ହାଇକୋର୍ଟ ବାର୍‌ ନିର୍ବାଚନ ପରେ : ଉପଦେଷ୍ଟା ପଦରୁ ଗୋପାଳ ମହାନ୍ତିଙ୍କ ଇସ୍ତଫା

କଟକ-ସିଡିଏ : ଗଠନ ହେବାର ମାତ୍ର ଦୁଇ ବର୍ଷ ଭିତରେ ବିଜେଡି ଲିଗାଲ୍‌ ଫ୍ରଣ୍ଟରେ ଫାଟ ସୃଷ୍ଟି ହୋଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲିଗାଲ୍‌ ଫ୍ରଣ୍ଟର ରାଜ୍ୟ ଉପଦେଷ୍ଟା ପଦବିରୁ ଆଇନଜୀବୀ ଗୋପାଳକୃଷ୍ଣ ମହାନ୍ତି ଇସ୍ତଫା ଦେଇଛନ୍ତି। ଆଇନଜୀବୀ ଶ୍ରୀ ମହାନ୍ତି ଗତ ଶନିବାର ଦିନ ଅନୁଷ୍ଠିତ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନରେ ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହେବା ପରେ ବିଜେଡି ଲିଗାଲ୍‌ ଫ୍ରଣ୍ଟର ସଦସ୍ୟ, କର୍ମକର୍ତ୍ତାଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ସେ ଉପଦେଷ୍ଟା ଥିବା ବିଜେଡି ଲିଗାଲ୍‌ ଫ୍ରଣ୍ଟର ସଦସ୍ୟ ଆଇନଜୀବୀମାନେ ତାଙ୍କ ବିରୋଧରେ ଖୋଲାଖୋଲି ପ୍ରଚାର କଲେ। ତାଙ୍କୁ ସମର୍ଥନ ଦେଲେ ନାହିଁ। ଯାହାକି ତାଙ୍କ ପରାଜୟର ପ୍ରମୁଖ କାରଣ ହେଲା। ଲିଗାଲ୍‌ ଫ୍ରଣ୍ଟ ସଦସ୍ୟ ମାନଙ୍କ ବିଶ୍ୱାସ ହୁଏତ ତାଙ୍କ ପ୍ରତି ନଥିଲା। ସେମାନେ ହୁଏତ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲେ। ତେଣୁ ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ସେ ବିଜେଡି ଲିଗାଲ୍‌ ଫ୍ରଣ୍ଟର ପଦପଦବିରେ ରହିବା ଅନାବଶ୍ୟକ ଦର୍ଶାଇ ଶ୍ରୀ ମହାନ୍ତି ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ଲିଗାଲ୍‌ ଫ୍ରଣ୍ଟର ରାଜ୍ୟ ଆବାହକ ମିଲନ୍‌ କାନୁନଗୋଙ୍କୁ ପଠାଇ ଦେଇଛନ୍ତି। କିନ୍ତୁ ସେ ବିଜେଡି ଲିଗାଲ୍‌ ଫ୍ରଣ୍ଟର ସଦସ୍ୟ ଅଛନ୍ତି ଏବଂ ବିଜେଡିର ବି ସଦସ୍ୟ ହୋଇ ରହିଛନ୍ତି ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ଶ୍ରୀ ମହାନ୍ତିଙ୍କ ଇସ୍ତଫା ବିଜେଡି ଲିଗାଲ୍‌ ଫ୍ରଣ୍ଟରେ ବିରାଟ ଫାଟ ସୃଷ୍ଟି କରିଛି।

ଆଇନଜୀବୀଙ୍କୁ ଏକଜୁଟ୍‌ ତଥା ସଂଗଠିତ କରି ବିଜେଡିର ଭିତ୍ତିଭୂମି ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି ଲିଗାଲ୍‌ ଫ୍ରଣ୍ଟ ଗଠନ ହୋଇଥିଲା। ୨୦୧୫, ନଭେମ୍ବର ୨୨ ତାରିଖରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହାର ଗଠନକୁ ନେଇ ବି ସେତେବେଳେ ଦଳର ଅନେକ ବରିଷ୍ଠ ସଦସ୍ୟ ଥିବା ଆଇନଜୀବୀ ସ୍ୱର ଉଠାଇଥିଲେ।

ଏଠାରେ ଉଲ୍ଲେଖଥାଉକି, ହାଇକୋର୍ଟ ବାର୍‌ ନିର୍ବାଚନ ସଂପୂର୍ଣ୍ଣ ନିର୍ଦଳୀୟ ବ୍ୟବସ୍ଥାରେ ହୋଇଥାଏ। ଏପରିସ୍ଥଳେ ଦଳୀୟ ସଂପର୍କ କଥା ଉଠାଇ ଶ୍ରୀ ମହାନ୍ତିଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀ ବାର୍‌ ନିର୍ବାଚନର ନିରପେକ୍ଷତାକୁ ବିତର୍କ ଭିତରକୁ ଟାଣିବା ଘଟଣାକୁ ଅନେକ ଆଇନଜୀବୀ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର