ଅବିଭକ୍ତ କୋରାପୁଟକୁ ଗୁରୁତ୍ବ: ଅନୁଦାନ ଅଜାଡ଼ିଦେଲା ରେଳ ବିଭାଗ, କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ମିଳିଲା ୫୫୦ କୋଟି

ଜୟପୁର-ନବରଙ୍ଗପୁରକୁ ୧୦୦, ମାଲକାନଗିରିକୁ ୧୩୫ କୋଟି

ରାୟଗଡ଼ା: ୨୦୨୩-୨୪ ରେଳ ବଜେଟରେ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ବ ଦେଇଛି ରେଳ ବିଭାଗ। ‌ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ବର୍ଷ ରେକର୍ଡ ପରିମାଣର ଅନୁଦାନ ମିଳିଛି। କୋରାପୁଟ, ରାୟଗଡ଼ା ରେଳପଥର ଦୋହରୀକରଣ ସହ ମାଲକାନଗିରି, ନବରଙ୍ଗପୁର ନୂଆ ରେଳପଥ ନିର୍ମାଣ ଏବଂ ସମ୍ବଲପୁର-ବିଜୟନଗରମ ତୃତୀୟ ଲାଇନ୍ ସଂପ୍ରସାରଣ ପାଇଁ ମିଳିଛି ଅନୁଦାନ। ସବୁଠୁ ବଡ଼ କଥା ବହୁ ପ୍ରତୀକ୍ଷିତ ନୌପଡା-ଗୁଣପୁର-ଥେରୁବାଲି ରେଳ ଲାଇନ୍ (୭୯.୧୫ କିମି) ସଂପ୍ରସାରଣକୁ ଚଳିତ ବଜେଟରେ ୫୦ କୋଟି ଅନୁଦାନ ମିଳିଛି। ନୂଆ ରେଳ ଲାଇନ୍ ସଂପ୍ରସାରଣ ନିଷ୍ପତ୍ତିକୁ ଝୁଲାଇ ରଖିଥିବା ରେଲୱେ ବୋର୍ଡ ଶେଷରେ ଅନୁଦାନ ଘୋଷଣା କରିବା ପରେ ଆଶା ଉଜ୍ଜ୍ବଳ ହୋଇଛି।

ଜୟୁପର-ମାଲକାନଗିରି ୧୩୦ କିମି ନୂତନ ରେଳପଥ ପାଇଁ ୧୩୫ କୋଟି ଏବଂ ଜୟପୁର-ନବରଙ୍ଗପୁର ୩୮ କିମି ନୂତନ ରେଳ ଲାଇନ୍ ପାଇଁ ବଜେଟରେ ୧୦୦ କୋଟି ଟଙ୍କା ଘୋଷଣା ହୋଇଛି। ରେଳପଥ ଦୋହରୀକରଣରେ ମଧ୍ୟ ବିଭାଗ ବିପୁଳ ପରିମାଣର ଅନୁଦାନ ଦେଇଛି। ଜଗଦଲପୁର-କୋରାପୁଟ ୧୧୦.୨୨ କିମି ପାଇଁ ୧୭୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ୍ ୧୬୪.୫୬ କିମି ପାଇଁ ୫୫୦ କୋଟି ଟଙ୍କା ଘୋଷଣା ହୋଇଛି। କେଆର୍ ରେଳପଥର ଦୋହରୀକରଣ ଚାଲିଥିବା ବେଳେ ଏହି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣକୁ ଗୁରୁତ୍ବ ଦେଇଛି ବିଭାଗ। କିରୁଣ୍ଡୋଲ-ଜଗଦଲପୁର ୧୫୦ କିମିର ଦୋହରୀକରଣ ଲାଗି ୧୩୫ କୋଟି, ବିଜୟନଗରମ-ରାୟଗଡ଼ା-ସମ୍ବଲପୁର ତୃତୀୟ ଲାଇନ୍ ପାଇଁ ୨୬୪.୬୦ କିମି ପାଇଁ ୯୨୦ କୋଟି, କୋତାବାଲସା-କୋରାପୁଟ ୧୮୯.୨୭୮ କିମି ପାଇଁ ୪୧୦ କୋଟି ଟଙ୍କା ମିଳିଛି। ଟ୍ରାକ୍ ରିନ୍ୟୁୱାଲ୍ ଲାଗି ମଧ୍ୟ ଭଲ ଅନୁଦାନ ମିଳିଛି ବଜେଟରେ। କୋରାପୁଟ-ସିଙ୍ଗାପୁର ରୋଡ୍ ପାଇଁ ୨୦.୦୧ କୋଟି ଏବଂ ସିଙ୍ଗାପୁର ରୋଡ୍-ବିଜୟନଗରମ ପାଇଁ ୨୫ କୋଟି ଅନୁଦାନ ମିଳିଛି।

ବଜେଟରେ ରାୟଗଡ଼ା ରେଳ ଡିଭିଜନ୍ ପାଇଁ ମାତ୍ର ୫ କୋଟି ଟଙ୍କା ଅନୁଦାନ ମିଳିଛି। ନୂତନ ଭାବେ ଗଠନ ହେବାକୁ ଥିବା ଦକ୍ଷିଣ ତଟ ରେଳପଥ ଡିଭିଜନ୍ ଓ ରାୟଗଡ଼ା ଡିଭିଜନ୍ ମୋଟ ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି ବଜେଟରେ। ରାୟଗଡ଼ା ଡିଭିଜନ ଘୋଷଣାକୁ ଇତି ମଧ୍ୟରେ ୪ ବର୍ଷ ବିତିଥିବା ବେଳେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବଦଳରେ ଅଳ୍ପ ଅନୁଦାନ ଦେଇ ରେଳ ବିଭାଗ ବିଳମ୍ବ କରି ଚାଲିଛି।

ନୌପଡ଼ା-ଗୁଣପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ ପାଇଁ ୨୦୨୧ରେ ଡିପିଆର ଚୂଡ଼ାନ୍ତ ହୋଇଥିଲା। ମୋଟ ଏହି ପ୍ରକଳ୍ପ ପାଇଁ ୧୩୯୭.୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ କେନ୍ଦ୍ର ଉଭୟେ ୫୦:୫୦ ପ୍ରତିଶତ ହାରରେ ଅନୁଦାନ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରେଳ ବଜେଟରେ ଏବେ ୫୦ କୋଟି ମିଳିଛି। ଏହା ପୂର୍ବରୁ ଓଡ଼ିଶା ସରକାର ନିଜେ ପ୍ରକଳ୍ପ ନିର୍ମାଣ କରିବାକୁ ୧୬୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।  ୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ୯୩୫ କୋଟି ଅନୁଦାନ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର