ଅଧା ବଗିକୁ ଛାଡ଼ି ଚାଲିଗଲା ମାଲଗାଡ଼ି ଇଞ୍ଜିନ, ରାଜଗାଙ୍ଗପୁର ଫାଟକ ଘଣ୍ଟାଏ ବନ୍ଦ

ରାଜଗାଙ୍ଗପୁର : ଅଧା ବଗିକୁ ଛାଡ଼ି ଚାଲିଗଲା ମାଲବାହୀ ରେଳ ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ରେଳ ଫାଟକ ନିକଟରେ। ଏକ ଯାତ୍ରୀବାହୀ ଏକ୍ସପ୍ରେସ୍‌ ଟ୍ରେନ୍‌ ରାଜଗାଙ୍ଗପୁର ଷ୍ଟେସନରେ ନ ଅଟକି ଚାଲିଯିବା ଘଟଣାର ୫ ଦିନ ନ ଯାଉଣୁ ରେଳ ବିଭାଗର ଏହି ତ୍ରୁଟି ଚର୍ଚ୍ଚାର ବିଷୟ ହୋଇଛି।

ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ରାଉରକେଲାରୁ ଝାରସୁଗୁଡ଼ା ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ରାଜଗାଙ୍ଗପୁର ରେଳ ଷ୍ଟେସନ ପୂର୍ବରୁ ରେଳ ଫାଟକ ପାଖରେ ହଠାତ୍ ଦୁଇ ଭାଗ ହୋଇ ଯାଇଥିଲା। କିଛି ଡବାକୁ ନେଇ ଇଞ୍ଜିନ ଦୁଇ ଭାଗ ହୋଇ ଯାଇଥିବା ବେଳେ ଶେଷ ଭାଗ ଅଟକି ଯାଇଥିଲା। ପ୍ରାୟ ୧୦୦ ମିଟର ଆଗକୁ ଯାଇ ଚାଳକ ଟ୍ରେନ୍‌କୁ ଅଟକାଇ ଥିଲେ। କପଲିନ୍‌ରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଏହି ଘଟଣା ପରେ ରାଜଗାଙ୍ଗପୁର ରେଳ ଫାଟକ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ମାଲବାହୀ ବଗି ରେଳ ଧାରଣାରେ ଅଟକି ରହିବାରୁ ଶହ ଶହ ଗାଡ଼ି ଉଭୟ ପାର୍ଶ୍ବରେ ଅଟକି ରହିଥିଲେ। ପ୍ରାୟ ଘଣ୍ଟାଏ ପରେ ଦୁଇ ବଗିକୁ ସଂଯୋଗ କରାଯିବା ପରେ ଟ୍ରେନ୍‌ ରାଜଗାଙ୍ଗପୁର ଛାଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ୍‌ ଟ୍ରେନ୍‌ (ନମ୍ବର ୨୨୮୪୪)ର ରାଜଗାଙ୍ଗପୁର ଷ୍ଟେସନ୍‌ରେ ରହଣି ଅଛି। କିନ୍ତୁ ଗତ ୮ ତାରିଖ ଦିନ ଟ୍ରେନ୍‌ଟି ରାଜଗାଙ୍ଗପୁର ଷ୍ଟେସନରେ ନ ଅଟକି ଦ୍ରୁତଗତିରେ ଆଗକୁ ଚାଲି ଯାଇଥିଲା। ଟ୍ରେନ୍‌ରେ ଯିବାକୁ ଷ୍ଟେସନରେ ଅପେକ୍ଷା କରିଥିଲେ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ। ୫୦ରୁ ଅଧିକ ଯାତ୍ରୀ ବି ଟ୍ରେନ୍‌ରୁ ଓହ୍ଲାଇଥାନ୍ତେ। କିନ୍ତୁ ଟ୍ରେନ୍‌ ଷ୍ଟେସନରେ ଅଟକିଲା ନାହିଁ। ଏହି ଘଟଣାରେ ସ୍ଥାନୀୟ ସହକାରୀ ଷ୍ଟେସନ୍‌ ମାଷ୍ଟର୍‌ ସନ୍ତୋଷ କୁମାର ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର