ଆମେରିକା, ନ୍ୟୁଜିଲ୍ୟାଣ୍ତ୍‌ରୁ ଆସୁଥିଲା ବିପୁଳ ଟଙ୍କା : ବର୍ଷକରେ ଆସିଛି ସାଢେ ୧୪ କୋଟି

ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା

ଢେଙ୍କାନାଳ : ‘ଗୁଡ଼୍‌ ନ୍ୟୁଜ୍‌ ଇଣ୍ତିଆ ସେଲ୍‌ଟର ହୋମ୍‌’ ଚଳାଇବା ପାଇଁ ଆମେରିକା, ନ୍ୟୁଜିଲ୍ୟାଣ୍ତ୍‌ ଭଳି ସୁଦୂର ବିଦେଶୀ ମାଟିରୁ ଓଡ଼ିଶାକୁ ଆସୁଥିଲା ମୋଟା ଅଙ୍କର ଟଙ୍କା। କୋଟିଏ କି ଦୁଇ କୋଟି ନୁହେଁ, ବର୍ଷକୁ ୧୧କୋଟିର ପାଣ୍ଠି ଦେଉଥିଲେ ବିଦେଶୀ। କେବଳ ସେତିକି ନୁହେଁ, ଭାରତର ଅନ୍ୟାନ୍ୟ ରାଜ୍ୟରୁ ବି ଅନୁଷ୍ଠାନ ବଦାନ୍ୟତା ଦେଖାଇଥିଲେ। ହିସାବ କଲେ, କେବଳ ଓଡ଼ିଶାର ୨୫ଟି ସେଲ୍‌ଟର ହୋମ୍‌ ପାଇଁ ବାର୍ଷିକ ୧୪କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ଗୁଡ଼୍‌ ନ୍ୟୁଜ୍‌ ଇଣ୍ତିଆର ଢେଙ୍କାନାଳ ବେଲ୍‌ଟିକିରି ଘଟଣାରେ ଏହାର ବିଦେଶୀ ଲିଙ୍କ୍‌କୁ ନେଇ ପୁଲିସ ଖୋଳତାଡ଼ ଚଳାଇଥିବା ବେଳେ ଅନୁଷ୍ଠାନର ଅଧୢକ୍ଷ ଡ. ଫୟାଜ୍‌ ରେହମାନଙ୍କ ଓକିଲ ଅମ୍ରିତ୍‌ ଦାସ ଗଣମାଧୢମ ସାମ୍ନାରେ ବିଦେଶୀ ପାଣ୍ଠିର ସବୁ ତଥ୍ୟ ଖୁଲାସା କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ କେଉଁ ଦେଶ କେତେ ଟଙ୍କା ପଠାଇଛନ୍ତି ତାର ପୂରା ବିବରଣୀ ଗଣମାଧୢମକୁ ଦେଇଛନ୍ତି।

ତଥ୍ୟ ମୁତାବକ, ଗୁଡ଼୍‌ ନ୍ୟୁଜ୍‌ ଇଣ୍ତିଆ ୟୁଏସ୍‌ଏ ଶାଖାରୁ ୬ ଏପ୍ରିଲ ୨୦୧୭ତାରିଖରୁ ୨୭ଫେବ୍ରୁଆରି ୨୦୧୮ ମଧୢରେ ୧୫ଥର ଟଙ୍କା ଅସିଛି। ଏତିକି ସମୟ ମଧୢରେ ଓଡ଼ିଶାକୁ ୧୦କୋଟି ୬୧ଲକ୍ଷ ୪୭ହଜାର ୭ଶହ ବିଦେଶୀ ପୁଞ୍ଜି ଆସିଥିବାବେଳେ ଗୁଡ଼୍‌ ନ୍ୟୁଜ୍‌ ଇଣ୍ତିଆ ଡ୍ରିମ୍‌ ସେ˚ଟର ନ୍ୟୁଜିଲ୍ୟାଣ୍ତ ଶାଖା ପଠାଇଛି ୫୬ ଲକ୍ଷ ୭୯ ହଜାର ୪୩ଟଙ୍କା। ୨୦୧୭ ମେ ୧୫ତାରିଖରୁ ୨୦୧୮ ଫେବ୍ରୁଆରି ୧୪ ତାରିଖ ମଧୢରେ ୬ଟା କିସ୍ତିରେ ଏହି ଟଙ୍କା ଦିଆଯାଇଛି। ମୋଟ୍‌ ହିସାବ କଲେ, ଉଭୟ ଦେଶ ଓଡ଼ିଶାକୁ ୧୧କୋଟି ୧୮ଲକ୍ଷ ୨୬ହଜାର ୭୪୩ଟଙ୍କା ଦେଇଛନ୍ତି। ଏ ସବୁ ଟଙ୍କା ଡ. ରେହମାନଙ୍କ ବିଦେଶୀ ବନ୍ଧୁମାନେ ପଠାଉଥିଲେ। କେବଳ ବିଦେଶୀ ବନ୍ଧୁ ନୁହନ୍ତି, ଭାରତରେ ଥିବା ସାଙ୍ଗମାନେ ମଧୢ ଓଡ଼ିଶା ପାଇଁ ଦୟାବାନ ହୋଇଥିଲେ। ଗତ ଆର୍ଥିକ ବର୍ଷରେ ଭାରତରୁ ଏଥିପାଇଁ ୩୪ଲକ୍ଷ ୮୦ହଜାର ୯୮୬ ଟଙ୍କା ଅନୁଦାନ ମିଳିଥିଲା। ପୂର୍ବରୁ ଅନୁଷ୍ଠାନ ନାଁରେ କିଛି ଟଙ୍କା ଥିଲା। ସବୁ ମିଶାଇଲେ ଗତ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୪କୋଟି ୩୯ଲକ୍ଷ ୫୧ହଜାର ୫୫୯ଟଙ୍କା ଏହି ସଂସ୍ଥା ଖର୍ଚ୍ଚ କରିଛି ବୋଲି ଆଇନଜୀବୀ ଶ୍ରୀ ଦାସ କହିଛନ୍ତି। ସେଥିରୁ କେବଳ ଢେଙ୍କାନାଳ ବେଲ୍‌ଟିକିରି ସେ˚ଟର ପାଇଁ ୧୮ଲକ୍ଷ ୭୩ହଜାର ୭୨୮ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ତଦନ୍ତ ଆଳରେ ଢେଙ୍କାନାଳ ଜିଲ୍ଲା ପୁଲିସ ସେଲଟର ହୋମ ସମ୍ପର୍କିତ ସବୁ ତଥ୍ୟ ଲୁଚାଉଥିବା ବେଳେ ଡ. ରେହମାନଙ୍କ ଓକିଲ ଶ୍ରୀ ଦାସଙ୍କ ଏପରି ଖୁଲାସା ମାମଲାକୁ ଆହୁରି ସରଗରମ କରିଦେଇଛି।

ସମ୍ବନ୍ଧିତ ଖବର