ୱାଗନ୍‌ ଛାଡ଼ି ଇଞ୍ଜିନ ଛୁ’

ଚଳିତ ବର୍ଷ ଏହା ଚତୁର୍ଥ ଘଟଣା

ରାଉରକେଲା : ଦକ୍ଷିଣ ପୂର୍ବ ରେଳପଥର ରାଉରକେଲା ଷ୍ଟେସନ୍‌ ଠାରୁ ପ୍ରାୟ ୮ କିଲୋମିଟର ଦୂର ବ୍ରାହ୍ମଣୀ ରେଳ ପୋଲ ଉପରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ମାଲବାହୀ ଟ୍ରେନ୍‌ର ଇଞ୍ଜିନ ୱାଗନ୍‌ଗୁଡ଼ିକୁ ଛାଡି ଛୁ’ ହୋଇଯାଇଛି। ଇଞ୍ଜିନଟି ପ୍ରାୟ ୨୦୦ ମିଟର ଦୂରକୁ ପଳାଯାଇଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ଜାଣିବା ମାତ୍ରେ ଇଞ୍ଜିନକୁ ପଛକୁ ଫେରାଇ ୱାଗନ୍‌ ସହ ସଂଯୋଗ କରିଥିଲେ। ମାଲବାହୀ ଟ୍ରେନଟି ପ୍ରାୟ ଅଧଘଣ୍ଟା ପରେ ଆଗକୁ ବଢ଼ିଥିଲା।

ଘଟଣାରୁ ପ୍ରକାଶ, ରାଉରକେଲାରୁ ଝାରସୁଗୁଡା ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍‌ରେ ପାନପୋଷ ବ୍ରାହ୍ମଣୀ ପୋଲ ଉପରେ ଦେଇ ଯାଉଥିବାବେଳେ କୌଣସି କାରଣରୁ ୱାଗନ୍‌ ଓ ଇଞ୍ଜିନ୍‌କୁ ସଂଯୋଗ କରୁଥିବା ଲୁହା ପ୍ଲେଟ ବାହାରି ଯାଇଥିଲା। ଫଳରେ ଇଞ୍ଜିନଟି ୱାଗନ୍‌ଗୁଡ଼ିକୁ ଛାଡି ଚାଲିଯାଇଥିଲା। ‌ଖବର ପାଇବା ପରେ ରାଉରକେଲାରୁ ରେଳବିଭାଗର ବରିଷ୍ଠ ଅଧିକାରୀ ଓ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୱାଗନ ସହ ଇଞ୍ଜିନକୁ ସଂଯୋଗ କରିଥିଲେ। ଏହି କାମ ଚାଲିଥିବାବେଳେ ପ୍ରାୟ ଅଧଘଣ୍ଟା ଧରି ପୋଲ ଉପରେ ମାଲବାହୀ ଟ୍ରେନ ଅଟକ ରହିଥିବାରୁ ବମ୍ବେ- ହାୱଡା ଅପ୍‌ ଲାଇନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସୂଚନା‌ଯୋଗ୍ୟ ଯେ ରାଉରକେଲା-ଝାରସୁଗୁଡା ରେଳପଥରେ ବାରମ୍ବାର ଏଭଳି ଅଦ୍ଭୁତ ଅଘଟଣ ଘଟୁଛି। ଏହି ଘଟଣା କତ୍ତୃର୍ପକ୍ଷଙ୍କ ଦାୟିତ୍ବ ଓ କର୍ତ୍ତବ୍ୟବୋଧ ପ୍ରତି ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଜିକୁ ମିଶାଇ ରାଉରକେଲା-ଝାରସୁଗୁଡା ରେଳପଥରେ ଏଭଳି ୫ଟି ପ୍ରମୁଖ ଅଘଟଣ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

୨୦୧୭ ଜାନୁଆରୀ ୧୭ ତାରିଖରେ ଭୁବନେଶ୍ବର- ଆନନ୍ଦବିହାର (ଦିଲ୍ଲୀ) ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନ ଛାଡିବାର ମାତ୍ର ୪/୫ ମିନିଟ୍‌ ପରେ ବିରଜାପାଳି (ବାସନ୍ତୀକଲୋନୀ ଓଭରବ୍ରିଜ ଓ ଏସ୍‌ଟିଆଇ ଛକ ମଝି) ନିକଟରେ ହଠାତ୍‌ ଇଞ୍ଜିନରୁ କପ୍‌ଲିଙ୍ଗ ଖସିଯାଇଥିଲା। ୨୦୧୮ ଏପ୍ରିଲ ଦ୍ବିତୀୟ ସପ୍ତାହରେ କଲୁଙ୍ଗା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୫ଟି ବଗି ବିଚ୍ଛିନ୍ନ ହୋଇଥିଲା। ପୁଣି ମେ’ ୨୯ ତାରିଖରେ ରାଉରକେଲା ଷ୍ଟେସନରୁ ପ୍ରାୟ ୫ କିଲୋମିଟର ଦୂର ଏସ୍‌ଟିଆଇ ରେଳଫାଟକ ନିକଟରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ୱାଗନ୍‌ରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦେଢ଼ଶହ ମିଟର ଦୂରକୁ ପଳାଇଥିଲା। ପୁଣି ପ୍ରାୟ ଦୁଇ ମାସ ତଳେ ଆଇଟିଆଇ ଛକରେ ରେଳ ଫାଟକ ମଝିରେ ଶହେ ସରିକି ଲୋକ ଓ ଗାଡ଼ି ଥିବାବେଳେ ହଠାତ୍ ଫାଟକ ବନ୍ଦ ହୋଇ ଯାଇଥିଲା ଏବଂ ଏକ ଏକ୍ସପ୍ରେସ୍ ଟ୍ରେନ୍ ସେହି ବାଟଦେଇ ଚାଲି ଯାଇଥିଲା। ଏହି ଘଟଣାରେ ଫାଟକ ଜଗୁଆଳିକୁ ନିଲମ୍ବିତ କରାଯାଇଥିଲା। ଅନୁରୂପ ଭାବେ ଗତ ସପ୍ତାହ ପୂର୍ବରୁ ବୀରମିତ୍ରପୁର-ବରସୁଆଁ ପାସେଞ୍ଜର ଟ୍ରେନର ଡ୍ରାଇଭର ବନ୍ଧମୁଣ୍ଡା ଷ୍ଟେସନ ଭୁଲିଯାଇଥିଲେ। ଆଜି ଆଉ ଏକ ଘଟଣା ରେଳବାଇର ତ୍ରୁଟିକୁ ପୁଣିଥରେ ସାମ୍‌ନାକୁ ଆଣିଛି।

ସମ୍ବନ୍ଧିତ ଖବର