ଭୁବନେଶ୍ବର: ଚଳିତ ଜୁନ୍ରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁଲାଇରେ ବି ଭଲ ବର୍ଷା ହେବ। ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏଭଳି ଆକଳନ କରାଯାଇଛି। ଜୁଲାଇ ମାସରେ ଦେଶର ଅଧିକାଂଶ ରାଜ୍ୟରେ ଭଲ ବର୍ଷା ହେବା ସହ ବର୍ଷାର ପରିମାଣ ସ୍ବାଭାବିକଠାରୁ ଅଧିକ ରହିବ। କିନ୍ତୁ ଉତ୍ତରପୂର୍ବ ଓ ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଓଡ଼ିଶାରେ ସ୍ବାଭାବିକ ବା ତା’ଠାରୁ ଅଧିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ସଂଲଗ୍ନ ଅଞ୍ଚଳ ସମେତ ବିଦର୍ଭ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଶ୍ରୀ ମହାପାତ୍ର କହିଛନ୍ତି। ଗୋଦାବରୀ, ମହାନଦୀ ଓ କୃଷ୍ଣା ନଦୀ ଉପରେ ବନ୍ୟା ଆଶଙ୍କା ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଛତିଶଗଡ଼ ଓ ମଧ୍ୟପ୍ରଦେଶର ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ମଡେଲରୁ ଜଣାପଡ଼ୁଛି। ଏଥିସହ ଏହି ଅଞ୍ଚଳରେ ଥିବା ଅନ୍ୟ ନଦୀଗୁଡ଼ିକ ଉପରେ ବି ନଜର ରଖିବାର ଆବଶ୍ୟକତା ରହିଛି। ଅନ୍ୟପଟେ ଜୁଲାଇରେ ଉତ୍ତରପୂର୍ବ, ପୂର୍ବ ଓ ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକ ରହିବ। ଭୂମଧ୍ୟସାଗରୀୟ ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ସ୍ଥିତି ନ୍ୟୁଟ୍ରାଲ ଅବସ୍ଥାରେ ରହିଛି। ଏହି ଅବସ୍ଥା ମୌସୁମୀ ଋତୁର ଶେଷ ପର୍ଯ୍ୟନ୍ତ ଜାରି ରହିବ।