲାଗି ପ୍ରତିଯୋଗିତା ଚାଲିଥିବା ବେଳେ ଏହି ସ୍କିମ୍‌ ଜରିଆରେ ଭାରତ ନିଜକୁ ଏକ୍ଷେତ୍ରରେ  ଆତ୍ମନିର୍ଭରଶୀଳ କରିବାକୁ ବଜେଟ୍‌ରେ ଏହି ଘୋଷଣା କରିଛି। ରେୟାର୍‌ ଆର୍ଥରେ ପ୍ରସ୍ତୁତ ଉପାଦାନକୁ ଇଲେକ୍ଟ୍ରିନ ଯାନଠାରୁ ଆରମ୍ଭ କରି ସୌର ପ୍ରକଳ୍ପ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦିରେ ବ୍ୟବହାର କରାଯାଉଛି। ଓଡ଼ିଶା ରେୟାର୍‌ ଆର୍ଥରେ ଆଗରେ ରହିଲେ ଭବିଷ୍ୟତରେ ଏହି ସବୁ କ୍ଷେତ୍ରର ପୁଞ୍ଜିନିବେଶ ହାତେଇବା ସହଜ ହେବ। 

Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ସେହିଭଳି ପର୍ଯ୍ୟଟକମାନଙ୍କୁ ଉନ୍ନତ ଅନୁଭୂତି ଦେବାଲାଗି ବଜେଟ୍‌ରେ  କରାଯାଇଥିବା ଘୋଷଣାରେ ଓଡ଼ିଶା ସ୍ଥାନ ପାଇଛି। ଓଡ଼ିଶା, କର୍ଣ୍ଣାଟକ ଏବଂ କେରଳର ଉପକୂଳ ଅଞ୍ଚଳରେ କଇଁଛଙ୍କ ପ୍ରମୁଖ ଅଣ୍ଡାଦାନ ସ୍ଥଳଗୁଡ଼ିକର ବିକାଶ କରାଯିବ ବୋଲି କୁହାଯାଇଛି। ଉପକୂଳ କାର୍ଗୋ ପ୍ରୋତ୍ସାହନ ଯୋଜନା ଦ୍ବାରା ଓଡ଼ିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଉପକୃତ ହେବେ। ଏହା ଅନ୍ତର୍ଦେଶୀୟ ଜଳମାର୍ଗ ଓ ଉପକୂଳ ଜାହାଜ ଚଳାଚଳକୁ ବଢ଼ାଇବ। ଦେଶରେ ୧୫ଟି ପ୍ରତ୍ନତାତ୍ତ୍ବିକ କ୍ଷେତ୍ର ବିକାଶ କରାଯିବ। ବିକାଶ ଓ ନିଯୁକ୍ତି ସୁଯୋଗକୁ ତ୍ବରାନ୍ବିତ କରିବା ପାଇଁ ପୂର୍ବୋଦୟ ରାଜ୍ୟ ଓ ଉତ୍ତର-ପୂର୍ବ କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ। ୫ ପୂର୍ବୋଦୟ ରାଜ୍ୟରେ ୫ଟି ପର୍ଯ୍ୟଟନ ସ୍ଥଳ ସୃଷ୍ଟି ଓ ୪୦୦୦ ଇ-ବସ୍‌ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ନଡ଼ିଆ ଓ କାଜୁ ଚାଷ ପ୍ରୋତ୍ସାହନ ଯୋଜନାରୁ ମଧ୍ୟ ଓଡ଼ିଶା ଉପକୃତ ହେବ। ଷୋଡ଼ଶ ଅର୍ଥ ଆୟୋଗ ରାଜ୍ୟମାନଙ୍କୁ ୧.୪ ଲକ୍ଷ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବାକୁ ଥିବାରୁ ସେଥିରୁ ମଧ୍ୟ ଓଡ଼ିଶା ଉପକୃତ ହେବ।