ମାଲବାହୀ ଟ୍ରେନ୍‌ ଚଳାଚଳରେ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ

ଭୁବନେଶ୍ୱର : କରୋନା ଯୋଗୁଁ ସାରା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକ ବାତିଲ ରହିଛି। କିନ୍ତୁ ମାଲବାହୀ ଟ୍ରେନ୍‌ ନିୟମିତ ଭାବେ ଚଳାଚଳ କରୁଛି। ଅତ୍ୟାବଶ୍ୟକୀୟ ପଦାର୍ଥର ଯୋଗାଣ ନିମନ୍ତେ ରେଳପଥ ୨୪ ଘଣ୍ଟା କାର୍ଯ୍ୟ କରୁଛି। ଖାଦ୍ୟଶସ୍ୟ, କୋଇଲା, ପେଟ୍ରୋଲ ଉତ୍ପାଦକ ପଦାର୍ଥ, ସାର, କଣ୍ଟେନର୍‌ରେ ଦୁଗ୍ଧ, ଦେଶର ବିଭିନ୍ନ ସ୍ଥାନକୁ ପନିପରିବା ଆଦି ସାମଗ୍ରୀକୁ ଟ୍ରେନ୍‌ ମାଧ୍ୟମରେ ପଠାଯାଉଛି। ବିଜୁଳି ଉତ୍ପାଦନ ସ୍ଥାନଗୁଡ଼ିକୁ କୋଇଲା ଭଳି ଗୁରୁତ୍ୱପୂର୍ଣ୍ଣ ପଦାର୍ଥ ପରିବହନ କରିବାରେ ପୂର୍ବତଟ ରେଳପଥ ଏକ ବୃହତ୍‌ ଭୂମିକା ଗ୍ରହଣ କରୁଛି। ଯଦି କୋଇଲା ବିଜୁଳି ଉତ୍ପାଦନ ସ୍ଥାନକୁ ପଠା ନ ଯାଏ, ତେବେ ଏପ୍ରିଲଠାରୁ ବିଦ୍ୟୁତ୍‌ ଅଭାବ ପଡ଼ିବ। ସେହିପରି ପେଟ୍ରୋଲିୟମ ପଦାର୍ଥ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦାର୍ଥଗୁଡ଼ିକର ଅବସ୍ଥା ବି ସମାନ ହେବ। ଦେଶର ଖାଦ୍ୟ ନିଗମକୁ ଚାଉଳ ଓ ଗହମ ପରିବହନ କରାଯାଉଥିବା ବେଳେ ଷ୍ଟିଲ ପ୍ଲାଣ୍ଟଗୁଡ଼ିକୁ ଲୁହାପଥର ଓ ଇସ୍ପାତ ମଧ୍ୟ ପରିବହନ କରୁଛି ରେଳପଥ। ନାଲ୍‌କୋକୁ ସ୍ୱତନ୍ତ୍ର ୱାଗନ୍‌ରେ ଆଲୁମିନା ପାଉଡର୍‌ ଓ ଆଲୁମିନିୟମ୍‌ ଧାତୁଖଣ୍ଡ ପରିବହନ କରାଯାଉଛି।

ଗତକାଲି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସର୍ବାଧିକ ୫୦୦ରୁ ଅଧିକ ଟ୍ରେନ୍‌ ଚଳାଚଳ କରିଛି। ସମସ୍ତ ଟ୍ରେନ୍‌ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରିଛି। ଲୋକୋପାଇଲଟ୍‌ ଓ ଗାର୍ଡମାନେ ସାହସର ସହ ନିଜର କାର୍ଯ୍ୟ କରୁଛନ୍ତି। ତେଣୁ ଟ୍ରେନ୍‌ ପରିଚାଳନା ସହ ସଂଶ୍ଲିଷ୍ଟ ଥିବା ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ସମ୍ବଲପୁର, ଖୋର୍ଦ୍ଧା ରୋଡ୍‌ ଓ ୱାଲଟିୟର୍‌ ରେଳମଣ୍ଡଳର ରେଳ ପ୍ରବନ୍ଧକମାନେ ଏକ ସ୍ୱତନ୍ତ୍ର ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କ ପୁଲିସ ଓ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଟ୍ରେନ୍ ଚଳାଚଳକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟ୍ରେନ୍‌ ପରିଚାଳନା ପାଇଁ ରେଳ ଟ୍ରାକ୍‌ରେ ନିୟୋଜିତ କର୍ମଚାରୀ, ୱାଗନ୍‌ ଓ ସିଗନାଲ୍‌ ମେ‌ଣ୍ଟେନାନ୍ସ କର୍ମଚାରୀଙ୍କ ସହ ଷ୍ଟେସନ୍‌ ମାଷ୍ଟର ଓ ଟ୍ରେନ୍‌ କଣ୍ଟ୍ରୋଲ କର୍ମଚାରୀମାନେ ନିତାନ୍ତ ଅପରିହାର୍ଯ୍ୟ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର