ବ୍ରହ୍ମପୁର : ବୟସ ୧୬ ବର୍ଷ। ମୁଖରେ ଶ୍ରୀମଦ୍ ଭଗବତ ଗୀତାର ଶ୍ଳୋକ ଅନର୍ଗଳ ଓ ପ୍ରାଞ୍ଜଳ। ପୁସ୍ତକ ନ ଦେଖି ଅନବରତ ଆବୃତ୍ତି କରୁଛନ୍ତି। ଏମିତିକି ଗୋଟିଏ ମିନିଟ୍ରେ ଗୀତାର ପଞ୍ଚଦଶ ଅଧ୍ୟାୟର ୧୩ଟି ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ଗୁଗୁଲ୍ ବଏ ବିଠଲ୍ ଭରଦ୍ବାଜ। ଏହାପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସଂସ୍କୃତ ଭାଷାରେ ରୁଚି ରଖୁଥିବା ବେଳେ ଆଗକୁ ଗିନିଜ୍ ରେକର୍ଡ଼ ପାଇଁ ଆଗ୍ରହୀ।
ବ୍ରହ୍ମପୁର ଗଜପତି ନଗର ତୃତୀୟ ଲାଇନ୍ର ସ୍ବର୍ଗତ ହୃଷିକେଶ ସାହୁ ଓ ସସ୍ମିତା ସାହୁଙ୍କ ଏକମାତ୍ର ସନ୍ତାନ ବିଠଲ୍। ବାପା ହୃଷିକେଶ ଅରୁଣାଚଳ ପ୍ରଦେଶରେ ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଥିଲେ। ବାପାଙ୍କ ପ୍ରେରଣାରେ ପିଲାଟି ଦିନରୁ ବିଠଲ୍ଙ୍କ ସଂସ୍କୃତ ପ୍ରତି ଆଗ୍ରହ ବଢ଼ିଥିଲା। ବାପା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷା ଦେଉଥିବା ବେଳେ ସେଠାରେ ବସି ତାହାକୁ ଧ୍ୟାନରେ ଶୁଣୁଥିଲେ। ଭଗବତ୍ ଗୀତା ପ୍ରତି ବିଠଲଙ୍କ ରୁଚି ଥିବା ଜାଣିବାକୁ ପାଇ ଗୀତାର ବିଭିନ୍ନ ଶ୍ଳୋକ ସମ୍ପର୍କରେ ବାପା ଜ୍ଞାନ ଦେଉଥିଲେ। ପ୍ରତିଦିନ ଶ୍ରୀମଦ୍ ଭଗବତ ଗୀତା ପଢ଼ି ତାହାକୁ ଅଭ୍ୟାସ କରୁଥିଲେ। ଗୀତାର ଦ୍ବିତୀୟ, ନବମ, ଏକାଦଶ, ଦ୍ବାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡ଼ଶ ଓ ଅଷ୍ଟାଦଶ ମୋଟ ୯ଟି ଅଧ୍ୟାୟର ଶ୍ଳୋକ ମୁଖସ୍ଥ କରି ସାରିଛନ୍ତି। ଯେଉଁ ଶ୍ଳୋକ ଅର୍ଥ ବୁଝିପାରନ୍ତି ନାହିଁ ବାପାଙ୍କୁ ପଚାରି ବୁଝୁଥିଲେ। ପିତାଙ୍କ ଦେହାନ୍ତ ପରେ ଅଜା ଓ ମା’ ତାଙ୍କୁ ଗୀତାର ମର୍ମ ବୁଝାଉଛନ୍ତି ଓ ପ୍ରେରଣା ଦେଉଛନ୍ତି।
ବିଠଲ୍ ବ୍ରହ୍ମପୁର ଅଜା ଘରେ ରହି ପାଠ ପଢ଼ିବାକୁ ଆସି ଡିଏଭି ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ଥିଲେ। ଏବେ ସେ ଏକାଦଶ ଶ୍ରେଣୀରେ। ଦିନେ ବିଦ୍ୟାଳୟ ଶିକ୍ଷୟିତ୍ରୀ ବିଳାସିନୀ ଦାସ ତାଙ୍କ ଶ୍ଳୋକ ଆବୃତ୍ତି ବିଷୟରେ ଜାଣି ଅଭିଭୂତ ହୋଇ ତାଙ୍କ ପ୍ରତିଭାକୁ ଇଣ୍ଡିଆ ବୁକ୍ ଅର୍ଫ ରେକର୍ଡ଼ସ୍କୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। ବିଠଲ୍ ଗୀତାର ପଞ୍ଚଦଶ ଅଧ୍ୟାୟର ପ୍ରଥମରୁ ତ୍ରୟୋଦଶ ଶ୍ଳୋକକୁ ୧ ମିନିଟ୍ ମଧ୍ୟରେ ଅତ୍ୟନ୍ତ ପ୍ରାଞ୍ଜଳ ଓ ଅନର୍ଗଳ ଭାବେ ଆବୃତ୍ତି କରି ଏହି ଭିଡ଼ିଓକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍କୁ ପଠାଇଥିଲେ। ସେଠାରେ ଚୟନ ହେବା ପରେ ତାଙ୍କ ପାଖକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ ପକ୍ଷରୁ ପ୍ରମାଣପତ୍ର ଓ ମେଡ଼ାଲ୍ ପ୍ରଦାନ କରାଯାଇଛି। ଏଥିପାଇଁ ବିଠଲ୍ ସମସ୍ତ ଶ୍ରେୟ ଶିକ୍ଷୟିତ୍ରୀ, ବାପା, ମା ଓ ପରିବରବର୍ଗଙ୍କୁ ଦେଇଛନ୍ତି।