ଭଲ ଖବର: ଗରିବ ଦିବ୍ୟାଙ୍ଗ ବାଳକର ବ୍ରତ କରାଇଲା ସ୍କୁଲ

ଶିକ୍ଷକଶିକ୍ଷୟିତ୍ରୀ ସାଜିଲେ ମାମୁ-ମାଇଁ

ବ୍ରହ୍ମପୁର: ଜନ୍ମରୁ ଦିବ୍ୟାଙ୍ଗ, ଭଲ ଭାବେ ଚାଲିପାରୁ ନାହାନ୍ତି କି କଥା କହିପାରୁ ନାହାନ୍ତି। ବୟସ ବଢ଼ିବା ଅନୁସାରେ ମାନସିକ ସ୍ଥିତିର ବିକାଶ ଘଟୁ ନାହିଁ। ଅତ୍ୟନ୍ତ ଗରିବ ବାପା-ମା’ ନିଜର ପୁଅ ଅଂଶୁମାନ ଶତପଥୀକୁ ଖୁବ ଯତ୍ନର ସହିତ ଲାଳନପାଳନ କରିଛନ୍ତି। ଏବେ ଅଂଶୁମାନଙ୍କୁ ୧୪ ବର୍ଷ। ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବାରୁ ପୁଅର ବ୍ରତ ନିହାତି ଆବଶ୍ୟକ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବାପା ଲଳିତ କୁମାର ଶତପଥୀ ଓ ମା’ ପ୍ରଭାତି ଶତପଥୀ ଏଥିପାଇଁ ଅସର୍ମଥ ଥିଲେ। ଏଭଳି ସ୍ଥିତିରେ ତାଙ୍କୁ ସାହା ହୋଇଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଲାଠି ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷ। ସ୍କୁଲ କେବଳ ଯେ ଗୋଟିଏ ମଣିଷ ଗଢ଼ା କାରଖାନା, ତାହା ନୁହେଁ। ପ୍ରତ୍ୟେକ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକଶିକ୍ଷୟିତ୍ରୀଙ୍କର କିଛି ନା କିଛି ସାମାଜିକ ଦାୟିତ୍ବବୋଧ ରହିଛି, ତାହା ପ୍ରମାଣିତ କରି ଦେଖାଇଛି ଆଦର୍ଶ ଶିଶୁ ବିଦ୍ୟାମନ୍ଦିର। ଏହି ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତା ଓ ସହଯୋଗରେ ଅଂଶୁମାନଙ୍କ ବ୍ରତକାର୍ଯ୍ୟ ସମ୍ପନ୍ନ ହୋଇଛି। ସ୍କୁଲ ପରିସରରେ ହିଁ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିବା ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ ତ୍ରିନାଥ ମହାରଣା ସୂଚନା ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ଗୁଣପୁରର ମୂଳନିବାସୀ ଲଳିତ ଓ ପ୍ରଭାତି ତାଙ୍କ ପୁଅ ସହିତ ବ୍ରହ୍ମପୁରରେ ରହୁଥିଲେ। ଲଳିତ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ। ସେମାନଙ୍କ ଆର୍ଥିକ ଅବସ୍ଥାରେ ସେତେଟା ସ୍ବଚ୍ଛଳ ନଥିଲା। କୌଣସି କାରଣ ଯୋଗୁଁ କିଛିଦିନ ହେଲା ସେମାନେ ତାଙ୍କର ନିଜ ଘର ଗୁଣପୁରକୁ ଚାଲି ଯାଇଥିଲେ। ପୁଅ ଅଂଶୁମାନ ପିଲାଟି ଦିନରୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲେ। ସେ ଭଲ ଭାବେ ଚାଲିପାରୁ ନଥିବା ବେଳେ ତାଙ୍କର ମାନସିକ ବିକାଶ ମଧ୍ୟ ହେଉ ନଥିଲା। ଏଣୁ ବୟସ ବଢ଼ିବା ଅନୁସାରେ ବାପା-ମା’ଙ୍କ ଚିନ୍ତା ମଧ୍ୟ ବଢ଼ିଥିଲା। ବିଭିନ୍ନ ସ୍ଥାନରେ ଚିକିତ୍ସା କରିବା ପରେ ମଧ୍ୟରେ ଅଂଶୁମାନଙ୍କ କ୍ଷେତ୍ରରେ ସେଭଳି ଆଖି ଦୃଶିଆ ଉନ୍ନତି ଆସି ନଥିଲା। ପୁଅ ବଡ଼ ହୋଇ ଯାଇଥିବାରୁ ତା’ର ବ୍ରତକୁ ନେଇ ମାତା-ପିତା ଚିନ୍ତାରେ ରହିଥିଲେ।

ଏଭଳି ସ୍ଥିତିରେ ସେମାନେ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଏଭଳି ଜଣେ ଗରିବ ଓ ଅସହାୟ ପରିବାରକୁ ସହଯୋଗ କରିବା ସହିତ ଜଣେ ବ୍ରାହ୍ମଣ ପିଲାର ବ୍ରତ ଭଳି ମହତ କାର୍ଯ୍ୟ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ଉ‌ପଦେଷ୍ଟା ଶ୍ରୀ ମହାରଣାଙ୍କ ପରାମର୍ଶ କ୍ରମେ ସ୍କୁଲ ପରିସରରେ ଅଂଶୁମାନଙ୍କ ବ୍ରତ କରାଯାଇଥିଲା। ଏହି ବ୍ରତରେ ଅଂଶୁମାନଙ୍କ ମାମୁ ଭାବେ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଓ ମନୋଜ କୁମାର ଦାଶ ଏବଂ ମାଇଁ ଭାବେ ଶିକ୍ଷୟିତ୍ରୀ ମାହେଶ୍ବରୀ ଓ ଗିରିଜା ତ୍ରିପାଠୀ ଦାୟିତ୍ବ ସମ୍ପାଦନ କରିଥିବା ଶ୍ରୀ ମହାରଣା ସୂଚନା ଦେଇଛନ୍ତି। ପୁରୋହିତ ସୀମାଞ୍ଚଳ ହୋତାଙ୍କ ଦ୍ବାରା ବ୍ରତର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷ ଜଣେ ଅସହାୟ ପରିବାରର ଦିବ୍ୟାଙ୍ଗ ପୁଅର ବ୍ରତ କରି ମାନବିକତାର ପରିଚୟ ଦେବା ସହିତ ଅନ୍ୟମାନଙ୍କ ପାଇଁ ଉଦହାରଣ ସାଜିଛନ୍ତି।

ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଭାତ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନରସିଂହ ପଣ୍ଡିତ, ପ୍ରମିଳା ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ପାତ୍ର, ସନ୍ତୋଷ କୁମାର ମହାନ୍ତି, ସଂଘମିତ୍ରା ପଟ୍ଟନାୟକ, ଦ୍ବାରିକା ପ୍ରସାଦ ମହାନ୍ତି, ନିରାକାର ଦାସ, ସମୀର ମହାନ୍ତି ଏବଂ ନୀଳକଣ୍ଠେଶ୍ବର ୱାକିଂ କ୍ଲବ୍‌ର ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତେ ଅଂଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଥିଲେ।

ସମ୍ବନ୍ଧିତ ଖବର