ଶୁଭକାନ୍ତ ପଢ଼ିହାରୀ
ଭୁବନେଶ୍ବର: ଝାରପଡ଼ା ଜେଲ ସାମ୍ନାରେ ବସି ପରିବା ବିକୁଥାନ୍ତି ଜଣେ ବୃଦ୍ଧ। ସବୁ ତଟକା ପରିବା। ପରିବା ନେବାକୁ ବି ଲୋକଙ୍କ ଭିଡ଼। ସେ ସିନା ପରିବା ବିକୁଥା’ନ୍ତି କିନ୍ତୁ ଗ୍ରାହକ ଦେଉଥିବା ଅର୍ଥକୁ ନିକଟରେ ଉପସ୍ଥିତ ଥିବା ଜଣେ ଖାକି ପୋଷାକଧାରୀ ରଖୁଥା’ନ୍ତି। କଥାଟା କେମିତି ଅଡ଼ୁଆ ଲାଗିଲା। ସନ୍ଦେହ ବି ହେଲା। ବୃଦ୍ଧଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଖାକି ବାବୁ ନେଇ ଯାଉନାହାନ୍ତି ତ? ଘଟଣା ଜାଣିବା ପାଇଁ ବୃଦ୍ଧଙ୍କୁ ଏ ବିଷୟରେ ପଚାରିବାରୁ ଉକ୍ତ ଖାକି ପୋଷାକଧାରୀ ବ୍ୟକ୍ତି ହସ୍ତକ୍ଷେପ କଲେ। ବୁଝୁବୁଝୁ ଜଣାପଡ଼ିଲା ପରିବା ବିକୁଥିବା ବୃଦ୍ଧ ହେଉଛନ୍ତି ଟାଙ୍ଗୁରୁ ଦିଗି। ରାଜଧାନୀ ଉପକଣ୍ଠ କାଟେଣୀ ଶାଳବାଡ଼ିରେ ଘର। କିନ୍ତୁ ଗତ ୧୬ ବର୍ଷ ହେଲା ଝାରପଡ଼ା ଜେଲର ଚାରିକାନ୍ଥ ତାଙ୍କ ଠିକଣା। ଏଠାରେ ସେ ବନ୍ଦୀ ଜୀବନ ବିତାଉଛନ୍ତି। ସେ ସନ୍ଦେହ ତ ଦୂର ହେଲା, ହେଲେ କାହିଁକି ବନ୍ଦୀ ଜୀବନ ବିତାଉଛନ୍ତି ବୋଲି ପୁଣି ମନ ଭିତରେ ପ୍ରଶ୍ନ ଗୋଳେଇ ଘାଣ୍ଟି ହେଲା। ପଚାରିବାରୁ ୧୬ବର୍ଷ ତଳକୁ ଫେରିଗଲେ ଟାଙ୍ଗୁରୁ।

Advertisment

୨୦୦୭ ଅକ୍ଟୋବର ୨୧। ସେଦିନ ଥିଲା ବିଜୟା ଦଶମୀ। ରାତିରେ ସମ୍ପର୍କୀୟ ଭାଇ ସିଦ୍ଧେଶ୍ବର ପିଙ୍ଗୁଆ ଘର ପାଖରେ ପାଟିତୁଣ୍ଡ କରୁଥିଲା। ଦୁଇଜଣ ଲୋକଙ୍କ ସହ ବଚସା ଉଗ୍ରରୂପ ନେଇଥିଲା। ହାତରେ ଟର୍ଚ୍ଚ ଲାଇଟ୍ ଓ ଲୁହାରଡ୍ ଧରି ବାହାରିଥିବା ଟାଙ୍ଗୁରୁ ଗଣ୍ଡଗୋଳରେ ହସ୍ତକ୍ଷେପ କରିଥିଲେ। ସିଦ୍ଧେଶ୍ବର ସହ ବଚସା ଉଗ୍ରରୂପ ନେବାରୁ ଟାଙ୍ଗୁରୁଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ଧରିଥିବା ଲୁହାରଡ୍‌ରେ ପିଟିପିଟି ସେ ସିଦ୍ଧେଶ୍ବରକୁ ହତ୍ୟା କରିଥିଲେ। ଚନ୍ଦକା ଥାନା ପୁଲିସ ଟାଙ୍ଗୁରୁ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ୨୦୦୭ ଅକ୍ଟୋବର ୨୩ ତାରିଖରୁ ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ଟାଙ୍ଗୁରୁ। ହତ୍ୟାକାଣ୍ଡ ପାଇଁ ମନରେ ସାମାନ୍ୟ ଅନୁଶୋଚନା ନାହିଁ। ଜେଲ୍‌ ଭିତରେ ହସି ହସି ଜୀବନ ବିତାଉଛନ୍ତି। ଜେଲ୍‌ ନୀତିନିୟମ ଭିତରେ ରହି ନିଜକୁ ପରିବର୍ତ୍ତନ କରି ଏବେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। କଏଦୀମାନଙ୍କ ଭିତରେ ସବୁଠୁ ଭଲ କଏଦୀ, ଜେଲ୍ କର୍ତ୍ତୃପକ୍ଷଙ୍କ ଗୁଡ୍‌-ବୁକ୍‌ରେ ବି ତାଙ୍କ ନାଁ ଅଛି। ଅନ୍ୟ କଏଦୀଙ୍କ ସହ ମିଶି ଜେଲ ପରିସରରେ ହେଉଥିବା ପରିବା ଚାଷରେ ସାମିଲ ହେଉଛନ୍ତି।

ଜେଲ୍‌ କର୍ତ୍ତୃପକ୍ଷଙ୍କ ସବୁଠୁ ବିଶ୍ବସ୍ତ ହୋଇଥିବାରୁ ଜେଲ ବାହାରେ ପରିବା ବିକ୍ରି ପାଇଁ ତାଙ୍କୁ ନିୟୋଜିତ କରାଯାଇଛି। ଜଣେ ଵାର୍ଡର୍‌ ତାଙ୍କୁ ଜଗି ରହିବା ସହ ପରିବା ବିକ୍ରି ବାବଦ ଅର୍ଥର ହିସାବ କରୁଛନ୍ତି। ଟାଙ୍ଗୁରୁଙ୍କୁ ତାଙ୍କ ପରିବାରଲୋକ ମଝିରେ ମଝିରେ ଭେଟିବାକୁ ଜେଲ୍‌କୁ ଆସନ୍ତି। ଟାଙ୍ଗୁରୁ ତାଙ୍କ ଭଲ-ମନ୍ଦ ପଚାରି ବୁଝିବା ସହ ଖୁସି ହୁଅନ୍ତି। ସେହିପରି ଜେଲ ପକ୍ଷରୁ ମିଳୁଥିବା ପାରିଶ୍ରମିକକୁ ସେ ଘରକୁ ପଠାନ୍ତି। ଟାଙ୍ଗୁରୁଙ୍କ ବ୍ୟବହାରରେ ପରିବର୍ତ୍ତନ, ବିଶ୍ବସ୍ତ ହୋଇପାରିଥିବାରୁ ଜାମୁଝରିସ୍ଥିତ ମୁକ୍ତାକାଶ କାରାଶ୍ରମକୁ ଯିବା ପାଇଁ ଜେଲ କର୍ତ୍ତୃପକ୍ଷ ବିଭାଗକୁ ସୁପାରିସ୍‌ କରିଛନ୍ତି। ଟାଙ୍ଗୁରୁ ଖାଲି ଜେଲ୍‌ କର୍ତ୍ତୃପକ୍ଷଙ୍କ ନୁହେଁ, ତାଜା ପରିବା ବିକି ସେ ସାଧାରଣ ଲୋକଙ୍କର ମଧ୍ୟ ପ୍ରିୟ ହୋଇପାରିଛି। ତାଙ୍କ ପସରା ବେଶି ସମୟ ପର୍ଯ୍ୟନ୍ତ ରୁହେ ନାହିଁ। ଘଣ୍ଟାଏ, ଦି’ ଘଣ୍ଟା ଭିତରେ ସବୁ ଖାଲି ହୋଇଯାଏ। କାରଣ ଏବେ ସେ ପୂରା ସାଧାରଣଲୋକ। ଉଲ୍ଲେଖଯୋଗ୍ୟ, ପରିବା ବିକ୍ରି ଅର୍ଥ ସରକାରଙ୍କ ରାଜସ୍ବରେ ଜମା କରାଯାଏ।