ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ଗୋପ ମେଡିକାଲ୍‌ର ଏକମାତ୍ର ନିଜସ୍ୱ ଆମ୍ବୁଲାନ୍ସ

ଗୋପ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ମେଡିକାଲକୁ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଲକ୍ଷ୍ୟ ଥିଲା ଜରୁରୀକାଳୀନ ସ୍ଥିତିରେ ହଠାତ୍ ଡାକ୍ତର ଗୁରୁତର ରୋଗୀଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିପାରିବେ। ମାତ୍ର ଗୋପ ମେଡିକାଲରେ ଏବେ ଏହି ସେବା ବନ୍ଦ ହୋଇଯିବା ପରିସ୍ଥିତିରେ। ଗୋପ ମେଡିକାଲର ଏକମାତ୍ର ନିଜସ୍ବ ଆମ୍ବୁଲାନ୍ସ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି। ନା ଅଛି ତାହାକୁ ପୁନରୁଦ୍ଧାର କରି ଚଳାଇବାର ଇଚ୍ଛାଶକ୍ତି ନା ଅଛି ଆମ୍ବୁଲାନ୍ସକୁ ସୁରକ୍ଷା ଦେବା ନିମନ୍ତେ ଗ୍ୟାରେଜ୍। ଖରାବର୍ଷା ସବୁ ସମୟରେ ଏବେ ମେଡିକାଲର ପଛପଟେ ପଡ଼ି ରହି କେବେ କବାଡ଼ିଆକୁ ବିକ୍ରି ହେବ କେବଳ ଦିନ ଗଣୁଛି।

ଏହି ଆମ୍ବୁଲାନ୍ସଟି ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ୨୦୧୩ ମସିହାରେ ତାଙ୍କ ସାଂସଦ ଅନୁଦାନ ପାଣ୍ଠିରୁ ଯୋଗାଇ ଦେଇଥିଲେ। ଏବେ ଏହି ଆମ୍ବୁଲାନ୍ସଟି ୧୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଇନସୁରାନ୍ସ ଡିସେମ୍ବର ୨୦୨୦ରେ ସରିଥିବା ବେଳେ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ମଧ୍ୟ ମଧ୍ୟ ୨୦୨୦ ମେ ମାସରେ ସରିଯାଇଛି। ଗାଡ଼ିରକେଉଁଠି ସୁତୁଲି ଦ୍ବାରା ବନ୍ଧା ଯାଇଛି ତ କେତେକ ସ୍ଥାନରେ କଳଙ୍କି ଖାଇ ପାର୍ଟଗୁଡିକ ଏବେ ନଷ୍ଟ ହେବାରେ ଲାଗିଛି। ଦୁଇ ମାସ ତଳେ ବ୍ୟାଟେରି ନଥିବାରୁ ଗାଡ଼ିକୁ ଠେଲି ଷ୍ଟାର୍ଟ କରିବାକୁ ପଡୁଥିଲା। ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଏକ ବ୍ୟାଟେରି ଲଗାଯାଇଥିଲା। ହେଲେ ଆମ୍ବୁଲାନ୍ସଟି ଯେଉଁ ଅବସ୍ଥାରେ ଥିଲା ତାହାଠାରୁ ଅଧିକ ଖରାପ ହେବାରେ ଲାଗିଛି। ଜରୁରୀ ସେବା ଦେଉଥିବା ଆମ୍ବୁଲାନ୍ସ ଏବେ କିନ୍ତୁ ଜରୁରୀ ରକ୍ଷଣାବେକ୍ଷଣ ଖୋଜୁଛି। କିନ୍ତୁ ଗୋପ ମେଡିକାଲ କର୍ତ୍ତୃପକ୍ଷ କ’ଣ ପାଇଁ ଏହାର ରକ୍ଷଣାବେକ୍ଷଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୁଇ ସପ୍ତାହ ତଳେ କାୟାକଳ୍ପ ଟିମ୍ ପରିଦର୍ଶନ କରିବା ସମୟରେ ଏହି ଆମ୍ବୁଲାନ୍ସଟିକୁ ମେଡିକାଲ ଅଫିସ୍‌ ନିକଟରେ ନିର୍ମିତ କରାଯାଇଥିବା ଆମ୍ବୁଲାନ୍ସ ଗ୍ୟାରେଜ୍‌ରେ ନ ରଖି ମେଡିକାଲ ପଛପଟେ ଲୁଚାଇ ରଖାଯାଇଥିଲା ଏବଂ ୧୦୮ ଆମ୍ବୁଲାନ୍ସ ଦୁଇଟିକୁ ମେଡିକାଲଠାରୁ ଏକ କିଲୋମିଟର ଦୂରରେ ରଖାଯାଇଥିଲା। ତାହା ସେ ସମୟରେ ଗୋପ ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତୁରନ୍ତ ଏହି ଆମ୍ବୁଲାନ୍ସଟିକୁ ମରାମତି କରାଯାଇ ପୁନରୁଦ୍ଧାର କରିବାକୁ ଗୋପ ଅଂଚଳର ସମାଜସେବୀ ବିଭୂତି ଭୂଷଣ ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର