ହତ୍ୟା ପାଇଁ ଗୋପାଳଙ୍କ ଅନୁଶୋଚନା ନାହିଁ

ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲୁନାହାନ୍ତି, ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ମିଳୁନି

ଝାରସୁଗୁଡ଼ା : ରାଜ୍ୟ ମନ୍ତ୍ରିମଣ୍ଡଳର ଏତେ ବଡ଼ ଜଣେ ପ୍ରଭାବଶାଳୀ ମନ୍ତ୍ରୀ (ନବ ଦାସ)ଙ୍କୁ ସର୍ବସାଧାରଣରେ ହତ୍ୟା କରିଥିବା ଗୋପାଳ ଦାସଙ୍କ ମନରେ ତିଳେ ମଧ୍ୟ ଅନୁଶୋଚନା ଥିବା ଜଣାପଡ଼ୁନାହିଁ। ଗୋପାଳଙ୍କୁ ଗିରଫ କରି ୩୦ ତାରିଖ କୋର୍ଟ ଚାଲାଣ ପରେ ଝାରସୁଗୁଡ଼ା ଉପକାରାଗାରେ ଆଜି ସକାଳ ପର୍ଯ୍ୟନ୍ତ ରଖା ଯାଇଥିଲା। ଜେଲରେ ଥିବା ସମୟରେ ତାଙ୍କର ବ୍ୟବହାର ସଂପୂର୍ଣ୍ଣ ସ୍ବାଭାବିକ ଥିବା ବେଳେ ହତ୍ୟାଭଳି ଏକ ଜଘନ୍ୟ କାଣ୍ଡ ଭିଆଇ ମଧ୍ୟ ତାଙ୍କ ମନରେ ଆଦୌ ପଶ୍ଚାତାପ ଥିଲା ଭଳି ଜଣାପଡ଼ୁ ନଥିବା କିଛି ଜେଲ କର୍ମଚାରୀଙ୍କ ଠାରୁ ଜଣାଯାଇଛି। ଜେଲରେ ସେ ଖୁସି ମନରେ ଖାଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଜେରା ବେଳେ ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କରିଥିବା ମାନିଥିଲେ ହେଁ କାରଣ ସଂପର୍କରେ ମୁହଁ ଖୋଲୁନାହାନ୍ତି। ଏପରିକି ଏ ସଂକ୍ରାନ୍ତ ପ୍ରଶ୍ନକୁ ଚତୁରତାର ସହିତ ଏଡ଼ାଇ ଯାଉଛନ୍ତି। ଫଳରେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଅଡ଼ୁଆ ବଢ଼ିଗଲାଣି।
ମିଳିଥିବା ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଏହି ମାମଲାକୁ ଅତି ଗୁରୁତ୍ବ ଦେଇ ତଦନ୍ତ ଆରମ୍ଭ କରିଛି। ଅଫିସର୍‌ ମାନଙ୍କ ମଧ୍ୟରେ ଏକାଧିକ ସବ୍‌ଗ୍ରୁପ୍ ଗଠନ କରାଯାଇଛି। ଅଧିକାରୀମାନେ ବିକ୍ଷିପ୍ତ ଭାବରେ ବିଭିନ୍ନ ସ୍ଥାନରେ ତଥ୍ୟ ସଂଗ୍ରହ କରୁଥିବା ଜଣାଯାଇଛି। ଆଜି ଏହି ଅଧିକାରୀମାନେ ଶତାଧିକ ଲୋକଙ୍କୁ ଜେରା କରିଛନ୍ତି। ଘଟଣା ଦିନ ମନ୍ତ୍ରୀ ଯେଉଁ ଇନୋଭା (ଓଡି ୧୫ୟୁ ୬୧୯୭)ରେ ଥିଲେ ସେହି କାର ଓ ପଛକୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆଉ ଏକ କାର୍‌ (ଓଡି ୧୫ ଟି ୦୧୮୩)କୁ ବଡ଼ମାଲ ଥାନା ପରିସରରେ କ୍ରାଇମବ୍ରଞ୍ଚ ପକ୍ଷରୁ ଗତକାଲି ଓ ଆଜି ଦୁଇ ଦିନ ଧରି ତନ୍ନତନ୍ନ କରି ଯାଞ୍ଚ କରାଯାଇଛି। ମନ୍ତ୍ରୀଙ୍କ ଦେହରେ ବାଜିଥିବା ଗୁଳି ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପାଇ ପାରିନାହିଁ।

ଅଭିଯୁକ୍ତ ଗୋପାଳଙ୍କ ଠାରୁ ହତ୍ୟାର କାରଣ ନଜାଣିବା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜେରା ଜାରି ରଖିବେ। ହତ୍ୟାକାଣ୍ଡ ଦିନ ଗୋପାଳ ତାଙ୍କ ଅଭିଯାନ କିଭଳି ଆରମ୍ଭ କରିଥିଲେ? କେମିତି ପ୍ରସ୍ତୁତ ହୋଇଥିଲେ? କାହା ସହିତ ଘଟଣା ସ୍ଥଳକୁ ଯାଇଥିଲେ? ସେଠାକୁ ବାଇକରେ ଯାଇ ବାଇକ ପାର୍କ କରିବା ପରେ ହତ୍ୟାପାଇଁ କେମିତି ଯୋଜନା ରଚିଥିଲେ? ତାର ସିନ୍‌ ରିକ୍ରିଏସନ କରିବା ସହିତ ଏହାର ଭିଡିଓ ଉତ୍ତୋଳନ କରାଯିବ ବୋଲି ଜଣାଯାଇଛି। ତେବେ ତଦନ୍ତରେ କଣ ସଫଳତା ମିଳିଛି ହତ୍ୟା କାରଣ ସଂପର୍କରେ ଗୋପାଳ କାହିଁକି ମୁହଁ ଖୋଲୁନାହାନ୍ତି ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ।

ଏଠାରେ ଉଲ୍ଲେଖଥାଉକି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୪ ଦିନ ପୂରି ଯାଇଛି। ନବଙ୍କ ଛାତିରେ ଗୁଳି ମାରିଥିବା ଗାନ୍ଧୀଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ ଦାସଙ୍କୁ ବୁଧବାର କ୍ରାଇମବ୍ରାଞ୍ଚ ୪ ଦିନଆ ରିମାଣ୍ଡରେ ନେଇଛି। ମଙ୍ଗଳବାର କ୍ରାଇମ ବ୍ରାଞ୍ଚ ୧୦ ଦିନ ପାଇଁ ଜେଏମ୍‌ଏଫ୍‌ସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲେ। ତେବେ ଜେଏମ୍‌ଏଫ୍‌ସି ୪ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ। ରିମାଣ୍ଡ ମଞ୍ଜୁର ହେବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ଆଜି ଦିନ ୧୧ ଟାରେ କୋର୍ଟ ପରିସରରୁ ବ୍ୟାପକ ପୁଲିସ ଫୋର୍ସ ସହିତ କଡ଼ା ସୁରକ୍ଷାରେ ଅଭିଯୁକ୍ତ ଗୋପାଳଙ୍କ ମୁହଁରେ କପଡ଼ା ‌ଘୋଡ଼ାଇ ଝାରସୁଗୁଡ଼ା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନକୁ ନେଇଥିଲେ। ଆଗରେ ଓ ପଛରେ ଦୁଇଟି ପୁଲିସ ଭ୍ୟାନ୍‌ ସହିତ ଅଭିଯୁକ୍ତକୁ ଓଏସ୍‌ଏପି ପରିସରରେ ଥିବା ଏକ କୋଠରିରେ ରଖା ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ବଛା ବଛା ଅଫିସର୍‌ମାନେ ଅପରାହ୍ଣ ୨ଟା ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଗୋପାଳଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପୁଣି ଜେରା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର