କେନ୍ଦୁଝର: ଆଦିମ ଜୁଆଙ୍ଗ ଜନଜାତିର ଝିଅ ମୀନା ପଢ଼ିଲେ ଇଞ୍ଜିନିୟରିଂ। ଅର୍ଥାଭାବରୁ ଅଧାରୁ ପାଠ ଛାଡ଼ି ଘରେ ରହୁଥିବା ଏହି ବାପ ଛେଉଣ୍ଡ ଝିଅ ଏବେ ଓଡ଼ିଶା ସ୍କୁଲ୍‌ ଅଫ୍‌ ମାଇନିଂ ଇଞ୍ଜିନିୟରିଂର ଡ୍ରିଲିଂ ବିଭାଗରେ ନାମ ଲେଖାଇଛନ୍ତି। ମୀନା ଜୁଆଙ୍ଗଙ୍କ କାହାଣୀ କୌଣସି ସିନେମାର କାହାଣୀଠାରୁ ବି କମ୍‌ ନୁହେଁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଜନ୍ତାରୀ ଜୁଆଙ୍ଗସାହିରେ ମୀନାଙ୍କ ଘର। ବାପା ପତିତପାବନ ଜୁଆଙ୍ଗ କେବେଠୁ ଆରପାରିକୁ ଗଲେଣି। ମା ବାସନ ଜୁଆଙ୍ଗଙ୍କ ସହ ତିନି ଭାଇଭଉଣୀ ରହୁଛନ୍ତି। ମା ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। କେନ୍ଦୁଝର ରାଙ୍କିରେ ଥିବା ଏକଲବ୍ୟ ବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିଥିଲେ ମୀନା। ୨୦୨୧ରେ ୪୦୫ ନମ୍ବର ରଖି ପାସ୍‌ କରିଥିଲେ। ଭଲ ନମ୍ବର ରଖିଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ମୀନାଙ୍କୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା।

Advertisment

କିଛିଦିନ ତଳେ ଜୁଆଙ୍ଗସାହିରେ ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ ସମ୍ପର୍କରେ ‘ସମ୍ବାଦ’ରେ ଏକାଧିକ ଥର ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ସାହିରେ ପହଞ୍ଚିଥିଲା। ଡାକ୍ତରୀ ଦଳ ସହ ଜିଲ୍ଲା ମଙ୍ଗଳ ଅଧିକାରୀ ସାହିର ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ସେମାନଙ୍କ ନଜର ମୀନାଙ୍କ ଉପରେ ପଡ଼ିଥିଲା। ସେତେବେଳେ ମୀନା ଅସୁସ୍ଥ ଥିଲେ। କଥାବାର୍ତ୍ତା ପରେ ମୀନା ଅଧାରୁ ପାଠ ଛାଡ଼ିଥିବା ଜଣାପଡ଼ିଥିଲା। ଏହାପରେ ମୀନାକୁ ପାଠ ପଢ଼ାଇବା ପାଇଁ ପ୍ରଶାସନ ଆଗେଇ ଆସିଥିଲା। କିଛିଦିନ ତଳେ ଓଡ଼ିଶା ସ୍କୁଲ୍‌ ଅଫ୍‌ ମାଇନିଂ ଇଞ୍ଜିନିୟରିଂର ଡ୍ରିଲିଂ ବିଭାଗରେ ମୀନାଙ୍କ ନାମ ଲେଖାଯାଇଛି। ମୀନାଙ୍କ କହିବା ହେଲା, ତାଙ୍କର ପାଠ ପଢ଼ିବାକୁ ଇଚ୍ଛ‌ା ଥିଲା। ହେଲେ ଅର୍ଥାଭାବ ପାଇଁ ସେ ପାଠପଢ଼ି ପାରୁନଥିଲି। ଏବେ ଇଞ୍ଜିନିୟରିଂରେ ନାମ ଲେଖାଇଛନ୍ତି। ଆଗକୁ ବିଟେକ୍‌ ଓ ଏମ୍‌ଟେକ୍‌ କରିବାକୁ ଲକ୍ଷ୍ୟ ଥିବା ମୀନା କହିଛନ୍ତି। ଏ ସମ୍ପର୍କରେ ଅଧ୍ୟାପକ ପାର୍ଥସାରଥି ଦାଶ କହିଛନ୍ତି, ପାଠପଢ଼ିବା ପାଇଁ ମୀନାଙ୍କ ଆଗ୍ରହ ରହିଛି। ‌ଆଗାମୀ ଦିନରେ ସେ ଭଲ ଫଳାଫଳ କରିବ ବୋଲି କହିଛନ୍ତି।