କଟକ/ଝାରସୁଗୁଡ଼ା : ଗୁଜୁରାଟ ଗାନ୍ଧୀନଗର ଫରେନସିକ୍ ସାଇନ୍ସ ଲାବୋରେଟୋରିରେ ପୁଲିସ ଏଏସ୍‌ଆଇ ଗୋପାଳ ଦାସର ନାର୍କୋ ପରୀକ୍ଷା ପାଇଁ ସୋଡିୟମ୍ ପେଣ୍ଟୋଥାଲ୍ ବା ଟ୍ରୁଥ୍ ସେରମ୍ ବାରମ୍ବାର ଦେବାରୁ ସେ ଚେତା ହରାଇଥିବା  କୁହାଯାଉଛି। ଶନିବାର ରାତିରେ ଗୋପାଳର ଚେତା ଫେରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତାକୁ ସାଙ୍ଗରେ ଧରି ଝାରସୁଗୁଡ଼ା ଫେରୁଥିବା ସୂଚନା ମିଳିଛି।

Advertisment

୮ ତାରିଖରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରୁ ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ଆଣିବା ପରେ ଗୋପାଳକୁ ସିଧା ଗାନ୍ଧୀନଗରରେ ଥିବା ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନିଆଯାଇଥିଲା। ୯ ତାରିଖରେ ପଲିଗ୍ରାଫ୍ ପରୀକ୍ଷା ପ୍ରଥମ ପର୍ଯ୍ୟାୟରେ ଓ ୧୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ କରିବା ସହିତ ସେଦିନ ନାର୍କୋ ପରୀକ୍ଷା ପ୍ରଥମ ପର୍ଯ୍ୟାୟରେ କରିଥିଲା। ୧୧ ତାରିଖରେ ନାର୍କୋ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ କଲା ବେଳେ ଗୋପାଳ ଶନିବାର ବିଳମ୍ବିତ ରାତି ଯାଏ ଚେତା ହରାଇଥିଲା। ପାଖାପାଖି ୮ ଘଣ୍ଟା କାଳ ଗୋପାଳକୁ ନାର୍କୋ କରାଯାଇଥିବାରୁ ବାରମ୍ବାର ଟ୍ରୁଥ୍ ସେରମ୍ ଇଞ୍ଜେକ୍ସନ୍‌ ଦେବାକୁ ପଡ଼ିଥିଲା। ଏହି ଇଞ୍ଜେକ୍ସନ୍‌ ୫ରୁ ୧୦ ମିଲିଗ୍ରାମ୍ ପର୍ଯ୍ୟନ୍ତ ଥରକେ ଶରୀରରେ ଦିଆଯିବାର ବ୍ୟବସ୍ଥା ରହିଛି। ଗୋପାଳକୁ ଯେହେତୁ ବାରମ୍ବାର ଦେବାକୁ ପଡ଼ିଥିଲା, ସେଥିପାଇଁ ଗୋପାଳ ଅଚେତ ହୋଇପଡ଼ିଥିବା କୁହାଯାଉଛି। ଆନାସ୍ଥେସିଆ ଇଞ୍ଜେକ୍ସନ୍‌ ଭଳି ଏହି ଟ୍ରୁଥ୍ ସେରମ୍ କାମ କରୁଥିବା ଫରେନସିକ୍‌ ସାଇନ୍ସ ଲାବୋରେଟୋରି ବିଶେଷଜ୍ଞ ମତ ରଖୁଛନ୍ତି।

ପଲିଗ୍ରାଫ୍, ନାର୍କୋର ଭିଡିଓ ରେକର୍ଡ
ବାଲାଷ୍ଟିକ୍ ରିପୋର୍ଟରେ ମେଳ ଖାଇଲା ପିସ୍ତଲ୍‌, ଗୁଳି

publive-image

ଗୋପାଳର ଉଭୟ ପଲିଗ୍ରାଫ୍ ଓ ନାର୍କୋ ପରୀକ୍ଷାର ଭିଡିଓ ରେକର୍ଡ କରାଯାଇଛି। ଏହି ଭିଡିଓ ରେକର୍ଡ ଗାନ୍ଧୀନଗର ଫରେନସିକ୍ ସାଇନ୍ସ ଲାବୋରେଟୋରି ପକ୍ଷରୁ କରାଯାଇଛି। ରେକର୍ଡ ହୋଇଥିବା ଭିଡିଓର ଏକ ସିଡି ବନ୍ଦ ଲଫାପାରେ ଗାନ୍ଧୀନଗର ଲାବୋରେଟୋରି ପକ୍ଷରୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଦାଖଲ କରାଯିବ। ଏହାସହିତ ଗାନ୍ଧୀନଗର ଲାବୋରେଟୋରିର ନିର୍ଦ୍ଦେଶକ ନିଜେ ଝାରସୁଗୁଡ଼ାରେ ଘଟଣାସ୍ଥଳକୁ ଆସିଥିବାରୁ ଜବତ ସାମଗ୍ରୀର ଯାଞ୍ଚ ସଂକ୍ରାନ୍ତ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ଯାଉଛନ୍ତି। ଗୋପାଳ ନିକଟରୁ ଜବତ ହୋଇଥିବା ବନ୍ଧୁକ, ଘଟଣାସ୍ଥଳରୁ ଜବତ ଖୋକାର ବାଲାଷ୍ଟିକ୍ ରିପୋର୍ଟ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବୋରେଟୋରିରୁ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି। ତେବେ ପ୍ରାଥମିକ ଭାବେ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୋପାଳର ସର୍ଭିସ ପିସ୍ତଲ ଓ ଗୁଳି ମେଳ ଖାଇଛି। ସେହି ବନ୍ଧୁକରୁ ଗୁଳି ଫୁଟିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ତଥ୍ୟ ରଖିଛନ୍ତି। କଟକ ବଡ଼ ଡାକ୍ତରଖାନା ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଗୋପାଳର ଯେଉଁ ମାନସିକ ସ୍ବାସ୍ଥ୍ୟର ଅବସ୍ଥିତି ନେଇ ପରୀକ୍ଷା କରିଥିଲେ, ଏ ରିପୋର୍ଟ ମଧ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି। କିନ୍ତୁ ଗୋପାଳ ଜଣେ ମାନସିକ ରୋଗୀ କି ସୁସ୍ଥ ଲୋକ ସେ ସମ୍ପର୍କରେ ଯେଉଁ ତଥ୍ୟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ କ୍ରାଇମ୍‌ବ୍ରାଞ୍ଚ ନିକଟରେ ରଖିଛି, ସେ ସମ୍ପର୍କରେ ବି କ୍ରାଇମବ୍ରାଞ୍ଚ ନିରବ ରହିଛି।

ଅନ୍ୟପକ୍ଷରେ, ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳକୁ ନେଇ ରାତି ପ୍ରାୟ ୯ଟାରେ ରାୟପୁରରେ ପହଞ୍ଚିଛି। ‌ସେଠାରୁ କାର୍‌ ଯୋଗେ ତାକୁ ଝାରସୁଗୁଡ଼ାକୁ ଅଣାଯାଉଛି। ସୋମବାର ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ତାକୁ ହାଜର କରାଯିବ। ଏହି ସମୟରେ କ୍ରାଇମବ୍ରାଞ୍ଚ ଟିମ୍‌ ନାର୍କୋ ଟେଷ୍ଟ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରିବ। ଏହି ହାଇ ପ୍ରୋଫାଇଲ୍‌ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ ୭ ଘଣ୍ଟାର ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ କଣ କହିଛି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।