ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ : ଟ୍ରେନ୍‌ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

କୋରାପୁଟ/ଦାମନଯୋଡି : କୋରାପୁଟର ଦାମନଯୋଡି ରେଳଷ୍ଟେସନ ନିକଟରେ ଆଲୁମିନିୟମ ବୋଝେଇ ଟ୍ରେନ୍‌ର ୧୫ଟି ବଗି ଆଜି ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତେବେ, ଏଥିଯୋଗୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୪ଟା ୨୦ରେ ନାଲ୍‌କୋର ଆଲୁମିନିୟମ ପାଉଡର ବୋଝେଇ ଏକ ଟ୍ରେନ୍‌ ନାଲ୍‌କୋ ରେଲେଓ୍ଵ ସାଇଡିଂକୁ ଯାଉଥିବା ସମୟରେ ଦାମନଯୋଡି ଷ୍ଟେସନ ପାଖରେ ଲାଇନ୍‌ଚ୍ୟୁତ ହୋଇଥିଲା। ରେଳଧାରଣ ବାହାରକୁ ଇଂଜିନ ସହ ଏହାର ୧୫ଟି ବଗି ଚାଲି ଯାଇଥିଲା। ସେଥିରୁ ୫ଟି ବଗି କୋରାପୁଟ-ରାୟଗଡା ଲାଇନ୍‌ ଉପରକୁ ମାଡ଼ି ଯାଇଥିଲା। ଖବର ପାଇବା ପରେ କୋରାପୁଟରୁ ଏକ ଉଦ୍ଧାରକାରୀ ଟ୍ରେନ୍‌ ଦାମନଯୋଡିରେ ପହଞ୍ଚଥିଲେ ମଧ୍ୟ ବିଳମ୍ବ ଯୋଗୁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯିବା ସହ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କୋରାପୁଟ-ରାଉରକେଲା ଏକ୍ସପ୍ରେସ୍‌କୁ ଆଜି ଦିନକ ପାଇଁ ବାତିଲ କରାଯାଇଛି। ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଆରକୁ-କୋଟାଭାଲସା-ବିଜୟନଗରମ ଦେଇଯାଇଛି। ଜଗଦଲପୁରକୁ ଯାଉଥିବା ସମ୍ବଲେଶ୍ୱରୀ ଏକ୍ସପ୍ରେସ ଲକ୍ଷ୍ମୀପୁର ଷ୍ଟେସନରେ ଅଟକି ରହିଛି। ସମ୍ବଲପୁର-କୋରାପୁଟ ପାସେଞ୍ଜର୍‌ ଟ୍ରେନକୁ ରାୟଗଡାରୁ କୋରାପୁଟ ପର୍ଯ୍ୟନ୍ତ ସାମୟିକ ବାତିଲ କରାଯାଇଛି।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଟ୍ରେନ୍‌ର ଗତି ବହୁତ ଅଳ୍ପ ଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ରାଉରକେଲା ଏକ୍ସପ୍ରେସ୍‌ ବାତିଲ ହେବା ଓ ସମଲେଶରୀ ଏକ୍ସପ୍ରେସ୍‌ ନ ଆସିବା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ପୁଲିସ କନେଷ୍ଟବଳ ଓ ସିପାହୀ ପରୀକ୍ଷା ଥିବାରୁ କୋରାପୁଟକୁ ହଜାର ହଜାର ପରୀକ୍ଷାର୍ଥୀ ଆସିଥିଲେ। ଆସନ୍ତାକାଲି ଭାରତ ବନ୍ଦ ଥିବାରୁ ସେମାନେ ଘରକୁ ଫେରିବା ପାଇଁ ବ୍ୟଗ୍ର ଥିଲେ। କିନ୍ତୁ ଟ୍ରେନ୍‌ ବାତିଲ ହେବା ପରେ ଶହ ଶହ ପରୀକ୍ଷାର୍ଥୀ ଷ୍ଟେସନରେ ଅପେକ୍ଷା କରି ରହିଛନ୍ତି। ଏପଟେ ହୀରାଖଣ୍ଡ ଟ୍ରେନ୍‌ରେ ଆଜି ପ୍ରବଳ ଭିଡ ହୋଇଛି। ତେବେ ଏହି ଟ୍ରେନ ଆରକୁ ଦେଇ ଯାଉଥିବାରୁ କୋରାପୁଟ ଓ ରାୟଗଡା ଜିଲ୍ଲାର ବହୁ ଯାତ୍ରୀ ଗନ୍ତବ୍ୟ ସ୍ଥଳକୁ ଯାଇ ପାରି ନାହାନ୍ତି।

ସମ୍ବନ୍ଧିତ ଖବର