ଟିଟିଲାଗଡ଼: ଦିନେ ଦିନମଜୁରିଆ କାମ କରୁଥିଲେ। ଏବେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଖୋଲାଣ ପଞ୍ଚାୟତର ଯାଜ୍ଞସେନୀ ପୁଟେଲ। ଏକଦା ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଆସୁଥିବା ଯାଜ୍ଞସେନୀ ଏବେ ନିଜ ଗାଁର ଅନେକ ମହିଳାଙ୍କୁ ତାଲିମ ଓ ନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିଛନ୍ତି।
୨୦୧୪ ମସିହାରେ ସେ ଗାଁର କେତେକ ମହିଳାଙ୍କୁ ନେଇ ମଦର ଟେରେସା, ମା’ ଗାୟତ୍ରୀ ନାମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିଥିଲେ। ଏହି ଗୋଷ୍ଠୀର ସଦସ୍ୟାମାନେ ପ୍ରଥମେ ବଡ଼ି ଓ ପାମ୍ପଡ଼ ତିଆରି ବିକ୍ରି କରିଥିଲେ। ଭଲ ଲାଭ ପାଇବା ପରେ ଛଅଟି ସିଲେଇ ମେସିନ ଆଣି ଗାଁରେ ଟେଲରିଂ କାମ ଆରମ୍ଭ କରିଥିଲେ। କରୋନା କାଳରେ ବିଭିନ୍ନ ପ୍ରକାର ମାସ୍କ ତିଆରି କରି ସାଧାରଣ ଲୋକଙ୍କୁ ମାଗଣାରେ ବାଣ୍ଟିବା ସହ ବିଭିନ୍ନ ପଂଚାୟତରେ ରିହାତି ଦରରେ ମାସ୍କ ଯୋଗାଇ ଉଦାହରଣ ସୃଷ୍ଟି କରିଥିଲେ। ପରେ କେତେକ କପଡ଼ା ବ୍ୟବସାୟୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ବ୍ଲାଉଜ୍, ସାୟା ଆଦି ସିଲେଇ କରି ଯୋଗାଉଛନ୍ତି। ଏହି କାମରେ ସେ ଗୋଷ୍ଠୀର ୧୨ ଜଣ ସଦସ୍ୟାଙ୍କୁ ରୋଜଗାର ଦେଇପାରୁଛନ୍ତି।
ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବେ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଛି ନିମନ୍ତ୍ରଣ
ଏହା ସହ ଗାଁର ଅନେକ ଯୁବତୀ ଓ ମହିଳାଙ୍କୁ ମଧ୍ୟ ସେ ସିଲେଇ ତାଲିମ ଦେବା ସହ ରୋଜଗାରକ୍ଷମ କରି ପାରୁଛନ୍ତି। ଖୋଲାଣ ଗାଁରେ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ହୋଇଥିବା ଅମୃତ ସରୋବର ଯୋଜନାରେ ଯାଜ୍ଞସେନୀ ପ୍ରଥମେ ଶ୍ରମିକ ଭାବେ କାମ କରୁଥିଲେ। ଏହା ପରେ ସେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଥିବାରୁ ସମସ୍ତଙ୍କ ନଜରକୁ ଆସିଥିଲେ। ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୭ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହେବାକୁ ସେ ଏବେ ଦିଲ୍ଲୀରୁ ଡାକରା ପାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଛି। ଏବେ ବି ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଘରେ ଦୁଇ ଝିଅ ଲଳିତା ପୁଟେଲ, କସ୍ତୁରୀ ପୁଟେଲ, ପୁଅ ଈଶ୍ୱର ପୁଟେଲଙ୍କ ପାଠପଢ଼ା ସହ ପରିବାରର ଦାୟିତ୍ୱ ନିଜେ ସମ୍ଭାଳୁଛନ୍ତି ଯାଜ୍ଞସେନୀ।