ସୋମନାଥ ପରିଡ଼ା
ଭୁବନେଶ୍ବର: ଆଲୋକ ରଂଜନ ଦାସ। ପେସାରେ ଶିକ୍ଷକ, ନିଶା ତାଙ୍କର ସମାଜସେବା। ରକ୍ତର ଆବଶ୍ୟକତା ପୂରଣ କରିବାକୁ ସତେଯେମିତି ସେ ପଣ କରିଛନ୍ତି। ଚିହ୍ନା-ଅଚିହ୍ନା, ଧନୀ-ଦରିଦ୍ର, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଯେକୌଣସି ରୋଗୀଙ୍କର ରକ୍ତ ଆବଶ୍ୟକ ଥିବା ଖବର ପାଇଲେ ସେଇ କ୍ଷଣି ସେ ଧାଇଁ ଯାଆନ୍ତି। ନିଜର ଗ୍ରୁପ୍ ରୋଗୀଙ୍କ ସହ ମିଶିଲେ ରକ୍ତଦାନ କରନ୍ତି, ନଚେତ୍ ରକ୍ତତାଦାଙ୍କୁ ଖୋଜି ଆଣନ୍ତି। ରକ୍ତଦାତା ନମିଳିବା ଯାଏ ବିଶ୍ରାମ ନେବାକୁ ସେ କୁଣ୍ଠାବୋଧ କରିଥା’ନ୍ତି। ଜଗତ୍ସିଂହପୁରଠାରୁ ଆରମ୍ଭ କରି କଟକ ଓ ଭୁବନେଶ୍ବରରେ ଦୀର୍ଘ ୧୪ବର୍ଷ ଧରି ସେ ହଜାରହଜାର ଲୋକଙ୍କୁ ସେବା ଯୋଗାଇ ଆସିଛନ୍ତି। ନିଜେ ପ୍ରାୟ ୫୦ଥର ରକ୍ତଦାନ ଓ ୩ଶହରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି।
ଆଲୋକଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ୍ର ଗରାମ ଗାଁରେ। ବାପା କଣ୍ଡୁରୀ ଚରଣ ଦାସ ଚାଷ କରୁଥିବା ବେଳେ ବୋଉ ଅଲତାରାଣୀ ବେହେରା ସରକାରୀ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ପିଲା ଦିନୁ ଗାଁରେ ପୋଖରୀରୁ ଦଳ ସଫା କରିବାଠାରୁ ଆରମ୍ଭ କରି ରାସ୍ତା ମରାମତି କରିବା ଭଳି କାମ କରିବାକୁ ଆଗକୁ ଆସୁଥିଲେ। ଧୀରେ ଧୀରେ ସ୍କୁଲ୍ ଓ କଲେଜ୍ରେ ମଧ୍ୟ ତାଙ୍କର ସେବା କରିବାର ମନୋବୃତ୍ତି ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଅଭାବ ଅନଟନରେ ପାଠ ପଢ଼ି ପାରୁନଥିବା ଶତାଧିକ ପିଲାଙ୍କୁ ସେ ସହଯୋଗର ହାତ ବଢ଼ାଇଛନ୍ତି। ଏବେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ସ୍କୁଲ୍ ପରେ ଟିଉସନ୍ ନକରି ପିଲାଙ୍କୁ ମାଗଣାରେ ପଢ଼ାଇବା, ବହି ଖାତା କିଣି ଦେବା ତାଙ୍କର ନିତିଦିନିଆ କାମ। ନିଜ ଦରମା ଟଙ୍କାରେ ଅଭାବୀ ରୋଗୀଙ୍କୁ ଔଷଧ କିଣି ଦେବାରେ ତାଙ୍କର ଅନେକ ଉଦାହରଣ ରହିଛି। ଏସବୁ ସହ ସେ ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି।
୨୦୦୮ ମସିହାରେ ୧୮ବର୍ଷ ବୟସରେ ସେ ପ୍ରଥମ ରକ୍ତଦାନ କରିଥିଲେ। ଏହାପରେ ପ୍ରତି ତିନି ମାସକୁ ସେ ରକ୍ତଦାନ କରି ଚାଲିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେ ନିଜେ ରକ୍ତଦାନ କରିବା ସହ ଗାଁ ଗହଳିରେ ରକ୍ତଦାନ କରିବାକୁ ଭୟ କରୁଥିବା ମହିଳା ଓ ଯୁବକ/ଯୁବତୀଙ୍କୁ ରକ୍ତଦାନର ମହତ୍ବ ସମ୍ପର୍କରେ ବୁଝାଇ ଆସୁଛନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ ରକ୍ତଦାନ ଅଭିଯାନରେ ନିଜକୁ ସାମିଲ କରି ସେ ଏକାଧିକ ଶିବିର ଆୟୋଜନ କରିଛନ୍ତି। ନିଜସ୍ବ ଉଦ୍ୟମରେ ମଧ୍ୟ ସେ ୩ଶହରୁ ଅଧିକ ରକ୍ତଦାନ ଶିବିର କରି ରକ୍ତର ଅଭାବକୁ ପୂରଣ କରିଛନ୍ତି। ଏମିତିକି ସେ ନିଜ ବିବାହ ଚତୁର୍ଥୀ ଦିନ ନବଦମ୍ପତ୍ତି ରକ୍ତଦାନ କରି ଚର୍ଚ୍ଚାକୁ ଆସିଥିଲେ। ବିବାହ, ଜନ୍ମଦିନ, ଶୁଦ୍ଧିକ୍ରିୟାରେ ରକ୍ତଦାନ କରିବାକୁ ସେ ସବୁବେଳେ କ୍ୟାମ୍ପେନ୍ କରିଆସୁଛନ୍ତି।
ଅନ୍ୟପଟେ ତାଙ୍କ ଭାଇ ରଶ୍ମି ରଂଜନ ଦାସ ଆଜି ଯାଏ ପ୍ରାୟ ୩୬ଥର ରକ୍ତଦାନ କରିସାରିଲେଣି। ରଶ୍ମି ଚଳାଉଥିବା ‘ହୋଟେଲ୍ ମାଉସୀମା’ର ଲାଭାଶଂରୁ ୧୦ ପ୍ରତିଶତ ସେ ଏଭଳି ମହାନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିଥା’ନ୍ତି। ଆଲୋକ କୁହନ୍ତି, ଲୋକଙ୍କ ସେବାରେ ଆସିପାରିବା ମୋ ପାଇଁ ଓ ମୋ ପରିବାର ପାଇଁ ସବୁଠାରୁ ବଡ଼ କଥା। ‘ସମ୍ବାଦ-ଆମ ଓଡ଼ିଶା’ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ’ ଆହ୍ବାନ ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। ତେଣୁ ରକ୍ତ ଅଭାବକୁ ଲୋକଙ୍କୁ ଅନୁଭବ କରାଇ ନଦେବାକୁ ଆମର ଅଭିଯାନ ଜାରି ରହିଛି।