ପ୍ରଶିକ୍ଷଣ ଶିବିର ବନ୍ଦ ହୋଇଗଲାଣି
ଡିଜି ପଦକୁ ଗୁରୁତ୍ୱ ଦିଆଯାଉ ନାହିଁ
ପଦ ନଥାଇ ଥଇଥାନ ଚାଲିଛି
ଭୁବନେଶ୍ୱର : ରାଜ୍ୟ ସରକାର ନିୟମିତ ବ୍ୟବଧାନରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଛନ୍ତି ଅଧିକ ଆଇଏଏସ୍ ଓ ଆଇପିଏସ୍ ଦିଅ। ଜଣେ ଜଣେ ପ୍ରଶାସନିକ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ ଲଦି ଦେଉଛନ୍ତି। ହେଲେ ଯେତିକି ଆଇଏଏସ୍, ଆଇପିଏସ୍ ଅଛନ୍ତି ସେମାନଙ୍କୁ କିପରି ଆବଶ୍ୟକ ତାଲିମ୍ ଦିଆଯିବ, ଯୁବ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ବି କାର୍ଯ୍ୟ କରିବାର ପ୍ରଶିକ୍ଷଣ ଦିଆଯିବ ସେ ଚିନ୍ତା ନାହିଁ।
ରାଜ୍ୟରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଦକ୍ଷ କରିବାରେ ସରକାର କେତେ ତତ୍ପର ତାହା ଗୋପବନ୍ଧୁ ପ୍ରଶାସନ ଏକାଡେମିକୁ ଦେଖିଲେ ଜଣାପଡ଼ୁଛି। ଯେଉଁଠି ଅଧିକାରୀମାନଙ୍କୁ ସରକାର ପ୍ରଶାସନିକ କଳା ଶିକ୍ଷା ଦେବା କଥା ସେଠାରେ ଏବେ ତାଲିମ୍/ପ୍ରଶିକ୍ଷଣ ଶିବିର ଏକରକମ ବନ୍ଦ ହୋଇଗଲାଣି। ଏକାଡେମି ଏବେ ଏକରକମ ଅଚଳାବସ୍ଥାକୁ ଠେଲି ହୋଇଯାଇଛି। ଗୋପବନ୍ଧୁ ପ୍ରଶାସନ ଏକାଡେମିକୁ ବନ୍ଦ କରିଦେବାକୁ ଏକ ବଡ଼ ଧରଣର ଷଡଯନ୍ତ୍ର ଚାଲୁଥିବା ନେଇ ଅଭିଯୋଗ ଉଠିଲାଣି।
ଗୋପବନ୍ଧୁ ପ୍ରଶାସନ ଏକାଡେମିର ଡାଇରେକ୍ଟର ଜେନେରାଲ ଭାବେ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ଏଠାରେ ବିଭିନ୍ନ ସମୟରେ ଓଡ଼ିଶା କ୍ୟାଡରର ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀଙ୍କୁ ତାଲିମ୍ ଦିଆଯାଉଥିବାରୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ଏକାଡେମିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଏ। କିନ୍ତୁ ଏବେ ଏହି ନିୟମ ବଦଳି ଯାଇଛି। ପ୍ରଶାସନ ଏକାଡେମିର ଅତିରିକ୍ତ ଡାଇରେକ୍ଟର ଜେନେରାଲ ଭାବେ କମିସନର ର୍ୟାଙ୍କର ଅଧିକାରୀ ରଂଜନା ଚୋପ୍ରାଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀମତୀ ଚୋପ୍ରା ମଧ୍ୟ ସମବାୟ ବିଭାଗର କମିସନର ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଏକାଡେମି ପାଇଁ ପୂରା ସମୟ ଦେବା ତାଙ୍କ ପକ୍ଷରେ ଅସମ୍ଭବ।
ଏତିକିରେ ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଏକାଡେମି ପ୍ରତି ବୈମାତୃକ ମନୋଭାବ ସରିନି। ଏକାଡେମିର ମୁଖିଆଙ୍କ ଅନୁପସ୍ଥିତିରେ କିପରି କାର୍ଯ୍ୟ ସୁରଖୁରରେ ହେବ ସେ ଚିନ୍ତା ନ କରି ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ସର୍ଭିସ୍ ଅଧିକାରୀ ସୁମିତା ସିଂହଙ୍କୁ ଏଠାରେ ଡେପୁଟି ଡାଇରେକ୍ଟର ଜେନେରାଲ ଭାବେ ଥଇଥାନ କରାଯାଇଛି। ଏକାଡେମିରେ ଡେପୁଟି ଡାଇରେକ୍ଟର ଜେନେରାଲ ପଦବି ନଥିବାବେଳେ କେଉଁ ଅଦୃଶ୍ୟ ଚାପରେ ଏଠାରେ ଏହି ପଦବି ସୃଷ୍ଟି କରି ଉପରୋକ୍ତ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ସେନେଇ ଏବେ ପ୍ରଶ୍ନ ଉଠିଲାଣି।
ଶ୍ରୀମତୀ ସିଂହ କାର୍ଯ୍ୟରେ ଯୋଗଦେବା ପରେ ବିଭିନ୍ନ ଆଳରେ ଟ୍ରେନିଂ ସବୁ ବନ୍ଦ କରି ଏକାଡେମିକୁ ସ୍ଥାଣୁ କରିଦେଉଥିବା ଅଭିଯୋଗ ହେଲାଣି। ଏପରିକି ସାଧାରଣ ପ୍ରଶାସନ ବିଭାଗ ବେଆଇନ ଭାବେ ଶ୍ରୀମତୀ ସିଂହଙ୍କୁ ନିଯୁକ୍ତି ଦେବା, ସମସ୍ତ ଫାଇଲ୍ କାର୍ଯ୍ୟ କରାଇବା, ସମସ୍ତ ସୁବିଧା ସୁଯୋଗ ସହ ବିଭିନ୍ନ ଭତ୍ତା ପ୍ରଦାନ କରିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ଉଠିଲାଣି।
କିଛି ମାସ ହେଲା ଗୋପବନ୍ଧୁ ପ୍ରଶାସନ ଏକାଡେମିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ନକଲେ ଏହା ଖୁବ୍ଶୀଘ୍ର ସବୁଦିନ ପାଇଁ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଲାଣି।