ଗୁରୁଙ୍କ ସ୍ଥାନ ନେଇପାରିବନି ଗୁଗୁଲ୍‌: ଉପରାଷ୍ଟ୍ରପତି

କିଟ୍‌ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ

ଭୁବନେଶ୍ୱର : ଆଜି ଆମେ ସୂଚନା ପ୍ରଯୁକ୍ତିବିଦ୍ୟାରେ ଅନେକ ଉନ୍ନତି କରିଛୁ। କମ୍ପ୍ୟୁଟର, ଇଣ୍ଟରନେଟ୍‌ ଏପରି କି ଗୁଗୁଲ୍‌ ସବୁ କାମରେ ସହାୟକ ହେଉଛି। ଯେତେ ଯାହାହେଉ ପଛେ, ଗୁରୁଙ୍କ ସ୍ଥାନ କେବେ ବି ନେଇପାରିବନି ଗୁଗୁଲ୍‌। ଗୁରୁ ସହିତ ମା’, ମାତୃଭାଷା ଏବଂ ମାତୃଭୂମି ଭଳି ୪ଟି ମନ୍ତ୍ରକୁ କେବେ ବି ପାସୋରି ଯିବା ଉଚିତ ନୁହେଁ। ମା’ର ଭାଷା ବା ମାତୃଭାଷା ଭାବନା ସହିତ ଗତି କରେ। ହିନ୍ଦୀ, ଇଂରାଜୀ ବା ଅନ୍ୟାନ୍ୟ ଭାଷା ଶିଖିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଘରକୁ ଆସିଲେ, ଡାଡି, ମମି ନୁହେଁ, ମାତୃଭାଷାରେ କହିବା ଉଚିତ। ଏହା ଆମର ଆଖି ସଦୃଶ। ସେଥିରେ ଆମେ ଚଷମା ଲଗାଇପାରୁ। କିନ୍ତୁ ଆଖି ନଷ୍ଟ ହେଲେ ଯେତେ ସୁଦୃଶ୍ୟ ଚଷମା ପିନ୍ଧିଲେ ବି କିଛି ଲାଭ ନାହିଁ।

କିଟ୍‌ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଆବେଗଭରା ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟାନାଇଡ଼ୁ।

ଓଡ଼ିଆ ଭାଷାରେ ୪/୫ ଧାଡ଼ି କହି ସେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଓଡ଼ିଆ ଭାଷାରେ କହିବା ବେଳେ ପ୍ରେକ୍ଷାଳୟ କରତାଳିରେ ଫାଟି ପଡ଼ିଥିଲା। ବିଶେଷ କରି ସେ ଓଡ଼ିଆରେ କହିଲେ ଯେ ଏହା ଜଗନ୍ନାଥଙ୍କ ଦେଶ ହୋଇଥିବାରୁ ଓଡ଼ିଶା ମୋତେ ଭଲ ଲାଗେ। ସେ କହିଲେ ଯେ ଏବେ ଏଲ୍‌.ପି.ଜି. ଅର୍ଥାତ୍‌ ଉଦାରୀକରଣ, ଘରୋଇକରଣ, ଜଗତୀକରଣର ଯୁଗ। ଏହି ଯୁଗରେ ପ୍ରତିଦ୍ୱନ୍ଦ୍ୱିତାକୁ ସାମ୍ନା କରିବାକୁ ହେବ। ସେଥିପାଇଁ ନିଜକୁ ନିଜ ପସନ୍ଦର କ୍ଷେତ୍ରରେ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବାକୁ ହେବ। ନିଜର ଜ୍ଞାନର ଅଭିବୃଦ୍ଧି ସର୍ବଦା କରିବାକୁ ପଡ଼ିବ ବୋଲି ଶ୍ରୀ ନାଇଡ଼ୁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀମାନେ କୌଣସି ପରିସ୍ଥିତିରେ ନିଜ ସଂସ୍କୃତି କଥା ପାସୋରି ଯିବା ଉଚିତ ନୁହେଁ କହି ଭାରତ ପ୍ରାଚୀନ ସଂସ୍କୃତିର କେନ୍ଦ୍ର ବୋଲି ସେ ଦର୍ଶାଇଥିଲେ। ନିଜକୁ ‘ଭାରତୀୟ’ ଭାବେ ଗଢ଼ି ତୋଳିବାକୁ ହେଲେ ପୁରାତନ ସଂସ୍‌ୃତିକୁ ଫେରିବାକୁ ହେବ। ବର୍ତମାନ ଭାରତରେ ଅନେକ ସୁଯୋଗ ରହିଛି। ଡ. ଏ.ପି.ଜେ. ଅବଦୁଲ୍‌ କଲାମ ଜଣେ ସାଧାରଣ ଗରିବ ପିଲା ଥିଲେ। କିନ୍ତୁ କଠୋର ସାଧନା କରି ସେ ରାଷ୍ଟ୍ରପତି ହୋଇପାରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତୀତ କଥା କହି ସେ ଆଜି ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇପାରିଥିବା କହିଥିଲେ। ରାଜ୍ୟପାଳ ଡ. ଏସ୍‌.ସି. ଜମିର ତାଙ୍କ ଅଭିଭାଷଣରେ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଯୋଗୁଁ ଭୁବନେଶ୍ୱର ଶିକ୍ଷାର କେନ୍ଦ୍ରସ୍ଥଳୀରେ ପରିଣତ ହୋଇପାରିଥିବା କହିଥିଲେ। ଭବିଷ୍ୟତ ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ କିଟ୍‌ ଏବଂ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନଙ୍କର ଭୂୟସୀ ପ୍ରଶଂସା କରିଥିଲେ।

ଏହି ସମାବର୍ତନ ଉତ୍ସବରେ ଦେଶର ପ୍ରଖ୍ୟାତ ଶିଳ୍ପୀ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ସିମ୍ପ୍‌ଲେକ୍ସ ଇନ୍‌ଫ୍ରା ଅଧ୍ୟକ୍ଷ ଡ. ବିଥଲ ନାସ ମୁନ୍ଧ୍ରା ଏବଂ ଭରତିଆ ଚାରିଟେବୁଲ୍‌ ଟ୍ରଷ୍ଟ ଅଧ୍ୟକ୍ଷ କିଶନଲାଇ ଅଗ୍ରଓ୍ଵାଲ୍‌ଙ୍କୁ ସମ୍ମାନଜନକ ଡି.ଲିଟ୍‌ ଉପାଧି ଭୂଷିତ କରାଯାଇଥିଲା। ଏହି ଅବସରରେ କିଟ୍‌ର ୪୮୨୦ଜଣ ଛାତ୍ରଛାତ୍ରୀ ସେମାନଙ୍କର ଡିଗ୍ରି ଗ୍ରହଣ କରିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କିଟ୍‌ର ଭାରପ୍ରାପ୍ତ କୁଳାଧିପତି ଡ. ସୁବ୍ରତ କୁମାର ଆଚାର୍ଯ୍ୟ। ଅନ୍ୟମାନଙ୍କ ମଧ୍ୟରେ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର