୮ ଦିନରେ ଚାଲିଛି ୧୦୧୨ ଟ୍ରେନ
ପୂର୍ବତଟ ରେଳପଥରେ କୋଇଲା, ଗହମ, ଚାଉଳ ଇତ୍ୟାଦି ପରିବହନ ହେଉଛି
ପାର୍ସଲ ଟ୍ରେନରେ ଅମୂଲ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପରିବହନ
ଭୁବନେଶ୍ୱର : ୨୧ ଦିନିଆ ତାଲା ବନ୍ଦ ସତ୍ତ୍ୱେ ସାରା ଦେଶରେ ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରିଛି। ଭାରତୀୟ ରେଳପଥ ପକ୍ଷରୁ ଅତ୍ୟାବଶ୍ୟକ ପଦାର୍ଥ ଯଥା ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପନିପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଇତ୍ୟାଦି ପରିବହନ ଜାରି ରଖିଛି। ୨୧ ଦିନ ଆହ୍ୱାନକୁ ସାମ୍ନାରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ କୋଇଲା ଯୋଗାଣ ନିୟମିତ ଭାବେ ଜାରି ରଖିଛି। ପୂର୍ବତଟ ରେଳପଥର ପରିସୀମା ମଧ୍ୟରୁ ମାଲ ପରିବହନ କରି ଦକ୍ଷିଣ ଭାରତକୁ ଚାଉଳ ଯୋଗାଣ ସମ୍ଭବ ହେଉଛି। ହୀରାକୁଦ, ବଲାଙ୍ଗୀର, ବରଗଡ଼ ଓ ଡୁଙ୍ଗୁରିପାଲି ଷ୍ଟେସନ୍ରୁ ଚାଉଳ ବୋଝେଇ କରି ସରେଇ, କଟିହାର, ଟାଟା, କରଜେରିଗ୍ରାମ, ଟତସିଲ୍ୱାଇ, ନାମକୋନ, ଜସିଡିହି, ମଧୁପୁର, ଦୁମ୍କା ଆଦି ସ୍ଥାନକୁ ଅତ୍ୟାବଶ୍ୟକ ପଦାର୍ଥ ପରିବହନ ହେଉଛି।
ମାର୍ଚ୍ଚ ୨୨ରୁ ୨୮ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମାରୁ ୬ଟି ଟ୍ରେନ୍ରେ ଚାଉଳ ବୋଝେଇ କରି ଏହି ସବୁ ସ୍ଥାନକୁ ପହଞ୍ଚା ଯାଇଛି। ସେହିପରି ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥାନକୁ ତାଳଚେର, ପାରାଦୀପ, ବିଶାଖାପାଟଣା ଓ ଧାମରାଠାରୁ କୋଇଲା ପରିବହନ କରାଯାଉଛି। ତାଲାବନ୍ଦ ଘୋଷଣାର ୮ଦିନ ତଥା ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ସମୁଦାୟ ୧୦୧୨ଟି ଟ୍ରେନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରି ଚଳାଚଳ କରିଛି। ଏହି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିଥିବା ଟ୍ରେନ୍ ମଧ୍ୟରେ ୬୪୯ଟି ଟ୍ରେନ୍ କୋଇଲା, ୮ଟି ଚାଉଳ, ୨୩ଟି ପେଟ୍ରୋଲିୟମ୍ ଉତ୍ପାଦ, ୭ଟି ସାର ବୋଝେଇ ଓ ୩୨୫ଟି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଟ୍ରେନ୍ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ବିଭିନ୍ନ ପଣ୍ୟ ଖଲାସ ହେଉଥିବା ସ୍ଥାନଗୁଡ଼ିକରେ ଧାନ, ଚିନି, ଜାଳେଣୀ ତେଲ, ଦୁଗ୍ଧ ଆଦି ଖାଦ୍ୟଶସ୍ୟ ପହଞ୍ଚିଛି।
ଲୋକୋ-ପାଇଲଟ୍, ସହକାରୀ ଲୋକୋ-ପାଇଲଟ୍, ଗାର୍ଡ, ଷ୍ଟେସନ୍ ମାଷ୍ଟର, ଟୋକୋନ୍ ପୋର୍ଟର, ଗୁଡସ୍ କ୍ଲର୍କ ପ୍ରମୁଖ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧା। ସଙ୍କେତ, ବିଦ୍ୟୁତ୍, ଯାନ୍ତ୍ରିକ, ଇଂଜିନିୟରିଂ, ସୁରକ୍ଷା, ମରାମତି ବିଭାଗର କର୍ମଚାରୀମାନେ ଦିନରାତି କାର୍ଯ୍ୟ କରି ଏହି ଅତ୍ୟାବଶ୍ୟକ ପଦାର୍ଥକୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିବାରେ ସକ୍ଷମ ହେଉଛନ୍ତି। ଗୁଡସ୍ ସେଡ୍ଠାରେ ମାଲ ବୋଝେଇ ଓ ଖଲାସ ସମୟରେ ଶ୍ରମିକ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟ କରିବାକୁ ନିଶ୍ଚିତ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/train-2.jpg)