ରାଉରକେଲା: ପାଖରେ ଟିକେଟ୍ ନଥିଲା। ହେଲେ ନିଜ ଦେଶର ଖେଳାଳୀଙ୍କ ଖେଳ ଦେଖିବାକୁ ସୁଦୂର ବେଲ୍ଜିୟମରୁ କ୍ରିସ୍ ବେନମ୍ସ୍ ମୁମ୍ବାଇ, ଭୁବନେଶ୍ବର ଦେଇ ଆସିଥିଲେ ରାଉରକେଲାକୁ। ବେଲଜିୟମରେ ରହୁଥିଲେ ହେଁ ତାଙ୍କ ଜନ୍ମ ମୁମ୍ବାଇରେ। ସେହି ସଂଯୋଗ ରହିଥିବାରୁ ହକି ବିଶ୍ବକପ୍ ସମୟରେ ସେ ଭାରତକୁ ଆସିଛନ୍ତି। ନିକଟରେ ଶେଷ ହୋଇଥିବା ଫୁଟ୍ବଲ୍ ବିଶ୍ବକପ୍ରେ ବେଲ୍ଜିୟମ ଭଲ ପ୍ରଦର୍ଶନ କରି ନଥିବାରୁ ହକି ବିଶ୍ବକପ୍ରେ ଦେଶର ଦଳକୁ ଉତ୍ସାହିତ କରିବାଲାଗି ସେ ବଡ଼ ଆଗ୍ରହରେ ରାଉରକେଲାରେ ପହଞ୍ଚିଥିଲେ।
କିନ୍ତୁ ଉଭୟ ଅଫ୍ ଓ ଅନ୍ଲାଇନ୍ ଟିକେଟ୍ ନ ମିଳିବାରୁ ଗେଟ୍ ନଂ ୬ରେ ଉପାୟଶୂନ୍ୟ ହୋଇ ଛିଡା ହୋଇଥିଲେ। ଶେଷରେ ଆଉ କିଛି ବାଟ ନପାଇ ବ୍ୟାରିକେଡ୍ ପାଖରେ ଠିଆହୋଇ ଖେଳ ଦେଖିବାକୁ ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକମାନଙ୍କୁ ଟିକେଟ୍ ଖଣ୍ଡିଏ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ କେହି ତାଙ୍କୁ ନିଜ ଟିକେଟ୍ ଦେଇ ନଥିଲେ କିମ୍ବା ଅନ୍ୟ କେଉଁଠାରୁ ଯୋଗାଡ କରି ପାରିନଥିଲେ। ଏମିତି କିଛି ସମୟ ଅନୁରୋଧ କରିବାପରେ କ୍ରିସ୍ ନିରାଶ ହୋଇ ଫେରି ଯାଉଥିଲେ। ତେବେ ତାଙ୍କୁ ଦୂରରୁ ଦେଖି ପାରୁଥିଲେ ମ୍ୟାଚ୍ ଦେଖିବାଲାଗି ଆସିଥିବା କୋଲକାତାର ମୌସୁମୀ ଦାସ ଓ ତାଙ୍କର ଜଣେ ବାନ୍ଧବୀ। ସେମାନେ ପାଖକୁ ଆସି କ୍ରିସ୍ଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ।
କ୍ରିସ୍ ଇଂରାଜିରେ ଉତ୍ତର ଦେଇଥିଲେ, ‘‘ଟିକେଟ୍ ମିଳିଲାନି, ନିଜ ଦେଶକୁ ଫେରି ଯାଉଛି।’’ ଜଣେ ବିଦେଶୀଙ୍କ ମୁହଁରୁ ଏଭଳି କଥାଶୁଣି ମୌସୁମୀଙ୍କୁ ବହୁତ ଦୁଃଖ ଲାଗିଥିଲା। ସେ ନିଜ ଟିକେଟ୍କୁ କ୍ରିସ୍ଙ୍କୁ ଦେଇଦେଲେ। ଟିକେଟ୍ ପାଇବା ପରେ କ୍ରିସ୍ ଖୁସିରେ ଆତ୍ମହରା ହୋଇପଡିଥିଲେ। ମୌସୁମୀଙ୍କୁ ଧନ୍ୟବାଦ ଜଣାଇ ସେ ଖୁସିରେ ଟିକେଟ୍ ଧରି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପଶିଥିଲେ। ଏ ପ୍ରସଙ୍ଗରେ ମୌସୁମୀ କହିଛନ୍ତି, ‘‘ବିଦେଶୀ ଦର୍ଶକଙ୍କୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ଭାବିଲି। ସେଥିପାଇଁ ମୁଁ ମୋ’ ଟିକେଟକୁ ତାଙ୍କୁ ଦେଇଦେଲି। ମୋ’ର ସମ୍ପର୍କୀୟଙ୍କ ଘର ରାଉରକେଲାରେ। ମୁଁ ଆଜି ନ ଦେଖିଲି କ’ଣ ହେଲା, ଅନ୍ୟଦିନ ସମ୍ପର୍କୀୟଙ୍କ ସହିତ ଆସି ଦେଖିପାରିବି। କିନ୍ତୁ ବିଦେଶରୁ ଖେଳ ଦେଖିବାକୁ ଆମ ଦେଶକୁ ଆସିଥିବା ଜଣେ ଦର୍ଶକ ଫେରି ଯାଇଥିଲେ ଆମ ଦେଶ ପାଇଁ ଏକ ଅପମାନ ହୋଇ ନଥାଆନ୍ତାକି!’’ ଉଲ୍ଲେଖନୀୟ ସେ ଆଜିର ସେହି ମ୍ୟାଚ୍ରେ ବେଲ୍ଜିୟମ ଜାପାନକୁ ୭-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି।
ହକି ବିଶ୍ବକପ୍ ଟିକେଟ୍ର ବ୍ୟାପକ କଳାବଜାର ଖବରକୁ ନେଇ ପ୍ରତିଦିନ ଚର୍ଚ୍ଚା ହେଉଥିବାବେଳେ ଏମିତି ଏକ ଘଟଣା ମଣିଷପଣିଆ ଉପରୁ ତୁଟି ଯାଉଥିବା ଆମ ଆସ୍ଥାକୁ କିଛି ପରିମାଣରେ ଫେରାଇ ଆଣେ।