ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଜୟପୁର/କୋରାପୁଟ : ଜୟପୁର-କୋରାପୁଟ ରେଳ ଲାଇନର ମାଳିଗୁଡା ଷ୍ଟେସନ ନିକଟରେ ଆଜି ସକାଳେ ଗୋଟିଏ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବହୁ ଟ୍ରେନକୁ ବାତିଲ କରାଯାଇଥିଲା ବେଳେ ଏକାଧିକ ଏକ୍ସପ୍ରେସ ଟ୍ରେନ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିନାହାନ୍ତି।

ବୈଲାଡିଲାରୁ ଏକ ମାଲବାହୀ ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଆଜି ସକାଳେ ଜୟପୁର-କୋରାପୁଟ ମଧ୍ୟରେ ଥିବା ଛତଡ଼ିପୁଟ-ମାଳିଗୁଡା ଷ୍ଟେସନ ମଧ୍ୟରେ ଲାଇନଚ୍ୟୁତ ହୋଇଛି। ସକାଳେ ପ୍ରବଳ ବର୍ଷା ହୋଇଥିଲା ବେଳେ ଗୋଟିଏ ବଡ ପଥର ପାହାଡରୁ ଧସି ରେଳ ଲ‌ାଇନରେ ପଡି ରହିଥିଲା। ଏହି ପଥରରେ ଟ୍ରେନ ବାଡେଇ ହେବା ପରେ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ପରେ ଏକ ରିଲିଫ ଟ୍ରେନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି। ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଦିନ ତମାମ ରେଳବାଇ ପକ୍ଷରୁ କାମ କରାଯାଇଛି। ତେବେ ଏହି ରୁଟରେ ଗୋଟିଏ ଲାଇନ ଥିବାରୁ ରାତି ୯ଟା ସୁଦ୍ଧା ସ୍ବାଭାବିକ ଅବସ୍ଥା ଫେରି ନ ଥିବା ଜଣାପଡିଛି। ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ଏହି ଲାଇନରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ରୁଟରେ ଚଳାଚଳ କରୁଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି। ଏହା ସହ ମାଲବାହୀ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଓ ରାଉରକେଲା- ଜଗଦଲପୁର ଏକ୍ସପ୍ରେସ୍ କୋରାପୁଟ ଷ୍ଟେସନରେ ଦୀର୍ଘ ସମୟ ଧରି ଅଟକି ରହିବା ପରେ ଟ୍ରେନକୁ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ କରାଯାଇଛି। ଫଳରେ ସନ୍ଧ୍ୟାରେ ଦୁଇ ଟ୍ରେନ କୋରାପୁଟରୁ ଭୁବନେଶ୍ବର ଓ ରାଉରକେଲା ଅଭିମୁଖେ ଯାତ୍ରା କରିଛି।

ସମ୍ବନ୍ଧିତ ଖବର