ଚୌଦ୍ୱାର-ମଙ୍ଗୁଳି : ସ୍ଥାନୀୟ ନିର୍ଗୁଣ୍ଡି ରେଳଷ୍ଟେସନ ନିକଟରେ ବୁଧବାର ଭୋର ୪ଟା ୨୫ ମିନିଟ୍ ସମୟରେ ଏକ ମାଲବାହୀ ଟ୍ରେନ୍ର ୧୬ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ୍ଟି ସାର ବୋଝେଇ କରି ବିଶାଖାପାଟଣାର ଗଙ୍ଗାପୁରମ୍ରୁ ବାହାରି କୋଲକତା ଅଭିମୁଖେ ଯାଉଥିବା ବେଳେ ନିର୍ଗୁଣ୍ଡି ନକଟସ୍ଥ ଡଗରାସାହି ପାଖରେ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ଇଂଜିନ୍ ସୁରକ୍ଷିତ ଥିବାବେଳେ ୪୨ଟି ବଗିରୁ ୧୬ଟି ବଗି ଲାଇନଚ୍ୟୁତ ହେବା ଫଳରେ ରେଳ ଧାରଣାର ତିନୋଟି ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଶାଳଗାଁ-କପିଳାସରୋଡ ଓ କଟକ-କପିଳାସ ରୋଡ୍ର ଅଫ୍ ଓ ଡାଉନ୍ ଲାଇନ୍ କ୍ଷତିଗ୍ରସ୍ତ ହେବା ଫଳରେ ଟ୍ରେନ ଚଳାଚଳକୁ ସାମୟିକ ବନ୍ଦ ରଖାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରେ ରେଳବିଭାଗର ଡିଆର୍ଏମ୍ ବ୍ରଜେଶ୍ ଅଗ୍ରୱାଲଙ୍କ ସମେତ ବହୁ ଅଧିକାରୀ ପହଞ୍ଚିି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇ ନଥିବା ଜଣାପଡିଛି । ନିର୍ଗୁଣ୍ଡି ଷ୍ଟେସନ୍ ଠାରୁ ମାତ୍ର ୩୦୦ ମିଟର ଦୂରରେ ଏହି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ୫ଟି ପାସେଞ୍ଜର ଟ୍ରେନକୁ ୨ଦିନ ପାଇଁ ବାତିଲ କରାଯାଇଥିବା ବେଳେ ୩ଟି ଏକ୍ସପ୍ରେସ୍ ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି ।
ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବରହମପୁର, ବରହମପୁର-ଭୁବନେଶ୍ୱର, କଟକ-ଭଦ୍ରକ ଓ ଭଦ୍ରକ-କଟକ ଏହି ୫ଟି ଟ୍ରେନ ବାତିଲ ହୋଇଥିବାବେଳେ ହାଟିଆ ପୁରୀ ତପସ୍ୱିନୀ ଏକ୍ସପ୍ରେସ, ସିକନ୍ଦରାବାଦ ହାୱଡା ଓ ରାଜଧାନୀ ଏକ୍ସପ୍ରେସକୁ ଭାୟା ନରାଜ ଦେଇ ଗତିପଥ ବଦଳାଯାଇଛି। ଘଟଣାସ୍ଥଳରେ ରେଳ ବିଭାଗର ଆସିଷ୍ଟାଣ୍ଟ ସିକ୍ୟୁରିଟି କମିସନର ଶରତ କୁମାର ପାଢୀ, କଟକ ଜିଆର୍ପି ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ଏସ୍ଆଇ. ଆର୍.ସି. ବିଶ୍ୱାଳଙ୍କ ସମେତ ୫୦ରୁ ଅଧିକ ରେଳ କର୍ମଚାରୀ ଉପସ୍ଥିତ ରହି କ୍ଷତିଗ୍ରସ୍ତ ହୋଇଥିବା ବଗିକୁ ଲାଇନରୁ ହଟାଇବା ପାଇଁ ସହଯୋଗ କରୁଛନ୍ତି । ତୁରନ୍ତ ଲାଇନ୍ର ମରାମତି କାର୍ଯ୍ୟ ସହ ଟ୍ରେନ୍ରେ ଥିବା ୟୁରିଆ ସାରକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଡିଆର୍ଏମ ଶ୍ରୀ ଅଗ୍ରୱାଲା ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ କଟକ ଷ୍ଟେସନ୍ ନିକଟରେ ମଧ୍ୟ ମାସକ ପୂର୍ବରୁ ଟ୍ରେନ୍ ବଗି ଲାଇନ୍ଚ୍ୟୁତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/Choudwar-Manguli.jpg)