କେନ୍ଦୁଝର: ପାରମ୍ପରିକ ଖାଦ୍ୟଶୈଳୀରୁ ବାହାରି ମାଣ୍ଡିଆ ପରି ଶସ୍ୟରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି କେନ୍ଦୁଝର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କେନ୍ଦୁଝର ଜାମୁହୋତାର ଗଙ୍ଗା ସିଂ। ଏହି ସଫଳତା ପାଇଁ ତାଙ୍କୁ ଏବେ ଲୋକେ ମିଲେଟ୍‌ ୱିମେନ୍‌ ବୋଲି କହିଲେଣି। ସ୍ବାବଲମ୍ବୀ ହେବା ପାଇଁ ୨୦୦୯ରେ ଜାମୁହୋତାର ଗଙ୍ଗା ୧୦ଜଣ ମହିଳାଙ୍କୁ ନେଇ ତ୍ରିଷ୍ଣା ସ୍ବୟଂସହାୟକ ଗୋଷ୍ଠୀ ଗଠନ କରିଥିଲେ। ସମସ୍ତେ ୨୫ ଟଙ୍କା ଲେଖାଏଁ ଦେଇ ମୋଟ ୨୫୦ ଟଙ୍କା ଏକାଠି କରିଥିଲେ। ପ୍ରଥମେ କାଠି ନିମିକି, ଲଡ଼ୁ ତିଆରି କରି ବିକ୍ରି କରିଥିଲେ। ଲଡ଼ୁ ଓ ନିମିକି ସ୍ବାଦିଷ୍ଟ ହେଉଥିବାରୁ ଭଲ ବିକ୍ରି ହେଲା। ଦିନକୁ ଦିନ ଚାହିଦା ମଧ୍ୟ ବଢିଲା। ଏହିପରି ଦୁଇବର୍ଷ ଚାଲିଲା। ଏହାପରେ ଗଙ୍ଗା ଗୋଷ୍ଠୀର ମହିଳାଙ୍କୁ ବୁଝାସୁଝା କରି ୨୦୧୧ରେ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏହାକୁ ବଜାରକୁ ପଠାଇ ଭଲ ଦୁଇ ପଇସା ରୋଜଗାର କଲେ। ୨୦୧୯ ପର୍ଯ୍ୟନ୍ତ ଛତୁଆ ବିକ୍ରି ଚାଲିଲା। ୨୦୧୯ରେ ସରକାର ସମସ୍ତ ଅଙ୍ଗନବାଡ଼ିରେ ଛତୁଆ ବଣ୍ଟନ ବ୍ୟବସ୍ଥା କଲେ। କେନ୍ଦୁଝର ‌ସଦର ବ୍ଲକ୍‌ର ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଛତୁଆ ବଣ୍ଟନ ଦାୟିତ୍ବ ମିଳିଲା। ତ୍ରିଷ୍ଣା ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟନ୍ତ ଛୋଟ ଥିବାରୁ ସେମାନେ ଗୁମୁରା ରାଧାକୃଷ୍ଣ ସ୍ବୟଂସହାୟକ ଗୋଷ୍ଠୀ ସହ ମିଶି ଅଙ୍ଗନବାଡ଼ିକୁ ଛତୁଆ ଯୋଗାଇଥିଲେ।

Advertisment

publive-image

ଏହାପରେ ୨୦୨୦ରେ ମାଣ୍ଡିଆ ସଫା କରିବା ପାଇଁ ଏକ ପ୍ରକ୍ରିୟାକରଣ ୟୁନିଟ୍‌ ବସାଇଥିଲେ ତ୍ରିଷ୍ଣା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ। ଏଠାରେ ମାଣ୍ଡିଆ ସଫା କରିବା ସହ ଏଥିରୁ ଲଡ଼ୁ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଙ୍ଗନବାଡ଼ିକୁ ଯୋଗାଇ ଦିଆଯାଉଛି। ଗତ ଜାନୁଆରିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲିଥିବା ମିଲେଟ୍‌ କାଫେର ପରିଚାଳନା ଦାୟିତ୍ବ ନେଇଛନ୍ତି ଏହି ଗୋଷ୍ଠୀର ସଦସ୍ୟାମାନେ। ଏଠାରେ ମାଣ୍ଡିଆରୁ ତିଆରି ପିଠାଠାରୁ ଆରମ୍ଭ କରି ବରା, ବିସ୍କୁଟ, ଲଡ଼ୁ ଆଦି ପ୍ରସ୍ତୁତ ହେଉଛି। ଏସବୁ ଖାଦ୍ୟର ଚାହିଦା ମଧ୍ୟ ଭଲ ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରୀ ବାବୁମାନେ ମାଣ୍ଡିଆରୁ ତିଆରି ଭଳିକି ଭଳି ଖାଦ୍ୟ ଖାଇବାର ସୁଯୋଗ ପାଉଛନ୍ତି। ପ୍ରତିଦିନ ଏହି କାଫେରେ ୫ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହେଉଛି। ଗୋଷ୍ଠୀର ୫ଜଣ ସଦସ୍ୟା ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍‌ କଥା ବୁଝୁଥିବା ବେଳେ ଗଙ୍ଗାଙ୍କ ସମେତ ଅନ୍ୟମାନେ ମିଲେଟ୍‌ କାଫେ ପରିଚାଳନା କରୁଛନ୍ତି। ଏଠାରେ କାମ କରୁଥିବା ମହିଳାମାନେ ମାସିକ ୬ରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଗଙ୍ଗା କହିଛନ୍ତି। ୨୫୦ ଟଙ୍କା ମୂଳଧନ ନେଇ ଆରମ୍ଭ ହୋଇଥିବା ଗୋଷ୍ଠୀ ଆଜି ଭଲ ରୋଜଗାର କରୁଥିବା ଗଙ୍ଗା କହିଛନ୍ତି।