ବ୍ରହ୍ମପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହେଲା ପରେ ଭୁବନେଶ୍ବର ଆପ‌ଲୋ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ରହିଛି। ପୁଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାରି ମଧ୍ୟରେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କ ମତାମତ ଆସିଛି। ସେ ଗଣମାଧ୍ୟମକୁ କହିଛନ୍ତି, ‘‘ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ସକାଳେ ଝିଅ ସହିତ ମୋ ସ୍ବାମୀ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ସେ ଆସିଥିଲେ। ସେ ମାନସିକ ରୋଗରେ ପୀଡ଼ିତ ଥିଲେ। ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ଔଷଧ ଖାଉଥିଲେ। ରକ୍ତଚାପ ପାଇଁ ମଧ୍ୟ ଔଷଧ ଖାଉଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଘଟଣାକୁ ନେଇ ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।’’

Advertisment

ସେହିପରି ଗୋପାଳ ଦାସଙ୍କ ପୁଅ ମନୋଜ କୁମାର ଦାସ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମନୋଜ କହିଛନ୍ତି , ‘‘ଗୁଳିମାଡ଼ ସଂପର୍କରେ ଆମେ କିଛି ଜାଣି ନଥିଲୁ। ବାପା ପ୍ରାୟ ୮ ବର୍ଷ ହେଲା ମାନସିକ ରୋଗ ଚିକିତ୍ସା କରି ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ଔଷଧ ପଠା ଯାଉଥିଲା। ତାଙ୍କ ଉପର ଅଫିସରଙ୍କୁ ଛୁଟିରେ ବାପାଙ୍କୁ ଛାଡ଼ିବାକୁ ନିଜେ ଯାଇ ଅନୁରୋଧ କରିଥିଲି। କୋଭିଡ ଓ ଓଭରଡ୍ୟୁଟି ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଙ୍କ ପାଖରେ ଚେକ୍‌ଅପ୍‌ ହୋଇପାରିନଥିଲା। ମେଡ଼ିସିନ ବଦଳାଇବାର ଥିଲା। ହେଲେ ଛୁଟି ସରିଯାଇଥିବାରୁ ଛୁଟି ଦିଆଯାଇପାରିବ ନାହିଁ ବୋଲି ଉପର ଅଧିକାରୀ କହିଥିଲେ।’’