ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଧୀନ ଅମୃତୁଲୁ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ସମାଜସେବୀ କାଶୀନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ ତାଙ୍କ ପୁଅ ପ୍ରସନ୍ନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରି ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି। ପ୍ରସନ୍ନଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Advertisment

ଅମୃତୁଲୁ ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ଉପବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ। ଏହି ପ୍ରୟାସ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ। ସେହିପରି ପ୍ରସନ୍ନ ବୃକ୍ଷରୋପଣର ଆବଶ୍ୟକତା ଏବଂ ଗୁରୁତ୍ବ ଉପରେ ଗ୍ରାମବାସୀଙ୍କୁ ସ‌ଚେତନ କରିଥିଲେ। ଆମ୍ବ, ପଣସ, ବଉଳ ଓ ବାଉଁଶ ଭଳି ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ବନ କର୍ମଚାରୀ ବୃନ୍ଦାବନ ସ୍ବାଇଁ, ଯୁଗଳ ଦଳବେହେରା, ସନ୍ତୋଷ ସ୍ବାଇଁ, କାମେଶ୍ବର ଗୌଡ଼, ଗୋପୀନାଥ ସ୍ବାଇଁ, ଭଗବାନ ଗୌଡ଼, ରବୀନ୍ଦ୍ର ସ୍ବାଇଁ ଓ ସାଗର ପାଳଙ୍କ ସମେତ ଅନ୍ୟ ଗ୍ରାମବାସୀ ସହଯୋଗ କରିଥିଲେ। ବହୁ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।