ଭାଷା ବଞ୍ଚାଇବା ପାଇଁ ସମୟ ସହ ତାଳ ଦେଇ ଚାଲିବାକୁ ହେବ: ସୌମ୍ୟରଂଜନ

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

କିଶନନଗର : ଭାଷାକୁ ବଞ୍ଚାଇବା ପାଇଁ ସେକାଳ ପଖାଳ ଛାଡ଼ି ଆଜିର ଚାଉମିନ୍‌କୁ ଆପଣାଇବାକୁ ପଡ଼ିବ। ଅର୍ଥାତ୍‌, ଆଜିର ପିଢ଼ିକୁ ବହି ପଢ଼ିବା ପାଇଁ ବାଧ୍ୟ କରିବା ବଦଳରେ ସେମାନେ ରୁଚି ରଖୁଥିବା ଫେସ୍‌ବୁକ,ହ୍ବାଟ୍ସଆପ ପରି ସୋସିଆଲ ମିଡିଆକୁ ବ୍ୟବହାର କରିବାକୁ ପଡ଼ିବ ବୋଲି ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ସନ୍ଧ୍ୟାରେ କଟକ ଜିଲ୍ଲା କନ୍ଦରପୁରର ଉମାକାନ୍ତ ମଣ୍ଡପରେ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୪୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ଗଢ଼ି ତୋଳିବାରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ତାଙ୍କ ପରିଶ୍ରମର ପ୍ରଚାର ଓ ପ୍ରସାର ଦାୟିତ୍ବ ବହନ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ପ୍ରହରାଜ ପ୍ରତିଭା ପୂଜା ପରିଷଦର ସଭାପତି କାଳୀପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଯୋଗଦେଇ ଗଦ୍ୟରଚନା ଶୈଳୀ, ରମ୍ୟରଚନା, ଲୋକକଥା, ଶିଶୁ ସାହିତ୍ୟ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧ ଲକ୍ଷ ୮୫ହଜାର ଶବ୍ଦ ସଂଗ୍ରହ ପାଇଁ ସ୍ବର୍ଗତ ପ୍ରହରାଜ ସବୁଦିନ ପାଇଁ ଅମର ହୋଇ ରହିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସଚିବ ବିଜୟ ଚନ୍ଦ୍ର ଜେନା ଓ ସ୍ତମ୍ଭକାର ଭାଗୀରଥି ମହାସୁଆର ଯୋଗଦେଇ ସ୍ବର୍ଗତ ପ୍ରହରାଜଙ୍କ ବିଶେଷ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ଆକାଶବାଣୀ କଳାକାର ବାବାଜି ଚରଣ ଜେନା, ଗତ ମାଟ୍ରିକ ପରୀକ୍ଷାରେ ଓଡ଼ିଆ ସାହିତ୍ୟରେ ରାଜ୍ୟ ଟପ୍ପର ଆଠଗଡ଼ ସରକାରୀ ବିଦ୍ୟାଳୟ ଛାତ୍ରୀ କ୍ରୀଷ୍ଣାପ୍ରିୟା ନାୟକ ଓ ଯାଜପୁର ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ର ଅସୀମାଦିତ୍ୟ ନନ୍ଦଙ୍କୁ ପ୍ରହରାଜ ପ୍ରତିଭା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ସଞ୍ଜୟ ଛୁଆଳସିଂ ସ୍ୱାଗତ ଭାଷଣ ଦେଇଥିବାବେଳେ ପରିଷଦର ଉପ-ସଭାପତି ପୀତାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ। ନୀଳମଣି ସାହୁ ଧନ୍ୟବାଦ ଦେଇଥିଲେ। ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ଗୁରୁପ୍ରସାଦ ରଥ, ଅନନ୍ତ ଦଳାଇ, ଅଶୋକ ପଟ୍ଟନାୟକ, ପ୍ରଭାତ ମଲ୍ଲିକ, ଚକ୍ରବର୍ତ୍ତୀ ଓତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅପରାହ୍ନରେ ହୃଦାନନ୍ଦ ଜେନାଙ୍କ ଅଧ୍ୟକ୍ଷତା ତଥା ପ୍ରତାପ ଚନ୍ଦ୍ର ବେହେରା ଓ କାଦମ୍ବିନୀ ପରିଜାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୨୧ଜଣ କବି ସ୍ବରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର