ମାଲବାହୀ ଗାଡ଼ିରୁ ଖସିଗଲା ୩୫ ବଗି

ଟାଙ୍ଗୀ(ଖୋର୍ଧା) : ଅତି ଦ୍ରୁତଗାମୀ ରେଳ ଚଳାଚଳ ପାଇଁ ଭାରତୀୟ ରେଳବାଇକୁ ଯେତେ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ କରାଯାଉଛି ବୋଲି ଦାବି କରାଯାଉଥିଲେ ହେଁ ରେଳପଥକୁ ସତେ ଯେମିତି ବଗିଛଡ଼ା ଦଶା ଗୋଡ଼ାଇଛି। ଶୁକ୍ରବାର ପ୍ରାୟ ସନ୍ଧ୍ୟା ୬ଟାରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲଗାଡ଼ି ଟ୍ରେନର ଇଞ୍ଜିନରୁ ୩୫ଟି ବଗି ଅଲଗା ହୋଇଯିବା ଘଟଣା ପୂର୍ବତଟ ରେଳବାଇର ରକ୍ଷଣାବେକ୍ଷଣରେ ପ୍ରଶ୍ନବାଚୀ ହୋଇଛି। ଇଞ୍ଜିନ୍ ଛଡ଼ା ବଗିଗୁଡ଼ିକୁ ପୁଣି ଯୋଡ଼ାଯୋଡ଼ି କରି ନେବା ଯୋଗୁଁ କାଳୁପଡ଼ା ରେଳ ଫାଟକ ଦୀର୍ଘ ୩ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ସଡ଼କଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନାନୁଯାୟୀ, ଖୋର୍ଦ୍ଧା ରୋଡ୍ ରେଳବାଇ ଡିଭିଜନ ଅଧୀନ କାଳୁପଡ଼ା ରେଳ ଷ୍ଟେସନର ଅନତି ଦୂର ରେଳ ଫାଟକ ନିକଟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୫୦ବଗି ବିଶିଷ୍ଟ ମାଲ ବୋଝେଇ ଟ୍ରେନର କପ୍ଲିଂ ଛିଣ୍ଡିପଡ଼ିବାରୁ ଠିକ୍ ଫାଟକ ସମ୍ମୁଖରେ ପଛ ଆଡୁ ୩୫ଟି ବଗି ଅଲଗା ହୋଇଯାଇଥିଲା। ଫଳରେ ଏହି ରେଳ ଫାଟକ ଦେଇ ସଡ଼କ ପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ରାତି ପ୍ରାୟ ୮ଟା ୪୦ରେ ବିକଳ୍ପ ବ୍ୟବସ୍ଥା ସ୍ବରୂପ ନୂତନ ଇଞ୍ଜିନ ସଂଯୋଗ କରାଯାଇ ବଗିଗୁଡ଼ିକୁ ସେଠାରୁ ହଟାଇବା ପରେ ପରିସ୍ଥିତି ସ୍ବାଭବିକ ହୋଇଥିଲା।

ସମ୍ବନ୍ଧିତ ଖବର