ଭଲ ଖବର: ୪୦୦ ଚକ୍ଷୁଦାନ କଲାଣି ଫ୍ରେଣ୍ଡ୍‌ସ ହେଲ୍ପିଂ କ୍ଲବ୍‌

ଆଲୋକିତ କରୁଛନ୍ତି ଦୃଷ୍ଟିହୀନଙ୍କ ଦୁନିଆ

ବ୍ରହ୍ମପୁର: ଚକ୍ଷୁହୀନଙ୍କ ଦୁନିଆକୁ ଆଲୋକିତ କରିବାରେ ସହଯୋଗ କରି ଆସୁଛି ବ୍ରହ୍ମପୁର ସହରର ସର୍ବପୁରାତନ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଫ୍ରେଣ୍ଡ୍‌ସ ହେଲ୍ପିଂ କ୍ଲବ୍‌’। ଚକ୍ଷୁଦାନ ଭଳି ମହତ କାର୍ଯ୍ୟ ହାତକୁ ନେଇ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ଲୋକଙ୍କୁ ସଚେତନ କରି ଆସୁଛନ୍ତି ଏହି ଅନୁଷ୍ଠାନ। ଏବେ ସୁଦ୍ଧା ୪ଶହରୁ ଅଧିକ ଲୋକଙ୍କ ଚକ୍ଷୁଦାନ କରାଯାଇ ସାରିଥିବା କ୍ଲବ୍‌ର ଉପସଭାପତି ଜାମୁଲା ସୁରେଶ ସୂଚନା ଦେଇଛନ୍ତି। ଏଣୁ ଏହି ଅନୁଷ୍ଠାନ ସମଗ୍ର ଦକ୍ଷିଣ ଓଡ଼ିଶାରେ ଚକ୍ଷୁଦାନ ଅଭିଯାନର କର୍ଣ୍ଣଧାର ସାଜିଛି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ। ଗରିବ ପିଲାଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟ ନେଇ ୧୯୭୦ ମସିହାରେ ବ୍ରହ୍ମପୁର ସହରରେ ଥିବା ସିଟି ହାଇସ୍କୁଲର କିଛି ଛାତ୍ର ପ୍ରତିଷ୍ଠା କରିଥିଲେ ଫ୍ରେଣ୍ଡ୍‌ସ ହେଲ୍ପିଂ କ୍ଲବ୍‌। ଗରିବ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ଯୋଗାଡ଼ ସହିତ ସ୍କୁଲରେ ନାମ ଲେଖାଇବାରେ ସହଯୋଗ କରିବା ଲକ୍ଷ୍ୟ ନେଇ କ୍ଲବ୍‌ ପ୍ରତିଷ୍ଠା ହୋଇଥିଲା। ୧୯୮୨ରେ କ୍ଲବ୍‌ ତରଫରୁ ସ୍ବାସ୍ଥ୍ୟ ବିଭାଗର ସହ‌ଭାଗିତାରେ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ୧୯୭୮ରେ ଆରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଅନୁଷ୍ଠାନ ତରଫରୁ ୨୦୦୦ ମସିହାରେ ଏବିଭିଡି(ଆସୋସିଏସନ୍‌ ଅଫ୍‌ ଭଲ୍ୟୁଣ୍ଟାରି ବ୍ଲଡ୍‌ ଡୋନର୍‌) ନାମରେ ଏକ ସ୍ବତନ୍ତ୍ର ୱିଙ୍ଗ୍‌ ଗଠନ କରା ଯାଇଥିଲା। ଏହି ୱିଙ୍ଗ୍‌ କେବଳ ରକ୍ତଦାନ ପାଇଁ କାମ କରିବା ଆରମ୍ଭ କରିଥିଲା।

୨୦୦୧ରେ କ୍ଲବ୍‌ର ସହଯୋଗରେ ପ୍ରଥମ ଚକ୍ଷୁଦାନ ହୋଇଥିଲା। କ୍ଲବ୍‌ର ପୂର୍ବତନ ସଭାପତି ଭି. ଶ୍ରୀରାମୁଲୁ ଛତ୍ରପୁରରୁ ବ୍ରହ୍ମପୁର ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଥିଲା। ଏଣୁ କ୍ଲବ୍‌ ଓ ସ୍ବର୍ଗତ ଶ୍ରୀରାମୁଲୁଙ୍କ ପରିବାରବର୍ଗଙ୍କ ସହମତି କ୍ରମେ ପ୍ରଥମ ଥର ପାଇଁ ଏକ ଅନୁଷ୍ଠାନର ସହଯୋଗରେ ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ଚକ୍ଷୁଦାନ କରାଯାଇଥିଲା ବୋଲି ଉପସଭାପତି ସୁରେଶ କହିଛନ୍ତି। ଏବେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ଲବ୍‌ର ସହଯୋଗରେ ଚକ୍ଷୁଦାନ କରାଯାଉଛି। ଚଳିତ ବର୍ଷ ଫ୍ରେଣ୍ଡ୍‌ସ ହେଲ୍ପିଂ କ୍ଲବ୍‌ର ସହଯୋଗରେ ୧୬ଜଣଙ୍କ ଚକ୍ଷୁଦାନ କରାଯାଇ ସାରିଥିବା ଉପସଭାପତି ସୁରେଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର