କରୋନା ମହାମାରୀ ସମୟରେ ଉଦାର ହୁଅ: ହାଇକୋର୍ଟ

ଦ୍ରବ୍ୟ ଓ ସେବା କର ମାମଲା: ସାର୍ଟିଫାଏଡ୍ କପି ଦାଖଲରେ ବିଳମ୍ବ ପ୍ରସଂଗ

କଟକ : କରୋନା ମହାମାରୀ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସମୟରେ କଟକଣା ଭିତରେ ଅଦାଲତ ଓ ଟ୍ରିବୁନାଲରେ କୋର୍ଟ କାର୍ଯ୍ୟ ହେଉଥିବାବେଳେ ଦ୍ରବ୍ୟ ଓ ସେବାକର ମାମଲା ଶୁଣାଣି କରୁଥିବା କର୍ତ୍ତୃପକ୍ଷ ଉଦାର ହେବା ପାଇଁ ହାଇକୋର୍ଟ କହିଛନ୍ତି। ଏ ସଂପର୍କିତ ଅପିଲ ଦାଖଲ ବେଳେ ସାଧାରଣ ଭାବେ ୱେବସାଇଟରୁ ଡାଉନଲୋଡ୍ କରାଯାଉଥିବା ନିର୍ଦ୍ଦେଶନାମାର କପି ଗ୍ରହଣୀୟ ହେବ। ଡାଉନଲୋଡ୍ କପିର ସତ୍ୟତା ଯାଞ୍ଚ ଆଇନଜୀବୀଙ୍କ ଦ୍ବାରା କରାଯାଇ ଦାଖଲ କରାଯାଉଥିବା ବେଳେ ଏହା ଅପିଲ ସହିତ ଗ୍ରହଣ କରାଯିବ। ଯେ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ଅଦାଲତ ଓ ଟ୍ରିବୁନାଲ ଏପରି କଟକଣା ଭିତରେ କାର୍ଯ୍ୟ କରିବେ ସେ ପର୍ଯ୍ୟନ୍ତ ସାର୍ଟିଫାଏଡ୍ କପି ଦାଖଲ ସଂପର୍କିତ ବିଳମ୍ବ ମାଫ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଜିଏସ୍‌ଟି ସଂପର୍କିତ ଏକ ଅପିଲରେ ବିଳମ୍ବରେ ସାର୍ଟିଫାଏଡ କପି ଦାଖଲ ପାଇଁ ବାଲେଶ୍ବର ଅତିରିକ୍ତ କମିସନର ଷ୍ଟେଟ୍ ଟ୍ୟାକ୍ସ(ଅପିଲ) ପ୍ରଦାନ କରିଥିବା ଖାରଜ ନି‌େର୍ଦ୍ଦଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅତିରିକ୍ତ କମିସନର ଆବେଦନକାରୀଙ୍କ ଅପିଲ ଉପରେ ଜୁଲାଇ ୫ରେ ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଅପିଲର ଶୁଣାଣି କରାଯାଇ ଆଇନ ଅନୁସାରେ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜଗନ୍ନାଥ ଟ୍ରେଡର୍ସ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଜନିତ ସ୍ଥିତିରେ ଆଇନଜୀବୀ ଓ ମହକିଲମାନେ ମାମଲାରେ ନିର୍ଦ୍ଦେଶନାମାର ସାର୍ଟିଫାଏଡ କପି ପାଇବାରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସାଧାରଣ ଭାବେ ଜଣା ବୋଲି  ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦ୍ରବ୍ୟ ଓ ସେବା କର ସଂପର୍କିତ ଆବେଦନକାରୀଙ୍କ ମାମଲାକୁ ଆଡଜୁଡିକେଟିଂ ଅଥରିଟି ୨୦୨୦, ଅଗଷ୍ଟ ୧୮ରେ ଖାରଜ କରିବା ପରେ ଏହି ନିର୍ଦ୍ଦେଶ ବିରୋଧରେ ସେ ଅପିଲ ଦାଖଲ କରିଥିଲେ। ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ବିଭୁତିଭୂଷଣ ଚୌଧୁରୀ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର