କଲ୍ୟାଣସିଂହପୁର: କୋରାପୁଟ-ରାୟଗଡ଼ା (କେଆର) ରେଳ ଲାଇନର କେଉଟଗୁଡ଼ା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ରାତି ସାଢ଼େ ୮ ଟାରେ ଏହି ଅଘଟଣ ଘଟିଛି। ଟ୍ରାକରୁ ୨ଟି ବଗି ଖସିବା ପରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳ ଚଳାଚଳ ସ୍ୱାଭାବିକ କରିବା ସହ ଲାଇନଚ୍ୟୁତ ଟ୍ରେନକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଆଜି ସନ୍ଧ୍ୟାରେ ଖାଲି ୱାଗନ ନେଇ ଦାମନଯୋଡିରୁ ରାୟଗଡ଼ା ଅଭିମୁଖେ ବାହାରିଥିଲା ମାଲବାହୀ ଟ୍ରେନ। ରାତି ସାଢ଼େ ୮ ଟାରେ ଟ୍ରେନ କେଉଟଗୁଡା ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଡ୍ରାଇଭର ଟ୍ରେନ ଅଟକାଇବା ପରେ ଷ୍ଟେସନ ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ। ବୈଷୟିକ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତ୍ରୁଟି ଅନୁଧ୍ୟାନ କରିବା ସହ ଟ୍ରାକକୁ ଲାଇନଚ୍ୟୁତ ବଗିକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ କେଆର ଲାଇନରେ ରେଳ ଚଳାଚଳ ବିଳମ୍ବ ହୋଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ଦୁର୍ଘଟଣା ପରେ ଜଗଦଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ସାମାନ୍ୟ ବିଳମ୍ବ ହୋଇଛି।