ଭଲ ଖବର: ନେପାଳୀ ଯୁବତୀଙ୍କ ମହାନତା, ସ୍ବାମୀର ସଂସାର ଦେଖି ଫେରିଗଲେ

ସୁନ୍ଦରଗଡ଼: ଯାହାଙ୍କୁ ବିବାହ କରିବା ପରେ ୬ବର୍ଷ ଧରି ଦାମ୍ପତ୍ୟ ଜୀବନ କଟାଇଥିଲେ ତାଙ୍କର ଯେ ଏକ ସଂସାର ଅଛି, ଏହା ଜାଣିବା ପ‌‌ରେ ଜଣେ ନେପାଳୀ ଯୁବତୀଙ୍କ ପାଦତଳୁ ମାଟି ଖସିଯାଇଛି। ସେ ଏ ନେଇ କୌଣସି ଅଭିଯୋଗ ନକରି ସ୍ବଦେଶକୁ ଫେରିଯାଇଛନ୍ତି। ଗଲାବେଳେ ‘ନ ଜାଣି ମୁଁ ଭୁଲ୍‌ କରିଛି, ଆଉ ଜଣକର ଘର କାହିଁକି ଉଜାଡ଼ିବି!’ ବୋଲି ଯେଉଁ କଥା ପଦକ କହିଛନ୍ତି, ତାହା ଶୁଣିଥିବା ଯେକୌଣସି ବ୍ୟକ୍ତିର ହୃଦୟକୁ ଛୁଇଁଛି।
ଏହି ନେପାଳୀ ଯୁବତୀ ହେଲେ, ପାରୁଲ୍‌ ସୋନି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ଗଁାର ସନ୍ଦୀପ ବଗାର ଗୁଜୁରାଟର ଏକ ଟାଇଲ୍‌ କାରଖାନାରେ କାମ କରୁଥିବା ବେଳେ ତାଙ୍କ ସହିତ ଦେଖା। ସେହିଠ‌ାରେ ବି ପାରୁଲ୍‌ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ନିବିଡ଼ ହେବାପରେ ଦୁହେଁ ବିବାହକରି ପତିପତ୍ନୀ ଭାବେ ସେଠାରେ ରହିଥିଲେ। ହେଲେ, ସନ୍ଦୀପ ଯେ ବିବାହିତ ଓ ତାଙ୍କର ପିଲାଛୁଆ ଅଛନ୍ତି ବୋଲି ଜାଣି ପାରିନଥିଲେ ସୋନି।

କିଛିଦିନ ତଳେ ସନ୍ଦୀପଙ୍କ ସହ ଛଟେନପାଲି ଆସିଥିଲେ ପାରୁଲ୍‌। ଓଡ଼ିଆଘରର ବୋହୂ ଭାବେ ପ୍ରଥମଥର ପାଇଁ ଶାଶୂଘରକୁ ଆସୁଥିବାରୁ ତାଙ୍କ ମନ ଉଲ୍ଲସିତ ଥିଲା। କିନ୍ତୁ, ଘରେ ପହଞ୍ଚିବା ପରେ ସନ୍ଦୀପଙ୍କ ପତ୍ନୀ ଓ ପରିବାରକୁ ଦେଖି ତାଙ୍କ ଆଖିଆଗରେ ଅନ୍ଧକାର ଛାଇଯାଇଥିଲା। କିଛି ସମୟ ପାଇଁ ସେ କଣ କରିବେ ଭାବି ପାରି ନ ଥିଲେ। ପରେ ସନ୍ଦୀପଙ୍କ ପତ୍ନୀ ଓ ତାଙ୍କ ଛୁଆଙ୍କ ନିରୀହ ଚାହାଣିକୁ ଦେଖି ସେ ପାଦ ଫେରାଇନେବାକୁ ମନସ୍ଥ କରିଥିଲେ। ଏକ ଅଟୋରେ ତୁରନ୍ତ ଫେରି ଆସିଥିଲେ ସୁନ୍ଦରଗଡ଼। କିନ୍ତୁ ଅଟୋଚାଳକଙ୍କୁ ‌ଦେବାକୁ ତାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନ ଥିଲା। ଏହାପରେ ଅଟୋଚାଳକଙ୍କୁ ନିଜ ଦୁଃଖ କାହାଣୀ କହି ଦେଇଥିଲେ। ସବୁ ଶୁଣିବା ପରେ ଅଟୋଚାଳକ ଆସ୍ଥାଗୃହର ସଚିବ ସ୍ନେହଲତା ପଟେଲଙ୍କ ଠିକଣା ଦେଇଥିଲେ। ପାରୁଲ ପହଞ୍ଚିଥିଲେ ସ୍ନେହଲତାଙ୍କ ପାଖରେ। ଶ୍ରୀମତୀ ପଟେଲ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ସବୁ ଘଟଣା ଜାଣିବାପରେ ସଚିବ ଶୁଭଶ୍ରୀ ଜିଲ୍ଲାର ପୁଲିସର ମାନବିକ ଅଧିକାର ସେଲ୍‌ର ଡିଏସ୍‌ପି ଅମୃତା ନନ୍ଦିନୀ ମହାନ୍ତିଙ୍କ ସହଯୋଗରେ ପାରୁଲ୍‌ଙ୍କ ପରିବାର ସଦସ୍ୟଙ୍କୁ ଡକାଇଥିଲେ।

ଏହା ପରେ ତାଙ୍କର ଭାଇ ଓ ପରିବାରର ଅନ୍ୟ ସଦସ୍ୟମାନେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ। ପାରୁଲଙ୍କୁ ସନ୍ଦୀପଙ୍କ ନାମରେ ଏତଲା ଦେବାକୁ ପରାମର୍ଶ ଦିଆ ଯାଇଥିଲେ ମଧ୍ୟ ସେ ସ୍ପଷ୍ଟଭାବେ ମନା କରି ଦେଇଥିଲେ। ପରେ ପରିବାର ଲୋକେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିକଟରେ ଏକ ଗ୍ରହଣନାମା ଲେଖି ପାରୁଲଙ୍କୁ ନିଜଦେଶକୁ ଫେରାଇ ନେଇଯାଇଛନ୍ତି। ନିଜ ସୁଖ ପାଇଁ ଆଉ ଜଣେ ମହିଳାଙ୍କ ସଂସାରରେ ନିଆଁ ଲଗାଇବାକୁ ନ ଚାହିଁ ଫେରିଯିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର