ପୁରୀ : ବାୟୁସେନା ସୂର୍ଯ୍ୟକିରଣ ଟିମ୍ର ସି-ହକ୍ ବିମାନଗୁଡ଼ିକ ରବିବାର ମେଘାଚ୍ଛନ୍ନ ଆକାଶର ବୁକୁ ଭେଦି ଯେତେବେଳେ ସାମରିକ କୌଶଳ ପ୍ରଦର୍ଶନ କରିଥିଲେ ସେତେବେଳେ ହଜାର ହଜାର ଦର୍ଶକଙ୍କ ଜୟଜୟକାରରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ସ୍ବର୍ଣ୍ଣାଭ ବେଳାଭୂମି। ‘ସୂର୍ଯ୍ୟକିରଣ’ ଟିମ୍ ପକ୍ଷରୁ ଆୟୋଜିତ ଚିତ୍ତାକର୍ଷକ ଏୟାର ସୋ’ରେ ବାଧକ ସାଜିଥିଲା ବର୍ଷା। ଅଥଚ ଆକାଶରେ ମେଘଖଣ୍ଡ ସତ୍ତ୍ବେ ବାୟୁ ସେନା ପୁରୀରେ ଏୟାର ସୋ’ କରିବା ପାଇଁ ଥିଲେ ବେଶ୍ ଉତ୍ସୁକ। ତେଣୁ ପାଗ ଅନୁକୂଳ ନଥିଲେ ମଧ୍ୟ ଉଡ଼ାଣ ଭରିଥିଲେ ସୂର୍ଯ୍ୟକିରଣ ଟିମ୍ର ପାଇଲଟ୍ମାନେ।
ଭୁବେନଶ୍ବରରୁ ଠିକ୍ ୧୦ଟା ୩୦ ମିନିଟ୍ରେ ୯ଟି ଏମ୍-୧୩୨ ଲଢ଼ୁଆ ହକ୍ ବିମାନ ଉଡ଼ାଣ ଆରମ୍ଭ କରିଥିବା ବେଳେ ମାତ୍ର ୪ ମିନିଟ୍ରେ ପୁରୀ ବେଳାଭୂମିରେ ପହଞ୍ଚିଥିଲେ। ପ୍ରବେଶ ମାତ୍ରେ ହୋହଲ୍ଲାରେ ଉଚ୍ଛୁଳି ପଡ଼ିଥିଲା ଜନ ସମୁଦ୍ର। ଆଜି ମାତ୍ର ୧୦୦ ଫୁଟ ଉଚ୍ଚରେ ଏକ ହକ୍ ବିମାନ ଘଣ୍ଟା ପ୍ରତି ୧୫୦୦ କିଲୋମିଟର ବେଗରେ ଉଡ଼ିବାର ଦୃଶ୍ୟ ଓ ଗର୍ଜନ କିଛି ସମୟ ପାଇଁ ଉପସ୍ଥିତ ଦର୍ଶକଙ୍କୁ ଚମକାଇ କ୍ଷୀପ୍ର ଗତିରେ ଉପରକୁ ଉଡିଯାଇଥିଲା। ଏହି ଅବସରରେ ଏହି ଏୟାର ସୋ’ ଦେଖାଉଥିବା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଜିଏସ୍ ଢିଲୋନ ବିମାନ ମଧ୍ୟରୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ‘ଜୟ ହିନ୍ଦ୍’ କହି ମନ ଜିଣିନେଇଥିଲେ।
ଶନିବାର ଏୟାର ସୋ’ ଦେଖିବା ବେଳେ ପ୍ରବଳ ଗରମରେ କେତେକ ଅଚେତ ହୋଇ ପଡ଼ିଥିଲେ। ରବିବାର କିନ୍ତୁ ସୋ’ ଦେଖିବା ପାଇଁ ପାଗ ଅନୁକୂଳ ଥିଲା। ଯଦିଓ ସୋ’ ହେବା ନେଇ ଅନେକ ସନ୍ଦେହରେ ପଡ଼ିଥିଲେ, କିନ୍ତୁ ଅନେକ ଏହି ସୋ’ର ଝଲକ ପାଇବା ପାଇଁ ସକାଳୁ ବ୍ଲୁ ଫ୍ଲାଗ୍ ବିଚ୍ରେ ଆସି ଭିଡ଼ ଜମାଇଥିଲେ। ଗୋଲ୍ଡେନ ବିଚ୍ ବ୍ୟତୀତ ନୀଳାଦ୍ରି ବିଚ୍ ଓ ଦିଗବାରେଣୀ ବିଚ୍ରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲେ। ବହୁ ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରିବା ସହ ଏହି ଦୃଶ୍ୟକୁ ଉପଭୋଗ କରିଥିଲେ। ରବିବାର ମଧ୍ୟ ପ୍ରଥମେ କମ୍ପୋଜିଟ୍ ଓ ପରେ ସିଙ୍କୋ ପର୍ଯ୍ୟାୟରେ ବାୟୁ ବୀରମାନେ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଥମେ ହୀରକ ଓ ଆରୋହେଡ୍ ଆକୃତି ସମେତ କିଛି ଇଂରାଜୀ ଅକ୍ଷର ଆକୃତିରେ ବାୟୁ ସେନା ସାମରିକ କୌଶଳ ଭେଟି ଦେଇଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଡାରେ ଉପସ୍ଥିତ ରହୀ ଏହି ଦୃଶ୍ୟ ଉପଭୋଗ କରିଥିଲେ। ରବିବାର ଦିନ ରାଜ୍ୟପାଳଙ୍କ ସହ ଏୟାର ଅଫିସର (କମାଣ୍ଡିଂ) ରାନ୍ ସିଂହ ଓ ଏସ୍ପି ଡ.ବିଶାଲ ସିଂହଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରୁପ୍ କ୍ୟାପ୍ଟେନ ଜିଏସ୍ ଢିଲୋନଙ୍କ ନେତୃତ୍ବରେ ୱିଙ୍ଗ୍ କମାଣ୍ଡର ଅତୁଲ, ସ୍କ୍ବାର୍ଡନ୍ ଲିଡର୍ ଏମ୍ ଭଲ୍ଲା, ପି. ଭରଦ୍ବାଜ ପ୍ରମୁଖ ସୋ’ ପ୍ରଦର୍ଶନ କରିଥିଲେ। ସୋ’କୁ ସଂଯୋଜନା କରୁଥିବା ରିଦ୍ଧିମାଙ୍କ ଉଚ୍ଚକୋଟୀର ବ୍ୟାଖ୍ୟାନ ମଧ୍ୟ ମନ ଜିଣି ନେଇଥିଲା। ତେଣୁ ସୋ’ ସରିବା ପରେ ରିଦ୍ଧିମା ଓ ବାୟୁସେନାର ଅଧିକାରୀମାନଙ୍କ ସହ ସେଲ୍ଫି ନେବାକୁ ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା।
ଏୟାର ସୋ’ ଦେଖିବେ ବୋଲି…
ସମଗ୍ର ରାଜ୍ୟ ପରିଭ୍ରମଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଥିବା ଏ ବ୍ରହ୍ମାନନ୍ଦ ଆଚାରୀ ଏୟାର ସୋ’ ଦେଖିବା ପାଇଁ ସୁଦୂର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରୁ ପୁରୀ ଆସିଥିଲେ। ପତାକା ଧରି ସେ ବାୟୁସେନାଙ୍କୁ ଉତ୍ସାହିତ କରିବା ସହ ବନ୍ଦେ ମାତରଂ ନାରା ଦେଉଥିଲେ। ତାଙ୍କ କହିବା ମୁତାବକ, ଏଭଳି ଏକ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାର ସୁଯୋଗ ଥିଲା। ତେଣୁ ନିଜକୁ ଅଟକାଇପାରିଲି ନାହିଁ। ଆମ ବୀରମାନେ ଯେ ପରାକ୍ରମୀ ଓ କେତେ ଦକ୍ଷ ତାହା ଏ ଦୃଶ୍ୟ ବୟାନ କରିଦେଉଛି ବୋଲି ସେ କହିଛନ୍ତି। କେବଳ ଏ ଆଚାରୀ ନୁହଁନ୍ତି, ଅନେକ ଖୋର୍ଦ୍ଧା ସମେତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସୋ’ ଦେଖିବାକୁ ଆସିଥିଲେ।