ଭୁବନେଶ୍ୱର: ଓଡ଼ିଶାରେ ଏବେ ଗୁଣ୍ଡାରାଜ ଚାଲିଛି। ଶାସନ ପ୍ରକ୍ରିୟାକୁ ବିଜେପି କର୍ମୀଙ୍କ ଦ୍ୱାରା ଆୟତ୍ତ କରିବାକୁ ପ୍ରୟାସ ହେଉଛି। ପରିଣାମ ସ୍ବରୂପ ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିବା ବେଳେ ବିଏମ୍ସିର ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବିଜେପି କର୍ପୋରେଟରଙ୍କ ସମେତ ୮ରୁ ୧୦ ଜଣ କର୍ମୀ ଆକ୍ରମଣ କରିଛନ୍ତି। ଅଧିକାରୀଙ୍କୁ ଅତି ଅମାନୁଷିକ ଭାବେ ମୁହଁକୁ ଗୋଇଠା ଓ ମୁଥ ମାରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଅଫିସ ବାହାରେ ଆତଙ୍କ ସୃଷ୍ଟି କରିଥିଲେ। ଏହି ବିଜେପି କର୍ମୀ ଓ ନେତାମାନେ ଏତେ ସାହସ କେଉଁଠାରୁ ପାଇଲେ? ରାଜ୍ୟରେ ଆଇନର ଶାସନ ଚାଲିଛି ତ? ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଜେଇ, ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମାଡ଼ ହୋଇଛି। ଖରାପ ଭାଷାରେ ଗାଳିଗୁଲଜ କରାଯିବାର ନଜିର ରହିଛି। ଏବେ ରାଜଧାନରେ ଏଭଳି ଘଟଣା ଚିନ୍ତାର ବିଷୟ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ପୁରୀ ଶରଧାବାଲିରେ ତିନିଜଣ ଭକ୍ତଙ୍କ ମୃତ୍ୟୁ ଓ ରଥାଟଣାର ବିଭ୍ରାଟକୁ ନେଇ ଗଣତାନ୍ତ୍ରିକ ଉପାୟରେ ଯୁବ କଂଗ୍ରେସର ନେତୃବର୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯାଉଥିବା ସମୟରେ ପୁଲିସ ଅଧିକାରୀ ଯେଉଁଭଳି ଭାବେ ବ୍ୟବହାର କଲେ ତାହା ନିନ୍ଦନୀୟ। ସମ୍ବିଧାନ ତାଙ୍କୁ ଚାକିରି ଦେଇଛି କିନ୍ତୁ ସେ ସମ୍ବିଧାନର ନିୟମକୁ ମାନୁନାହାନ୍ତି। ବିଧାନସଭା ଚାଲିଥିବା ସମୟରେ ପୂର୍ବତନ ବିଧାୟକଙ୍କୁ ବିଧାନସଭା ଭିତରକୁ ନ ଛାଡ଼ିବାକୁ ଏହି ପୁଲିସ ଅଧିକାରୀ ଜଣକ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ପୋଷାକ ପିନ୍ଧି ସମ୍ବିଧାନକୁ ଅସମ୍ମାନ କରିବା ଅକ୍ଷମଣୀୟ ଅପରାଧ। ଚାକିରିରେ ଥାଇ ଏଭଳି ଆଚରଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବ ନାହିଁ।
ରଥଯାତ୍ରା ବିଭ୍ରାଟକୁ ନେଇ ପିସିସି ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ରଥଯାତ୍ରାର ବହୁ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ କମିଟି ଗଠନ କରି ରଥଯାତ୍ରାକୁ ସୁରୁଖୁରରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରଥଯାତ୍ରାରେ ଅବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି। ୧୫୦୦ରୁ ଅଧିକ ବିଜେପି କର୍ମକର୍ତ୍ତା କର୍ଡନ୍ ଭିତରେ କିଭଳି ରହିଲେ? ତାଙ୍କୁ ପାସ୍ କିଏ ଦେଲା? ୫୩ ବର୍ଷ ଭିତରେ ଏଭଳି ବିଶୃଙ୍ଖଳା କେବେ ଦେଖାଦେଇ ନଥିଲା। ଆଇନ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଡିଜି ପୁଲିସ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କର କ’ଣ କିଛି ଦୋଷ ନାହିଁ? ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା? ଉନ୍ନୟନ କମିସନରଙ୍କ ବଦଳରେ ଜଣେ ଜିଲ୍ଲା ଜଜ୍ଙ୍କ ଅଧ୍ୟକ୍ଷତାର ଘଟଣାର ତଦନ୍ତ ହେଉ ଏବଂ ତଦନ୍ତ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ସରକାର ପ୍ରକାଶ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।