ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଛି ପରିବେଶ ପର୍ଯ୍ୟଟନସ୍ଥଳ ‘ଗୋପକୁଦା’

ଚିଲିକା ମଝିରେ ୪୧୨ ଏକର ଟୁାପୁ, ରହିଛି ପ୍ରାଚୀନ ଗୁପ୍ତେଶ୍ବର ଶୈବପୀଠ

ବ୍ରହ୍ମପୁର: ନୀଳମ୍ବୁ ଚିଲିକା। ଏହାର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ପ୍ରତିଟି ପ୍ରାଣକୁ ଆକର୍ଷିତ କରି ଆସିଛି। ରେଳଯାତ୍ର କରୁଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଚିଲିକାର ଶୋଭାରାଜି ଦେଖୃ ଅଭିଭୂତ ହୋଇ କାଳଜୟୀ କାବ୍ୟ ‘ରେଳ ଉପରେ ଚିଲିକା ଭ୍ରମଣ’ ଲେଖି ଯାଇଥିଲେ।  ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଏକ ଅନାଲୋଚିତ ବିଭବ ହେଉଛି ଗଞ୍ଜାମ ଜିଲ୍ଲାର ‘ଗୋପକୁଦା’ । ଏହି ପରିବେଶ ପର୍ଯ୍ୟଟନସ୍ଥଳ(ଇକୋ ଟୁରିଜିମ୍‌)ଟି ଏବେ ବି ସରକାର ତଥା ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କେଶପୁର ପଞ୍ଚାୟତର ଚିଲିକା ତଟବର୍ତ୍ତୀ ଗାଁ ଗୋପକୁଦା। କେଶପୁର ଛକ ଠାରୁ ମାତ୍ର ୩କିମି ଖଲ୍ଲିକୋଟ (କେଶପୁର) ଷ୍ଟେସନ ଠାରୁ ମାତ୍ର ୨କିମି ଦୂର। ଏହି ଗ୍ରାମ ଠାରୁ ୫ଶହ ମିଟର ଦୂର ଚିଲିକା ମଝିରେ ରହିଛି ୪୧୨ ଏକର ପରିମିତ ଇଲାକର ଏକ ଟାପୁ। ଏହି ଟାପୁଟିକୁ ଚତୁଃପାର୍ଶ୍ବକୁ ଚିଲିକା ଘେରି ରହଛି। ଟାପୁଟି ବିଭିନ୍ନ ବୃକ୍ଷଲତାରେ ଭରପୁର। ଟାପୁରେ ରହିଛି ଖଲ୍ଲିକୋଟ ରାଜପରିବାର ଦ୍ବାରା ପ୍ରତିଷ୍ଠିତ ପ୍ରାଚୀନ ‘ ଗୁପ୍ତେଶ୍ବର ଶୈବପୀଠ’ । ଏଥିସହ ରାଜପରିବାର ଦ୍ବାରା ପ୍ରତିଷ୍ଠିତ ପ୍ରାଚୀନ ‘ କନକ ଦୂର୍ଗା ମନ୍ଦିର ଓ ହାଵା ମହଲ’। ଏ ଦ୍ବୟର କେବେଳ ଏବେ ଭଗ୍ନାବେଶଷ ରହିଛି।  ହାଵା ମହଲର ଇତିହାସ ସମ୍ପର୍କରେ ଅନେକ ଲୋକକଥା ରହିଛି।  ଦିନଥିଲା ରାଜ ପରିବାର ସଦସ୍ୟମାନେ ଚିଲିକାରେ ଡଙ୍ଗାରେ ଯାଇ ଗୁପ୍ତେଶ୍ବରଙ୍କୁ ଦର୍ଶନ କରୁଥିଲେ। ପୂଜକ ମଧ୍ୟ ଡଙ୍ଗାରେ ଏବ˚ ବେଳେ ବେଳେ ପହଁରି ପହଁରି ଯାଇ ଠାକୁରଙ୍କ ସେବାପୂଜା କରୁଥିଲେ।

୨୦୧୧ମସିହାରେ ଗୋପକୁଦା ଗ୍ରାମବାସୀଙ୍କ ଉଦ୍ୟମକ୍ରମେ ଚିଲିକାର ୫ଶହ ମିଟର ଅଞ୍ଚଳକୁ ପୋତି ରାସ୍ତା କରାଯାଇଛି। ବର୍ତ୍ତମାନ ଗୋପକୁଦା ଟାପୁକୁ ସିଧାସଳଖ ଯାନବାହାନ ଚଳାଚଳ କରି ପାରୁଛି। ମାଘ ସପ୍ତମୀ ଓ ମହା ଶିବରାତ୍ରୀ ଗୁପ୍ତେଶ୍ବରଙ୍କ ବଡ଼ ପର୍ବ, ହଜାର ହାଜର ଶ୍ରଦ୍ଧାଳୁଙ୍କ ଭିଡ଼୍ ଜମେ। ମାଘ ସପ୍ତମୀରେ ନିକଟସ୍ଥ ଗ୍ରାମ ତେନ୍ତୁଳିଆ ପାଡ଼ାରୁ ସକଳେଶ୍ବର ମହାଦେବ ଡଙ୍ଗାରେ ଗୁପ୍ତେଶ୍ବର ମନ୍ଦିରକୁ ଆସନ୍ତି। ସେଠାରେ ଉଭୟ ଠାକୁରଙ୍କ ମିଳିନ ହୁଏ।

ଗୁପ୍ତେଶ୍ବର ମନ୍ଦିରର ନିର୍ମାଣ ଶୈଳୀରୁ ଏହା ଅତି ପ୍ରାଚୀନ ଭଳି ଜଣାପଡେ଼। ଶୀତଋୁତୁରେ ବିଦେଶାଗତ ବିହଙ୍ଗ କଳରବରେ ଏହି ଅଞ୍ଚଳ ମୁଖରିତ ହୋଇ ଉଠେ। ଏହି ଟାପୁରେ ରହି ଜଣେ ପର୍ଯ୍ୟଟକ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ବିଦେଶଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାଏ। ଗୋପକୁଦା ଠାରୁ ଚିଲିକା ଜଳରାଶିରେ ୩ କିମି ଗଲେ ପଡେ଼ ବଡକୁଦା ଓ ସାନକୁଦା। ୨ ଶହ ଏକର ପରିମିତ ବଡ଼କୁଦା ଓ ଶହେ ଏକର ପରିମିତ ସାନକୁଦା ଟାପୁ ବିଭିନ୍ନ ବୃକ୍ଷଲତା ଓ ପ୍ରାକୃତିକ ପରିବେଶରେ ଭରପୁର। ପିକନିକ୍‌ ଋତୁରେ ସ୍ଥାନୀୟ ଯୁବକ ମାନେ ଡଙ୍ଗାରେ ସେଠାକୁ ପିକ୍‌ନିକ କରିବାକୁ ଯାଇଥାନ୍ତି। ପ୍ରାକୃତିକ ବିଭବରେ ଭରପୁର ଗୋପକୁଦା ଆଜି ବି ସମସ୍ତଙ୍କ  ଦୃଷ୍ଟି ଆଢୁଆଳରେ ରହିଛି। ଗତ ଜାନୁଆରୀ ମାସରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଓ ସମିତିସଭ୍ୟ ଦୈତାରୀ ବେହେରା ଗୋପକୁଦା ପରିଦର୍ଶନ କରିଥିଲେ।

ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ କହିଛନ୍ତି, ଗୋପକୁଦାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଓ ବିକାଶ ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି। ଖୁବଶୀଘ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିବି। ଗୁପ୍ତେଶ୍ବର ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ଦୟାନିଧୃ ମହାରଣା କହିଛନ୍ତି ଯେ, ପର୍ଯ୍ୟଟନ ଭତ୍ତିଭୂମିରେ ଗୋପକୁଦା ଭରପୁର ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବିଦେଶୀ ପକ୍ଷୀ ଦେଖୃପାରିବେ। ଏଥିସହ ଖଲ୍ଲିକୋଟ ରାଜପରିବାର ପ୍ରାଚୀନ କର୍ତ୍ତିରାଜୀ ମଧ୍ୟ ଦେଖିପାରିବେ। ଏଥିସହ ଚିଲିକାରେ ଡଙ୍ଗାରେ ବୁଲିପାରିବେ। କେଶପୁର ଛକ ଠାରୁ ମାତ୍ର ୩ କିମି ଦୂରରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଥିଲେ ହେଁ ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନର ନଜର ପଡ଼ିନାହିଁ।  ପ୍ରକାଶ ଥାଉ କି, ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ୩ଟି ଜିଲ୍ଳାର ୧୦୯୧.୧୦ ବର୍ଗ କିମି ଇଲାକାକୁ ପରିବ୍ୟାପ୍ତ ହୋଇ ରହିଛି। ଏଥିମଧ୍ୟରୁ ୭୪.୩୩ ବର୍ଗକିମି ଇଲକା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକ ଇଲାକାରେ ରହିଛି।

ସମ୍ବନ୍ଧିତ ଖବର