ମାଲଗାଡ଼ିକୁ ପଛରୁ ପିଟିଲା ଅନ୍ୟ ମାଲଗାଡ଼ି; ୪ କୋଚ୍‌ ଲାଇନଚ୍ୟୁତ୍‌, ଭାଙ୍ଗିଲା ସିଗ୍‌ନାଲ ପୋଷ୍ଟ

ରାଉର‌କେଲା: ଆଜି ସକାଳେ ବନ୍ଧମୁଣ୍ଡା ରେଳବାଇ ୟାର୍ଡର କେ-କ୍ୟାବିନ୍‌ ନିକଟରେ ଦୁଇଟି ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକକାଳୀନ ଗୋଟିଏ ଲାଇନ ଦୁଇଟି ମାଲଗାଡ଼ି ଆସିଯିବାରୁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଗୋଟିଏ ମାଲଗାଡ଼ି ‌ବନ୍ଧମୁଣ୍ଡା ରେଳବାଇ ମାର୍ଶଲିଂ ୟାର୍ଡରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)କୁ ପ୍ରବେଶ କରୁଥିଲେ। ସମାନ ରେଳ ଟ୍ରାକ୍‌ରେ ଛିଡା ‌ହୋଇଥିବା ଅନ୍ୟ ମାଲଗାଡ଼ିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଗୋଟିଏ ମାଲଗାଡ଼ିର ୪ଟି ‌କୋଚ୍‌ ଲାଇନଚ୍ୟୁତ୍‌ ହୋଇଥିଲା। ଏଥିସହ ରେଳ ଲାଇନ୍‌ ଥିବା ଡିପି ବକ୍ସ ଓ ସିଗ୍‌ନାଲ ବିଭାଗର ସିଗ୍‌ନାଲ ପୋଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସୌଭାଗ୍ୟବଶତଃ ଦୁର୍ଘଟଣାରେ ଦୁଇ ମାଲଗାଡ଼ିର କେହି ହତାହତ ହୋଇ ନାହାନ୍ତି। ଦୁର୍ଘଟଣାରେ ରେଳବାଇ ଅପରେଟିଂ ବିଭାଗର କର୍ମଚାରୀଙ୍କ ଭୟଭିତ ହୋଇପଡିଥିଲେ। ସୂଚନା ପାଇ ରେଳବାଇ ଏଆର୍‌ଟିଏମ୍‌ ଏବଂ କ୍ରେନ୍‌ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ୍‌ ହୋଇଥିବା କୋଚଗୁଡ଼ିକୁ ଲାଇନ ଉପରକୁ ଆଣିଥିଲା। ପରେ ବନ୍ଧମୁଣ୍ଡା ମାର୍ଶଲିଂ ୟାର୍ଡ ଲାଇନରେ ଯାତାୟତ ସ୍ବାଭାବିକ ହୋଇଥିଲା। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ? ଏଥିପାଇଁ କେଉଁମାନେ ଦାୟୀ ? ବିଭାଗୀୟ ଅଧିକାରୀ ତା’ର ତଦନ୍ତ ଆରମ୍ଭ କରିଛି। ଟ୍ରେନ୍‌ ଦୁର୍ଘଟଣାବେଳେ ଚକ୍ରଧରପୁର ରେଳ ଡିଭିଜନର ଡିଆର୍‌ଏମ୍‌ ବିଜୟ କୁମାର ସାହୁ ବନ୍ଧମୁଣ୍ଡାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର