ଛତ୍ରପୁର : ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗ ଡାଉନ୍‌ ଟ୍ରାକ୍‌ରେ ଆଜି ସକାଳେ ଏକ ମାଲବାହୀ ଟ୍ରେନ୍‌ର ଦୁଇଟି ଇଞ୍ଜିନ୍ ଲାଇନ୍‌ଚ୍ୟୁତ ହେବାଫଳରେ ଦିନସାରା ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ଟ୍ରେନ୍ ଚଳାଚଳରେ ବ୍ୟାଘାତ ହୋଇଥିଲା। କେବଳ ଭୁବନେଶ୍ୱରଠାରୁ ବ୍ରହ୍ମପୁର ଦିଗକୁ ଅପ୍‌ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ହେଉଥିବା ବେଳେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ୍ ଚଳାଚଳ ସାମୟିକ ଭାବେ ବନ୍ଦ ରହିଥିଲା। ୮ ଘଣ୍ଟାରୁ ଅଧିକ ସମୟ ଧରି ରେଳ ବିଭାଗ ଟେକ୍‌ନିକାଲ୍‌ ଟିମ୍‌ର ଅପରେସନ୍ ପରେ ଉଭୟ ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

ସୂଚନାଯୋଗ୍ୟ, ଏମ୍‌ଓଆଇଭି/ଏନ୍‌ ବକ୍ସ ଲୋଡ୍‌ ଡାଉନ୍‌ (ସିମେଣ୍ଟ ନିମନ୍ତେ ଉପଯୋଗୀ କ୍ଲିଙ୍କର୍‌) ମାଲ୍‌ ବୋଝେଇ ଟ୍ରେନ୍‌ଟି ସାଉଥ୍‌ସେଣ୍ଟରରୁ ବରୀ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ୯.୨୦ମିନିଟ୍‌ରେ ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗ ବଡ଼ଶଙ୍ଖ ନିକଟ ମା’ କନ୍ଧୁଣୀ ମନ୍ଦିର ସମ୍ମୁଖ ରେଳଟ୍ରାକ୍‌ କିମି ନମ୍ବର- ୫୭୪/୨୬ର ବାମପାର୍ଶ୍ବରେ ଟ୍ରେନ୍‌ର ଆଗପଟ ଇଞ୍ଜିନ୍‌ (୨୮୬୫୩ ଡବ୍ଲୁଏଜି-୭ ଜିଟିଏଲ୍‌ ଏସ୍‌ସିଆର୍‌) ଏବଂ ସେକେଣ୍ଡ୍‌ ଇଞ୍ଜିନ୍‌ (୨୮ଜି୬୫ ଡବ୍ଲ୍ୟୁଜି୭) ଟ୍ରଲି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଫଳରେ, ଏହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ତେବେ, ଇଞ୍ଜିନ ଲାଇନ୍‌ଚ୍ୟୁତ ହେବାପରେ ମାଲବାହୀ ଟ୍ରେନ୍‌ର ୬୯ଟି ବଗି ସେଠାରେ ରହି ଯାଇଥିଲା। ସମସ୍ତ ବଗିରେ ମାଲ୍‌ ବୋଝେଇ ଥିବାବେଳେ ସାମଗ୍ରୀ ଗୁଡ଼ିକ ନଷ୍ଟହୋଇ ନଥିବା ସୂଚନା ମିଳିଛି।

ଖବର ପାଇ ତତ୍‌କ୍ଷଣାତ୍ ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଇଞ୍ଜିନ୍‌ ଦୁଇଟିକୁ ଟ୍ରାକ୍‌କୁ ଆଣିଥିଲେ। ଘଟଣାସ୍ଥଳରେ ଖୋର୍ଦ୍ଧା ଡିଆର୍‌ଏମ୍‌ ରିଙ୍କେଶ ରାୟଙ୍କ ସମେତ ରେଳବାଇ ବିଭାଗର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପଲାସା ଓ ଖୋର୍ଦ୍ଧାର ଦୁଇଟି ଉଦ୍ଧାରକାରୀ ଟିମ୍ ପହଞ୍ଚି ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରାକ୍‌ ମରାମତି ପରେ ଅପରାହ୍ନରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି।