ପୁଣି ଥରେ ଟ୍ରେନ୍‌ ବଗି ଛାଡ଼ି ପଳାଇଲା ଇଞ୍ଜିନ, ଏଥର ରାଉରକେଲାରେ

ରାଉରକେଲା: ପୁଣି ଥରେ ଟ୍ରେନ୍‌ ବଗି ଛାଡ଼ି ପଳାଇଛି। ରାଉରକେଲା ଷ୍ଟେସନ୍‌ ନିକଟରେ ମଙ୍ଗଳବାର ଏଭଳି ଅଭାବନୀୟ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି। ଟ୍ରେନ୍‌ର ଇଞ୍ଜିନ କିଛି ବାଟ ଆଗକୁ ଗଡ଼ି ଯିବା ପରେ ଡ୍ରାଇଭର ଜାଣି ପାରିଥିଲେ। ସୂଚନା ଅନୁସାରେ ଏସ୍‌ଟିଆଇ ଲେବେଲକ୍ରସିଂ ନିକଟରେ ମାଲଗାଡ଼ି ଟ୍ରେନ୍‌ଟି ଛିଡ଼ା ହୋଇଥିବା ବେଳେ, ଏହାର ଇଞ୍ଜିନ ପ୍ରାୟ ଦେଢ଼ ଶହ ମିଟର ଆଗକୁ ଗଡ଼ି ଯାଇଥିଲା। ଫଳରେ ହାଓ୍ଵଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଦୁର୍ଘଟଣା ଟଳିଛି। ପ୍ରତକ୍ଷ୍ୟଦର୍ଶିଙ୍କ କହିବା ଅନୁସାରେ ଟ୍ରେନ୍‌ରେ କାର୍ଯ୍ୟରତ ଚାଳକ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଦେଖିବାକୁ ମିିଳିଛି।

ସୂଚନାଯୋଗ୍ୟ ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇଞ୍ଜିନ ବଦଳାଇବା ବେଳେ ଗତ ଏପ୍ରିଲ ୭ ରାତିରେ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ର ଏକାଧିକ ଯାତ୍ରୀ ବଗିକୁ ଛାଡ଼ି ପଳାଇଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲା। ସେଦିନ ରାତିରେ ପୁରୀରୁ ଅହମଦାବାଦ ଯାଉଥିବା ଟ୍ରେନ୍‌ ଟିଟିଲାଗଡ଼ ଜଙ୍କସନ୍‌ରେ ଇଞ୍ଜିନ ବଦଳାଉ ଥିଲା। ଏହାରି ଭିତରେ ସିଗନାଲ ଜନିତ ସମସ୍ୟା ହେଉ ବା କର୍ମଚାରୀଙ୍କ ଅବହେଳା ହେଉ, କିଛି ଯାତ୍ରୀ ବଗିକୁ ଛାଡ଼ି ପଳାଇଥିଲା। ଟ୍ରେନ୍‌ ଯାଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଷ୍ଟେସନରେ ଅଟକି ଥିଲା। ସେତେବେଳକୁ ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ।

ତ୍ରୁଟିଯୁକ୍ତ ଚଳାଚଳ ପାଇଁ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ କେସିଙ୍ଗାରେ ପହଞ୍ଚିବା ଘଟଣାରେ ପୂର୍ବତଟ ରେଳପଥ ପକ୍ଷରୁ ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଟେକ୍‌ନିସିଆନ ଗ୍ରେଡ-୧ କର୍ମଚାରୀ ଗୁପ୍ତେଶ୍ୱର ପଣ୍ଡା, ପ୍ରିତମ ବାଗ, ଲାଟୁ କେଟପଟା, ଅପରେଟିଂ ଡିପାର୍ଟମେଣ୍ଟର କାନ୍ଥ ଫନେଶ, ଧର୍ମେନ୍ଦ୍ର ନିଆଲ, ପାଇଲଟ ଏସ୍‌ ଭେଙ୍କଟେଶ୍ୱର ରାଓ ଓ ସହାୟକ ପାଇଲଟ ଏସ୍‌.କେ. ସିଲ୍‌ ନିଲମ୍ବନ ହୋଇଛନ୍ତି।

ସମ୍ବନ୍ଧିତ ଖବର